ନୂଆଦିଲ୍ଲୀ,୨୪/୧୦: ଗୁଗୁଲ୍‌ ନିକଟରେ ଏହାର କ୍ୱାଣ୍ଟମ୍‌ ଚିପ୍‌  ‘ୱିଲୋ’ ସହିତ ଏକ ବଡ଼ ଉପଲବ୍ଧି ହାସଲ କରିଛି । ଏହି ଚିପ୍‌କୁ ନେଇ  କମ୍ପାନି ଦାବି କରିଛି ଯେ, ଏହା ଏକ ବିଶିଷ୍ଟ କାର୍ଯ୍ୟକୁ ବିଶ୍ୱର ସବୁଠାରୁ  ଦ୍ରୁତ ସୁପର୍‌ କମ୍ପ୍ୟୁଟର ତୁଳନାରେ ୧୩,୦୦୦ ଗୁଣା ଅଧିକ ଗତିରେ ସମ୍ପୂର୍ଣ୍ଣ  କରିପାରିବ । ଏହି ସଫଳତାକୁ ‘ଭେରିଫାଏବଲ୍‌  କ୍ୱାଣ୍ଟମ୍‌ ଆଡ୍‌ଭାଣ୍ଟେଜ୍‌’ କୁହାଯାଉଛି । ଏହି ଚିପ୍‌  ‘କ୍ୱାଣ୍ଟମ୍‌ ଇକୋଜ୍‌’ ନାମକ ଏକ ନୂଆ ଆଲ୍‌ଗୋରିଦମ୍‌  ଚଳାଇଥିଲା, ଯାହା ଏକ ବିଶେଷ ଭୌତିକ  ସିମୁଲେଶନ୍‌କୁ ସୁପର୍‌ କମ୍ପ୍ୟୁଟରଠାରୁ ବହୁ ଗୁଣା ଦ୍ରୁତ ବେଗରେ କରିଥିଲା । ଏହି ଆଲ୍‌ଗୋରିଦମ୍‌ ପରମାଣୁ ଏବଂ ଆଣବିକ  ଇଣ୍ଟର୍‌ଆକ୍ସନର ଅଧ୍ୟୟନ କରିବାରେ ସାହାଯ୍ୟ କରିଥାଏ । ଏହା ଆଣବିକ  ସଂରଚନାକୁ ନେଇ ଅଧିକ ସୂଚନା ପାଇବା ପାଇଁ ନ୍ୟୁକ୍ଲିୟର ମ୍ୟାଗ୍‌ନେଟିକ୍‌  ରେଜୋନାନ୍ସ(ଏନ୍‌ଏମ୍‌ଆର୍‌)ର ଡାଟାକୁ ଉପଯୋଗ କରିଥାଏ ।

 

୨୦୧୯ରେ  ଗୁଗୁଲ୍‌ ‘ସାଇକେମୋର’ ଚିପ୍‌ ସହିତ ‘କ୍ୱାଣ୍ଟମ ସୁପ୍ରିମାସି’ ହାସଲ କରିବାର  ଦାବି କରିଥିଲା । ‘ୱିଲୋ’ର ଏହି ସଫଳତା ସତ୍ୟାପନଯୋଗ୍ୟ, ଯାହାର ଅର୍ଥ  ହେଉଛି ପରିଣାମଗୁଡ଼ିକୁ ଅନ୍ୟ କ୍ୱାଣ୍ଟମ ସିଷ୍ଟମ୍‌ରେ ଦୋହରାଯାଇପାରିବ ।