ଖୋର୍ଦ୍ଧା, ୧୯/୯ : ବିଶାଳ ଆର୍ଦ୍ରଭୂମି, ପ୍ରାକୃତିକ ପରିବେଶ, ସୌନ୍ଦର୍ଯ୍ୟର ଗନ୍ତାଘର ଏବଂ ଜୈବ ବିବିଧତା ସମନ୍ୱୟର ପର୍ଯ୍ୟଟନ କ୍ଷେତ୍ର ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକର ମଙ୍ଗଳାଯୋଡ଼ି । ନୀଳାମ୍ବୁ ଚିଲିକା କୂଳରେ ଏସ୍ଥାନ ବିଦେଶୀ ପକ୍ଷୀଙ୍କ ଅଭୟାରଣ୍ୟ ଭାବେ ପରିଚିତ । ଏଠାକାର ଜୈବ ବିବିଧତା ବହୁ ଅଳ୍ପସଂଖ୍ୟକ ପର୍ଯ୍ୟଟନ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ବିଦେଶୀ ପକ୍ଷୀ ଆଗମନ ସମୟ ପାଖେଇ ଆସୁଥିବା ବେଳେ ମଙ୍ଗଳାଯୋଡ଼ିର ପ୍ରାୟ ୫କିଲୋମିଟର ଆର୍ଦ୍ରଭୂମି ଚିଙ୍ଗୁଡ଼ି ମାଫିଆଙ୍କ କବ୍‌ଜାରେ ରହିବା ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ବିଦେଶାଗତ ପକ୍ଷୀଙ୍କ ବିଚରଣସ୍ଥଳୀ ଆର୍ଦ୍ରଭୂମିରେ ମାଫିଆମାନେ ବେଆଇନ ଭାବେ ଘେରି ଓ ପୋଖରୀ ନିର୍ମାଣ କରିଛନ୍ତି । ଫଳରେ ବର୍ତ୍ତମାନ ବସବାସ କରୁଥିବା ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ପାଇଁ ଖାଦ୍ୟ ସଂକଟ ଦେଖାଗଲାଣି । ତେଣୁ ସେମାନେ ଏସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି ।

ପରିବେଶବିତ୍‌ଙ୍କ କହିବା କଥା ଏଠାକାର ଆର୍ଦ୍ରଭୂମିର ସନ୍ତସନ୍ତିଆ ସ୍ଥାନରେ ବାସ କରୁଥିବା ଛୋଟ ମାଛ, କୀଟପତଙ୍ଗ, ଜଳଚର ଜୀବ, କଇଁନାଡ଼ ବିଦେଶୀ ପକ୍ଷୀଙ୍କ ପ୍ରିୟ ଖାଦ୍ୟ । ତେଣୁ ହଜାର ହଜାର ବିଦେଶୀ ପକ୍ଷୀ ସୁଦୂର ସାଇବେରିଆ, ମଙ୍ଗୋଲିଆ, ସାଉଥ ଆଫ୍ରିକା, ପାକିସ୍ଥାନ, ଆଷ୍ଟ୍ରେଲିଆରୁ ଏଠାକୁ ଆସନ୍ତି । ଅକ୍ଟୋବର ମାସ ପ୍ରଥମ ସପ୍ତାହରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ସେମାନେ ଗ୍ରୀଷ୍ମ ଅଗମନ ପରେ ଘର ବାହୁଡ଼ିଥାନ୍ତି । କିନ୍ତୁ ତନ୍ମଧ୍ୟରୁ କେତେକ ବିଦେଶୀ ପକ୍ଷୀ ଏସ୍ଥାନ ଛାଡ଼ିବାକୁ ପସନ୍ଦ କରିନଥାନ୍ତି । ତେଣୁ ରହିଯାଇଥିବା ବିଦେଶୀ ଓ ଦେଶୀ ପକ୍ଷୀ ଶିକାର ରୋକିବାକୁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ବର୍ଷକୁ ୧୨ ମାସ ମଙ୍ଗଳାଯୋଡ଼ିରେ ପଇଁତରା ମାରିଥାନ୍ତି । ସେହିପରି ପକ୍ଷୀ ଶିକାର ରୋକିବାକୁ ପକ୍ଷୀ ସୁରକ୍ଷା ସମିତି ଗଠନ ହୋଇଛି । ମାତ୍ର ଖାଦ୍ୟାଭାବରୁ ପକ୍ଷୀମାନେ ସ୍ଥାନଛାଡ଼ିବା ଚିନ୍ତାବୃଦ୍ଧି କରୁଛି ।  

