ନୂଆଦିଲ୍ଲୀ: ଗତ ମଙ୍ଗଳବାର, ଅର୍ଥାତ ଅକ୍ଟୋବର ୨୮ ତାରିଖରେ ସାର୍ବଜନୀନ କ୍ଷେତ୍ରର IDBI ବ୍ୟାଙ୍କର ସେୟାରରେ ତୀବ୍ର ବୃଦ୍ଧି ଦେଖାଯାଇଥିଲା। ବ୍ୟାଙ୍କର ଷ୍ଟକ୍ ୮% ପର୍ଯ୍ୟନ୍ତ ବୃଦ୍ଧି ପାଇ ୧୦୪.୧୫ ଟଙ୍କା ଯାଏ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଏହି ବୃଦ୍ଧି ପଛରେ ନିକଟରେ ପ୍ରକାଶିତ ଏକ ରିପୋର୍ଟର କାରଣ ରହିଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ସରକାର ଖୁବ୍ ଶୀଘ୍ର IDBI ବ୍ୟାଙ୍କରେ ଥିବା ନିଜର ଅଂଶଧନ ବିକ୍ରି କରିବା ପାଇଁ ବିଡ୍ ଆମନ୍ତ୍ରଣ କରିବେ।

ନିକଟରେ ଜାରି ହୋଇଥିବା ଏକ ରିପୋର୍ଟ ମୁତାବକ, ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ (DIPAM) ଏବଂ ଆର୍ଥିକ ସେବା ବିଭାଗ (DFS) ର ଅଧିକାରୀମାନେ ଅକ୍ଟୋବର ୩୧ ତାରିଖରେ ଏନେଇ ଏକ ବୈଠକ କରିବାକୁ ୟାଉଛନ୍ତି। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବିଡିଂ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ଏବଂ ସେୟାର କ୍ରୟ ଚୁକ୍ତିନାମାକୁ ଅନୁମୋଦନ କରିବା। ଏହି ବୈଠକରେ ସଂକ୍ଷିପ୍ତ ତାଲିକାଭୁକ୍ତ ନିବେଶକଙ୍କଠାରୁ କେବେ ଆର୍ଥିକ ବିଡ୍ ଆମନ୍ତ୍ରଣ କରାଯିବ ତାହା ମଧ୍ୟ ସ୍ଥିର କରାଯିବ। ସରକାରୀ ଅଧିକାରୀମାନେ ଦେଇଥିବା ସୂଚନା ଅନୁଯାୟୀ, ଅଧିକାଂଶ ପ୍ରାରମ୍ଭିକ କାର୍ଯ୍ୟ ପୂର୍ବରୁ ସମାପ୍ତ ହୋଇସାରିଛି, ଏବଂ ଏହି ବୈଠକ ଘରୋଇକରଣ ପ୍ରକ୍ରିୟାକୁ ଆଗକୁ ବଢାଇବା ପାଇଁ କଥାବର୍ତ୍ତା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷିରେ ଅଲ୍ ଇଣ୍ଡିଆ ଆଇଡିବିଆଇ ଅଫିସର୍ସ ଆସୋସିଏସନ୍ (ଏଆଇଆଇଓଏ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ "ଜାତୀୟ ସ୍ୱାର୍ଥକୁ ବଜାୟ ରଖିବାକୁ" ଏବଂ ଜମାକାରୀ, କ୍ଷୁଦ୍ର ଋଣଗ୍ରହୀତା ଏବଂ କର୍ମଚାରୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆଇଡିବିଆଇ ବ୍ୟାଙ୍କକୁ ଯେକୌଣସି ସରକାରୀ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ ବିଚାର କରିବାକୁ ଅନୁରୋଧ କରିଛି। ଏହା ପୂର୍ବରୁ IDBI ବ୍ୟାଙ୍କର MD ଏବଂ CEOଙ୍କ ସହ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବଙ୍କୁ ମଧ୍ୟ ସମାନ ଅନୁରୋଧକୁ  କରାଯାଇଥିଲା।

ଆପଣଙ୍କୁ ଜଣାଇରଖୁ ଯେ, IDBI ବ୍ୟାଙ୍କର ଘରୋଇକରଣ ୨୦୨୧ ମସିହାରୁ ଜାରି ରହିଛି। ତେବେ ନିକଟରେ ଏହାର SPAର ଅନୁମୋଦନ ଏବଂ ନିଲାମ ପାଇଁ ଆମନ୍ତ୍ରଣ ଏହି ଦୀର୍ଘ ପ୍ରତୀକ୍ଷାର ଶେଷ ପର୍ଯ୍ୟାୟ ବୋଲି ଜଣାପଡିଛି। ତେବେ ବହୁ ଜଲଦି IDBI ବ୍ୟାଙ୍କକୁ କୌଣସି ଘରୋଇ ସେକ୍ଚରକୁ ବିକ୍ରୟ କରାଯିବ ବୋଲି ଅନୁମାନ କରାଯାଉଛି।