ଭୁବନେଶ୍ୱର,୧୫/୦୯: ବେକାରୀ ଉପରେ ରାଜ୍ୟ ସରକାରଙ୍କ ବଡ଼ ପ୍ରହାର । ରାଜ୍ୟରେ ସୃଷ୍ଟି ହେବ ନୂଆ ନିଯୁକ୍ତି । ବେକାର ଯୁବକ ଓ ଯୁବତୀଙ୍କୁ ମିଳିବ ସ୍ଥାୟୀ ଚାକିରି । ଏନେଇ ସୋମବାର ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଶିଳ୍ପ ପ୍ରତିଷ୍ଠା ବାବଦରେ ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଯାହା ଦ୍ୱାରା ରାଜ୍ୟରେ ପାଖାପାଖି ୫୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେପଟେ ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ଫାର୍ମା ଶିଳ୍ପର ଶୁଭାରମ୍ଭ ହୋଇଛି ।

ସୋମବାର ସକାଳ ୧୦ଟାରେ ଓୟୁଏଟି କୃଷି ଶିକ୍ଷା ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨୭ ନୂଆ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରତିଷ୍ଠା ହେବ । ଝାରସୁଗୁଡା, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ସୁନ୍ଦରଗଡ, ଭଦ୍ରକ, ପୁରୀ, କଟକ ଏବଂ ସମ୍ୱଲପୁର ଜିଲ୍ଲାରେ ସ୍ଥାପନ ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଜେପି ସରକାର ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ଦେଶ- ବିଦେଶର ଶିଳ୍ପଗୁଡ଼ିକୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଅନୁଷ୍ଠିତ "ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭସମୟରେ ରାଜ୍ୟକୁ ମୋଟ୍ ୧୬.୭୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୯୩ଟି ନିବେଶ ନେଇ ପ୍ରତିଶ୍ରୁତି ମିଳିଥିଲା । ରାଜ୍ୟ ସରକାର ସମ୍ମିଳନୀ ବେଳେ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ ସହିତ ୧୨.୮୯ ଲକ୍ଷ କୋଟି ଟଙ୍କାର ୧୪୫ଟି ପୁଞ୍ଜି ନିବେଶ ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏହି ବୁଝାମଣାପତ୍ରଗୁଡ଼ିକ​​​​​​​ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ, ବୟନଶିଳ୍ପ, ଖଣି, ନବୀକରଣଯୋଗ୍ୟ ଶକ୍ତି, ଆଇଟି, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଥିଲା । ଆଗାମୀ ଦିନରେ ୩୦ଟି ଜିଲ୍ଲାରେ ଏହି ସମସ୍ତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୧୨.୮୮ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଶିଳ୍ପ ବିଭାଗ ଆଶା ପ୍ରକାଶ କରିଛି ।

ଅନ୍ୟପଟେ ଏହି ଉତ୍ସବରେ ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ଫାର୍ମା ଶିଳ୍ପର ଶୁଭାରମ୍ଭ ହୋଇଛି । ଗୋଠପାଟଣାରେ ୨୦୦ କୋଟି ଟଙ୍କା ନିବେଶରେ ଏହି ଶିଳ୍ପରେ ପ୍ରାୟ ୧୨୮୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ଏହା ବ୍ୟତୀତ ଏସ୍‌ଇଏଫ୍‌ ଲିମିଟେକ୍ଟ, ଏପସିଲନ୍‌ କାର୍ବନ ଅଶୋକା ପ୍ରାଇଭେଟ୍‌ ଲିମିଟେଡ଼, ଗ୍ରୀନପ୍ଲାଏ ଗ୍ରୁପ୍‌, ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ମେଟାଲିକ୍ସ ଲିମିଟେଡ଼, ସୋଭା ସୋଲାର ଲିମିଟେଡ୍ ପ୍ରମୁଖ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥାପନ ହୋଇଛି । ନୂଆ ସରକାର ଆସିବା ପରେ ରାଜ୍ୟରେ ୫୮ଟି ପ୍ରକଳ୍ପ ମାଧ୍ୟମରେ ୧ ଲକ୍ଷ ୧୧ ହଜାର ୮୯୯ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହୋଇପାରିଛି ।