ନୂଆଦିଲ୍ଲୀ,୦୨/୦୯: ଚଳିତ ବର୍ଷ ଅଗଷ୍ଟରେ ସରକାର ସାମଗ୍ରୀ ଏବଂ  ସେବା ଟିକସ(ଜିଏସ୍‌ଟି)ରୁ ୧.୮୬  ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ଗତବର୍ଷ ଅଗଷ୍ଟ ତୁଳନାରେ ଏଥିରେ  ୬.୫% ବୃଦ୍ଧି ଘଟିଛି ।

ସୋମବାର ଜାରି  ହୋଇଥିବା ସରକାରୀ ତଥ୍ୟ ଅନୁସାରେ, ବର୍ଷେ ତଳେ ଅର୍ଥାତ ୨୦୨୪ ଅଗଷ୍ଟରେ  ସରକାର ୧.୭୫ ଲକ୍ଷ କୋଟି ଟଙ୍କାର  ଜିଏସ୍‌ଟି ସଂଗ୍ରହ କରିଥିଲେ । ସେହିଭଳି ୨୦୨୫ ଜୁଲାଇ ତୁଳନାରେ ଅଗଷ୍ଟରେ  ଜିଏସ୍‌ଟି ସଂଗ୍ରହରେ ୧୦ ହଜାର କୋଟି  ଟଙ୍କାର ହ୍ରାସ ଦେଖିବାକୁ ମିଳିଛି । ଜୁଲାଇରେ ୧.୯୬ ଲକ୍ଷ କୋଟି ଟଙ୍କାର  ଜିଏସ୍‌ଟି ଆଦାୟ ହୋଇଥିଲା । ଏହା  ପୂର୍ବରୁ ୨୦୨୫ ଏପ୍ରିଲରେ ରେକର୍ଡ  ୨.୩୭ ଲକ୍ଷ କୋଟି ଟଙ୍କା ଏବଂ ମେ’ରେ  ୨.୦୧ ଲକ୍ଷ କୋଟି ଟଙ୍କାର ପରୋକ୍ଷ  ଟିକସ ସଂଗ୍ରହ ହୋଇଥିଲା । ଜୁଲାଇ ମାସରେ ଦେଶରେ  ଜିଏସ୍‌ଟିକୁ ୮ ବର୍ଷ ପୂରଣ ହୋଇଛି । ୨୦୧୭ ଜୁଲାଇ ୧ରେ ଏହାକୁ  ଦେଶବ୍ୟାପୀ ଲାଗୁ କରାଯାଇଥିଲା ।  

୨୦୨୪-୨୫ରେ ମୋଟ ଜିଏସ୍‌ଟି  ସଂଗ୍ରହ ୨୨.୦୮ ଲକ୍ଷ କୋଟି ଟଙ୍କାରେ  ପହଞ୍ଚିଥିଲା, ଯାହା ୫ ବର୍ଷ ତଳେ ଅର୍ଥାତ୍‌  ୨୦୨୦-୨୧ରେ ମାତ୍ର ୧୧.୩୭ ଲକ୍ଷ  କୋଟି ଟଙ୍କା ଥିଲା ।  ଅର୍ଥାତ୍‌ ୫ ବର୍ଷରେ ଟିକସ ସଂଗ୍ରହ  ପ୍ରାୟ ୨ ଗୁଣା ହୋଇଛି । ୨୦୨୪-୨୫ରେ  ପ୍ରତି ମାସ ହାରାହାରି ଜିଏସ୍‌ଟି ଆଦାୟ  ୧.୮୪ ଲକ୍ଷ କୋଟି ଟଙ୍କା ରହିଛି । ଏହା  ୫ ବର୍ଷ ତଳେ ଅର୍ଥାତ୍‌ ୨୦୨୦-୨୧ରେ  ୯୫ ହଜାର କୋଟି ଟଙ୍କା ଥିଲା । ଜିଏସ୍‌ଟି ଲାଗୁ ହେବା ସମୟରେ  ଅର୍ଥାତ୍‌ ୨୦୧୭ରେ ପଞ୍ଜୀକୃତ  ଟିକସଦାତାଙ୍କ ସଂଖ୍ୟା ୬୫ ଲକ୍ଷ ଥିଲା,  ଯାହା ଏବେ ବଢ଼ି ୧.୫୧ କୋଟିରୁ ଅଧିକ  ହୋଇଛି । ଏହାଦ୍ୱାରା ସରକାରଙ୍କ ଟିକସ  ପରିସର ମଜଭୁତ ହୋଇଛି ।

ସରକାରଙ୍କ  କହିବାନୁସାରେ, ଜିଏସ୍‌ଟି ଲାଗୁ ହେବା  ପରେ ଟିକସ ସଂଗ୍ରହ ଏବଂ ଟିକସ ପରିସର  ଉଭୟରେ ବୃହତ୍‌ ବୃଦ୍ଧି ଦେଖିବାକୁ ମିଳିଛି ।  ଏହାଦ୍ୱାରା ଦେଶର ବିତ୍ତୀୟ ସ୍ଥିତି ସୁଦୃଢ଼  ହୋଇଛି ଏବଂ ଟିକସ ବ୍ୟବସ୍ଥା ଅଧିକ  ପାରଦର୍ଶୀ ଏବଂ ସହଜ ପାଲଟିଛି । ଇତିହାସର ସବୁଠାରୁ ବୃହତ୍‌ ଟିକସ  ସଂଗ୍ରହ ୨୦୨୫ ଏପ୍ରିଲରେ ହୋଇଛି ।  ସରକାର ଆଲୋଚ୍ୟ ସମୟରେ ୨.୩୭  ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ  କରିଥିଲେ । ବାର୍ଷିକ ଆଧାରରେ ଏଥିରେ ୧୨.୬% ବୃଦ୍ଧି ଘଟିଥିଲା ।  ଏହା ଜିଏସ୍‌ଟି ସଂଗ୍ରହରେ ରେକର୍ଡ ।