ସ୍ଥାନୀୟ ଅଞ୍ଚଳରେ ନିରଞ୍ଜନ ପ୍ରସାଦ ବେହେରାଙ୍କ କହିବା ଅନୁସାରେ ୨୦୧୪ ମସିହାରେ ଏସ୍ଥାନକୁ ପକ୍ଷୀଙ୍କ ଅଭୟାରଣ୍ୟ ମାନ୍ୟତା ମିଳିଛି । ଏଠାକୁ ପ୍ରତିବର୍ଷ ନରଦେନ ପିଣ୍ଟଲ, ଗଡୱାଲ, ସେଲଡର ଡକ, ହାଡୱାଡ୍‌ ଗ୍ଲୋସ, ଗ୍ଲାସିକ୍‌ ଗ୍ଲେଜ, ଲିଟିଲ ଗ୍ରୀନ ହେରେନ୍‌ ଭଳି ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଆସନ୍ତି । ବିଦେଶାଗତ ପକ୍ଷୀଙ୍କ କୋଳାହଳରେ ମଙ୍ଗଳଯୋଡ଼ି ଆର୍ଦ୍ରଭୂମି ଫାଟିପଡ଼େ । ସେମାନଙ୍କ ଜଳକ୍ରୀଡ଼ାକୁ ଉପଭୋଗ କରିବାକୁ ଦେଶ, ବିଦେଶରୁ ହଜାର ହଜାର ପର୍ଯ୍ୟଟକ ପ୍ରତିବର୍ଷ ଆସିଥାନ୍ତି । ଗୋଟିଏ ପାର୍ଶ୍ୱରେ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପ ବିକାଶ କହୁଥିବା ବେଳେ ଏଠାରେ ଗତ ୫ ବର୍ଷରେ ସେମିତି ଆଖିଦୃଶିଆ ବିକାଶ ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ସ୍ଥାନୀୟ ଅଞ୍ଚଳର ଡଙ୍ଗାଚାଳକ,ଗାଇଡ୍‌ମାନେ ବିଦେଶୀ ପକ୍ଷୀଙ୍କ ସମାଗମ ସମୟରେ ପର୍ଯ୍ୟଟକମାନଙ୍କଠାରୁ ପାଇଥିବା ଅର୍ଥରେ ପରିବାର ଭରଷପୋଷଣ କରୁଛନ୍ତି । କିନ୍ତୁ ଗତ ଦୁଇ ବର୍ଷ ହେବ ରାଜ୍ୟ ବାହାରର ଚିଙ୍ଗୁଡ଼ି ମାଫିଆମାନେ ସ୍ଥାନୀୟ ଅଞ୍ଚଳରେ ମୁଷ୍ଟିମେୟ ବ୍ୟକ୍ତିଙ୍କୁ ହାତକରି ମଙ୍ଗଳାଯୋଡ଼ିର ପ୍ରାୟ ୫ କିଲୋମିଟର ଆର୍ଦ୍ରଭୂମିଙ୍କ ନିଜ କବ୍ଚାରେ ରଖିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେମାନେ ବେଆଇନ ଘେରି ଓ ପୋଖରୀ କରିବା ଦ୍ୱାରା ବର୍ତ୍ତମାନ ରହୁଥିବା ପକ୍ଷୀଙ୍କୁ ବିଚରଣ କରିବା କ୍ଷେତ୍ରରେ ସମସ୍ୟା ହେଉଛି । ସେହିପରି ଖାଦ୍ୟ ଅଭାବ ଦେଖାଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସବୁ ଜାଣି ଅଜଣା ରହିବା ସ୍ଥାନୀୟ ଲୋକଙ୍କ ଆଶ୍ଚର୍ଯ୍ୟ କରିଛି । ଆଉ କିଛିଦିନ ପରେ ବିଦେଶୀ ପକ୍ଷୀ ପୁଣି ମଙ୍ଗଳାଯୋଡ଼ିକୁ ଆସିବାକୁ ରହିଛି । ତେଣୁଜିଲ୍ଳା ପ୍ରଶାସନ ଏବେଠାରୁ ଆର୍ଦ୍ରଭୂମି ସ୍ଥାନକୁ ଘେରିମୁକ୍ତ ନ କଲେ ଚଳିତବର୍ଷ ଶୀତଦିନରେ ମଙ୍ଗଳାଯୋଡ଼ି ପକ୍ଷୀ ଶୂନ୍ୟ ହେବା ସହ ଏହାର ସିଧା ସଳଖ ପ୍ରଭାବ ଜୈବ ବିବିଧତାରେ ପଡ଼ିବ ବୋଲି ସ୍ଥାନୀୟ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି । ବିଦେଶୀ ପକ୍ଷୀ ଓ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇଲେ ମଙ୍ଗଳାଯୋଡି଼ ପର୍ଯ୍ୟଟନ କ୍ଷେତ୍ର ତାର ଗରିମା ହରାଇବା ସହ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଜୀବିକା ପ୍ରଭାବିତ ହେବ ବୋଲି ସଂଜୟ ବେହେରା ପ୍ରକାଶ କରିଛନ୍ତି । ତେଣୁ ଜିଲ୍ଲାପାଳ, ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ୱୟନ କର୍ତ୍ତୃପକ୍ଷ ଏ ପ୍ରସଂଗକୁ ଗୁରୁତ୍ୱ ଦେଇ ବେଆଇନ ଘେରି ଉଚ୍ଛେଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।