ରାୟଗଡ଼ା,୨/୧୦ : ଗତ ୨୪ଘଣ୍ଟା ଧରି ରାୟଗଡ଼ା ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଆଜି ସକାଳ ୧୦ଟାଠାରୁ ଅଦ୍ୟାବଧି ବର୍ଷା ଲାଗି ରହିଛି । ଏଥିଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ କ୍ଷୟକ୍ଷତି ମଧ୍ୟ ହୋଇଥିବା ଜଣାପଡ଼ିଛି । ରାୟଗଡ଼ା ସହର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିର ନିକଟରେ ଲଗାଣ ବର୍ଷାରେ ପାହାଡ଼ ଧସି ରେଳ ଟ୍ରାକ୍ ଉପରେ ପଥର ପଡ଼ିଥିବା ଦେଖିବାକୁ ମିଳିଛି ।

ପାହାଡ଼ରୁ ଭୁସ୍ଖଳନ ଯୋଗୁଁ ବଡ଼ ବଡ଼ ପଥର ରେଳ ଧାରଣା ଉପରେ ପଡ଼ି ଟ୍ରାକ ଭାଙ୍ଗିଯିବା ସହ ଟ୍ରାକ ଉପରେ ମାଟି ଅତଡ଼ା ଜମା ହୋଇଛି । ଫଳରେ ବିଶାଖାପାଟଣାଠାରୁ ରାୟଗଡ଼ା ଦେଇ ଯାଉଥିବା ରେଳ ରୁଟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ସିଙ୍ଗଲ ଲାଇନରେ ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି। ଘଟଣାସ୍ଥଳରେ ରାୟଗଡ଼ା ରେଳ ଡିଭିଜନ ଡିଆରଏମ ଅମିତାଭ୍ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀମାନ‌େ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପଟେ ଲଗାଣ ବର୍ଷା ହେବା ଫଳରେ ରାୟଗଡ଼ା ବ୍ଲକ ପିପଲଗୁଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମର କାୟଲା ମାଣ୍ଡାଙ୍ଗିଙ୍କ ଘର ଭୁଷୁଡ଼ି ପଡ଼ିଛି । ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି । ପିପଲଗୁଡ଼ା ଅଞ୍ଚଳରେ ଭୁସ୍ଖଳନ ଘଟି ରାସ୍ତା ଉପରେ ମାଟି ଅତଡ଼ା ଖସିଥିବା ଦେଖିବାକୁ ମିଳିଛି।

ସେହିଭଳି ଗୁଣପୁର ବ୍ଲକ ଟିଟିମିରିଠାରୁ ଭୀମପୁରଗୁଡା ସଂଯୋଗ କରୁଥିବା ରାସ୍ତା ଧୋଇଯାଇଛି । ଫଳରେ ଉଭୟ ଗ୍ରାମକୁ ସଂଯୋଗ ବିଛିନ୍ନ ହୋଇଛି । ଲଗାଣ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ନାଳମାନଙ୍କରେ ପାଣି ଆସିବା ଯୋଗୁଁ ଜିଲ୍ଲାରେ ଗ୍ରାମାଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ବର୍ଷା ସହ ପବନ ହେଉଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି।