ନୂଆଦିଲ୍ଲୀ,୦୯/୧୦: ସମ୍ପ୍ରତି ସୁନା  ଏବଂ ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ  ପହଞ୍ଚିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା  ଦର ଲକ୍ଷେ ୨୪ ହଜାର ଟଙ୍କା ଛୁଇଁଛି । ରୁପା  ଲକ୍ଷେ ୭୦ ହଜାର ଟଙ୍କା । ଦିନକୁ ଦିନ ନୂଆ  ସ୍ତର ଛୁଇଁଚାଲିଛି ଉଭୟ ଧାତୁ ଦର । ତେବେ  ବିଶେଷଜ୍ଞଙ୍କ ସତର୍କବାଣୀ ଅନୁସାରେ, ଖୁବ୍‌ଶୀଘ୍ର  ସୁନା ଏବଂ ରୁପା ଦର ବଡ଼ ଆକାରରେ ଖସିଯିବ ।  ଆଗାମୀ ମାସରେ ହୁଏତ ଦର ୫୦% ପର୍ଯ୍ୟନ୍ତ ଖସିପାରେ । ଅଧିକାଂଶ ବ୍ରୋକର ଏବଂ ବଜାର ବିଶେଷଜ୍ଞ ବୃଦ୍ଧି ଧାରା ଜାରି ରହିବ ବୋଲି ପ୍ରକାଶ କରିଥିବାବେଳେ ପେସ୍‌୩୬୦ର ସହ-ପ୍ରତିଷ୍ଠାତା  ତଥା ଚିଫ୍‌ ଗ୍ଲୋବାଲ ଷ୍ଟ୍ରାଟେଜିଷ୍ଟ ଅମିତ ଗୋୟଲ  କହିଛନ୍ତି ଯେ, ସୁନା ଏବଂ ରୁପା ଦର ବୃଦ୍ଧିରେ  ବ୍ରେକ୍‌ ଲାଗିବ ଏବଂ ବଡ଼ ଆକାରରେ କ୍ରାସ  ଦେଖିବାକୁ ମିଳିବ ।

ପ୍ରକାଶଯୋଗ୍ୟ, ୨.୪  ବିଲିୟନ ଡଲାରରୁ ଊଦ୍ଧ୍ୱର୍ ମୂଲ୍ୟର ଆସେଟ୍‌  ପରିଚାଳନା କରିଥାଏ ପେସ୍‌ ୩୬୦ ।  ଗୋୟଲ ସତର୍କ କରିଛନ୍ତି ଯେ, ଉଭୟ  ମୂଲ୍ୟବାନ ଧାତୁ ଦଶନ୍ଧି ମଧ୍ୟରେ ସବୁଠାରୁ  ବିପଜ୍ଜନକ ଶୀର୍ଷରେ ଅଛି ।

ସେ ଆହୁରି କହିଲେ,  ଗତ ୪୦ ବର୍ଷରେ ଡଲାର ସୂଚକାଙ୍କ ଦୁର୍ବଳ ଥିବା  ସମୟରେ କେବଳ ଦୁଇ ଥର ସୁନା ଏବଂ ରୁପା  ଏଭଳି ପ୍ରଦର୍ଶନ କରିଛନ୍ତି । ଉଭୟ ସମୟରେ  ସୁନା ଏବଂ ରୁପା ଦରରେ କ୍ରାସ୍‌ ଦେଖିବାକୁ  ମିଳିଥିଲା । ଗୋୟଲଙ୍କ ଅନୁସାରେ, ସୁନା ଏବଂ ରୁପା  ଏଭଳି ସ୍ତରରେ ପହଞ୍ଚିଛି, ଯାହା ସଂକେତ ଦେଉଛି  ଯେ, ବଜାରର ‘ବୁଲ୍‌ ରନ୍‌’ ସମାପ୍ତ ହେବାକୁ  ଯାଉଛି । କିଛି ଦିନ କିମ୍ବା ସପ୍ତାହରେ ଉଭୟ  ଧାତୁ ଶୀର୍ଷ ସ୍ତରରେ ପହଞ୍ଚିଯିବ । ଏହାପରେ  ଆରମ୍ଭ ହୋଇଯିବ ପତନ । ଗୋୟଲଙ୍କ ଅନୁମାନ, ସୁନା ଦରରେ ୩୦ରୁ୩୫% ହ୍ରାସ ଘଟିପାରେ । ୨୦୦୭-୦୮  ଏବଂ ୨୦୧୦-୧୧ ବେଳେ ଏଥିରେ ପାଖାପାଖି  ୪୫% ହ୍ରାସ ଘଟିଥିଲା । ତେବେ ରୁପା ଆହୁରି  ଅଧିକ ଖସିବ ବୋଲି ଗୋୟଲ ଅନୁମାନ  କରିଛନ୍ତି ।

ସେ କହିଛନ୍ତି ଯେ, ରୁପା ୫୦%  ପର୍ଯ୍ୟନ୍ତ ଶସ୍ତା ହୋଇପାରେ । ଅର୍ଥାତ୍‌ ୧୦ ଗ୍ରାମ  ପିଛା ସୁନା ଦର ୭୭,୭୦୦ ଟଙ୍କାକୁ ଏବଂ ରୁପା  ୭୭,୪୫୦ ଟଙ୍କାକୁ ଖସିଆସିପାରେ । ବଜାରରେ ପୁନଃ ପ୍ରବେଶ କରିବା ପାଇଁ  ନିବେଶକ ଆଉନ୍ସ ପିଛା ସୁନା ୨,୬୦୦ରୁ୨୭୦୦  ଡଲାରକୁ ଖସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ  ବୋଲି ଗୋୟଲ ପରାମର୍ଶ ଦେଇଛନ୍ତି । ଉକ୍ତ  ସ୍ତରରେ ସୁନା ପୁଣି ବିଶ୍ୱର ଅନ୍ୟତମ ସର୍ବୋତ୍ତମ  ନିବେଶ ଆସେଟ୍‌ ପାଲଟିବ ବୋଲି ସେ କହିଛନ୍ତି ।