ଭୁବନେଶ୍ୱର,୧୫/୦୬: ବନ କର୍ମଚାରୀଙ୍କ ସୁରକ୍ଷା ସହ ଅନ୍ୟାନ୍ୟ ଅବ୍ୟବସ୍ଥାର ପ୍ରତିକାର ପାଇଁ ସରକାର ତତ୍ପର ହୋଇ ଏକ ବନ ଆୟୋଗ ଗଢ଼ନ୍ତୁ । ଏଭଳି ଦାବିରେ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରବିବାରଠୁ କର୍ମକ୍ଷେତ୍ରରେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଆରମ୍ଭ କରିଛନ୍ତି । ଜୀବନ ପ୍ରତି ବିପଦ ଥିବା ଭଳି କୌଣସି କାର୍ଯ୍ୟ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୨ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଚେତାଇଛନ୍ତି ।
ଓଡ଼ିଶା ନନ୍ଗେଜେଟେଡ୍ ବନ ସେବା ସଙ୍ଘର ଆନ୍ଦୋଳନ ଡାକରାରେ ସମସ୍ତ ବନଖଣ୍ଡରେ ଆନ୍ଦୋଳନ ଆରମ୍ଭ ହେଇଛି । ଡେପୁଟି ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡମାନେ କଳା ବ୍ୟାଜ୍ ପିନ୍ଧିଛନ୍ତି । ସଂଘ ସଭାପତି ଜଗବନ୍ଧୁ ପାତ୍ର କହିଛନ୍ତି, ଗତ ମାସ ୨୪ରେ ଶିକାରୀ ଗୁଳିରେ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ବନରକ୍ଷୀ ପ୍ରହ୍ଲାଦ ପ୍ରଧାନଙ୍କ ଜୀବନ ଗଲା । ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ଟେରିଟୋରିଆଲ ଡିଭିଜନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ (ଏସଏସଏଫ) ଓ ରାପିଡ୍ ରେସପନ୍ସ ଟିମ (ଆରଆରଟି) ଗଢ଼ା ଯାଉନି କି ଆବଶ୍ୟକତା ଅନୁସାରେ କ୍ୟାଡର ପରିବର୍ତ୍ତନ ହେଉନି । ଖାଲି ସେତିକି ନୁହେଁ, ବାରମ୍ବାର ଦାବି ସତ୍ତ୍ୱେ ଭୌଗୋଳିକ ଅଞ୍ଚଳ ଓ ଜଙ୍ଗଲ ଘନତା ଅନୁସାରେ ରେଞ୍ଜ, ସେକ୍ସନ କି ବିଟ୍ ପୁନର୍ଗଠନ ହେଉନି । ଏକ ସ୍ୱତନ୍ତ୍ର ଆୟୋଗ ଗଢ଼ାଗଲେ, ସମସ୍ତ ଅବ୍ୟବସ୍ଥାର ତର୍ଜମା କରାଯାଇ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ ପରିଚାଳନା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇପାରିବ । ଯାହାକି ସାରା ଦେଶରେ ପ୍ରଥମ ହେବ ବୋଲି ସଂଘ ସଭାପତି ଜଗବନ୍ଧୁ ପାତ୍ର କହିଛନ୍ତି ।
ସେହିପରି ମୃତକ ପ୍ରହ୍ଲାଦଙ୍କ ପରିବାରକୁ ୧ କୋଟିର ସହାୟତା ଦେବା ସହ ସମସ୍ତ କର୍ମଚାରୀଙ୍କ ଦରମା ପ୍ୟାକେଜକୁ ନେଇ ବୀମା ପ୍ରଦାନ ବ୍ୟବସ୍ଥା କରିବାକୁ ସଙ୍ଘ ଅଧ୍ୟକ୍ଷ ଖଗେଶ୍ୱର ସେଠୀ ଦାବି କରିଛନ୍ତି । ବନ ଆୟୋଗ ନ ଗଢ଼ା ହେଲେ, ସବୁ କ୍ଷେତ୍ର କର୍ମଚାରୀ ସମୂହ ଛୁଟିରେ ଯିବାକୁ ସେ ଚେତାବନୀ ଦେଇଛନ୍ତି ।