ପୁରୀ, ୧୮/୦୭ : ମାନିଲେନି ବ୍ୟବସ୍ଥାବଳୀ । ରଥ ଉପରେ ଶ୍ରୀଜିଉମାନଙ୍କ ସହ ଉଠାଇଲେ ଫଟୋ ଓ ଭିଡିଓ । ରଥାରୂଢ଼ ହୋଇ ମହାପ୍ରଭୁ ଆସୁଥିବା ବେଳେ ଅନେକ ସେବାୟତ ତାଙ୍କୁ ପଛ କରି ମଧ୍ୟ ବସିଥିଲେ । ଏହା ଶ୍ରୀମନ୍ଦିର ପରିଚାଳନା କମିଟି ପାରିତ କରିଥିବା ବ୍ୟବସ୍ଥାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଛି । ରଥ ଉପରେ ମୋବାଇଲ ବ୍ୟବହାର ଓ ଫଟୋ ଉଠାଇବାକୁ ପ୍ରଶାସନ ସମ୍ପୂର୍ଣ୍ଣ ନିଷିଦ୍ଧ କରିଥିଲା । ଏପରି କାର୍ଯ୍ୟ କଲେ ସମ୍ପୃକ୍ତ ସେବାୟତଙ୍କ ମୋବାଇଲ ଜବତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଥିଲା । ସେହିପରି ରଥ ଟଣା ବେଳେ ଓ ରଥ ରହିବା ବେଳେ ଶ୍ରୀଜିଉମାନଙ୍କ ଆଗରେ ଠିଆ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଅନ୍ତରାୟ ସୃଷ୍ଟି ନକରିବାକୁ ବ୍ୟବସ୍ଥାବଳୀରେ କୁହାଯାଇଥିଲା । ବାଡ଼ଗ୍ରାହୀମାନଙ୍କୁ ଏନେଇ ପ୍ରଶାସନ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଥିଲା । ନିଜେ ଅପଦସ୍ତ ନହେବାକୁ ପ୍ରଶାସନ ଏହି ଫନ୍ଦି କରିଥିଲା । 

ପ୍ରାଶାସନିକ ଏହି ଅସାଧୁମେଣ୍ଟ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ମହାପ୍ରଭୁଙ୍କ ସର୍ବଦା ପାଖରେ ଦର୍ଶନ କରୁଥିବା ସେବକମାନେ ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥାରେ ଅନ୍ତର ସୃଷ୍ଟି ନକରିବା ଦିଗରେ ପ୍ରଶାସନ ଉଚିତ୍‌ ପଦକ୍ଷେପ ନେବା ଜରୁରି ବୋଲି ଶ୍ରଦ୍ଧାଳୁମାନେ ମତ ରଖିଛନ୍ତି । ସେହିପରି ଗଣମାଧ୍ୟମରେ ରଥାରୂଢ଼ ଭଗବାନଙ୍କୁ ଦର୍ଶନ କରିବାର ସିଧା ପ୍ରସାରଣ ହେଉଥିବାରୁ ଓ ରଥ ତଳେ ରହି ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରୁଥିବାରୁ ରଥ ଉପରେ ସେଲ୍ଫି ଓ ଭିଡିଓ ଉତ୍ତୋଳନକୁ ପ୍ରଶାସନ ରୋକିବା ଉଚିତ୍‌ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଆହୁରି ପଢନ୍ତୁ- Ratha yatra 2026: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ରଥରୂଢ଼ ଦାରୁବ୍ରହ୍ମ, ରବିବାରଠୁ ମିଳିବ ଆଡ଼ପ ଦର୍ଶନ, ଅବଢ଼ା

ହଜିଗଲା ମାଳିନୀ ନଈ, ଲୁଚିଛି ରଥଯାତ୍ରାର ଇତିହାସ​​​​​​​