ନୂଆପଡ଼ା ୦୯/୧୧(ମୁକେଶ ପରିଡ଼ା ): ଯୁଆଡ଼େ ଚାହିଁବ ଫ୍ଲେକ୍ସ, ହୋର୍ଡିଂ, ପତାକା, କଟ୍ଆଉଟ । ଦଳୀୟ ଚିହ୍ନ, ପ୍ରାର୍ଥୀଙ୍କ ଫଟୋ ଛାଇଯାଇଛି । ଟିକିଏ ନିରସ ପଡ଼ିଥିବା ଫଟୋ, ହୋର୍ଡିଂ ଉପରେ ସାନି ହୋର୍ଡିଂ ଲାଗୁଛି । ଧମାଧମ୍ ପ୍ରଚାରକୁ ଧୁମ୍ ଧାମ୍ ଆୱାଜ । ଗାଡ଼ିମୋଟରର ଲମ୍ବା ଧାଡ଼ି । ପାର୍ଟି ଅଫିସରେ ମେଳା, ମହୋତ୍ସବ ସ୍ଥିତି । ଦୁଲୁକୁଛି ଖରିଆର ରୋଡରୁ ନୂଆପଡ଼ା, କୋମନାରୁ ସୁନାବେଡ଼ା । ଚାରିଆଡ଼େ ମାଳମାଳ ନେତା, କର୍ମୀ । ଯେମିତି ନେତାଙ୍କ ମହାକୁମ୍ଭ ଲାଗିଛି । ପ୍ରଚାର ନୀରବିବା ଆଗରୁ ଶେଷ ପର୍ଯ୍ୟାୟରେ କମ୍ପୁଛି ନୂଆପଡ଼ା । ଏମିତି ହାଇବଜେଟ, ହାଇପ୍ରୋଫାଇଲ୍, ହାଇଟେକ୍ ନିର୍ବାଚନ କେବେ ଦେଖିନଥିଲେ ନୂଆପଡ଼ାବାସୀ ।
ଲଖନା ଷ୍ଟେସନ ରାସ୍ତାରେ ଯିବାବେଳେ ବାଟରେ ଦେଖା ହେଲେ ୬୨ ବର୍ଷୀୟ ରବୀନ୍ଦ୍ର ସୋନାନୀ । ସାଇକେଲରେ ରଙ୍ଗ ବ୍ରସ, ରଙ୍ଗ ଡବା ଧରି ଯାଉଥିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନିର୍ବାଚନୀ ପ୍ରଚାର ପାଇଁ କାନ୍ଥରେ ଚିତ୍ର ଆଙ୍କିବାକୁ । କହିଲେ, ୮୦ ଦଶକରୁ ସେ ଏ କାମ କରୁଛନ୍ତି । କିନ୍ତୁ, ଆଉ ଆଗ ଭଳି ନିର୍ବାଚନୀ କାନ୍ଥ ରଙ୍ଗ କାମ ମିଳୁନି । ଖାଲି ଘାସିରାମ ହିଁ କାନ୍ଥ ଲେଖା କାମ ଦେଉଛନ୍ତି । ଏବେ ସୁଦ୍ଧା ୧୬୦ଟି କାନ୍ଥରେ ନିର୍ବାଚନୀ ପ୍ରଚାର ଲେଖି ସାରିଲେଣି ।
ଏଥର ନିର୍ବାଚନ କଥା ପଚାରିବାରୁ କହିଲେ, ବାପ୍ରେ ବାପ, ଏଭଳି ଭୋଟ ଦେଖିନୁ । ଏତେ ନେତା, ଏତେ ଗାଡ଼ି, ପୁଣି ଏଭଳି ଘନଘନ ପ୍ରଚାର । ନୂଆପଡ଼ା ଭାଗ୍ୟ ବଦଳିଯିବ ବୋଧେ? କୋମନା ବ୍ଲକର କୁରୁମପୁରୀ ପଞ୍ଚାୟତର ଭଜପୁର ଘାଟିପଡ଼ା ଗାଁ । ଏହି ପାହାଡ଼ ତଳି ଗାଁ ଭିତରକୁ ଯିବାବେଳେ ଦେଖିଲୁ, ଖାଲି ଦଳୀୟ ପତାକା ଝୁଲିଛି। ଗାଁ କାନ୍ଥରେ ନିର୍ବାଚନୀ ଚିହ୍ନ, ପୋଷ୍ଟର । ଗାଁରେ ପ୍ରାୟ ୭୦ ଘର । ଚାଷ ମୁଖ୍ୟ ବେଉସା, ତା’ ବାଦ୍ କିଏ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି, ଆଉ କିଏ ନୂଆପଡ଼ାରେ ନିର୍ମାଣ ଶ୍ରମିକ ।
ଘର ଆଗରେ ନାତି ଟୋକାକୁ ଧରି ବସିଥିଲେ ତେଜରାମ ଖରସେଲ ମଉସା । କହିଲେ, ବହୁତ ଭୋଟ ଦେଖିଛୁ । ଏଥର ପୂରା ଅଲଗା । ସକାଳ ୮ରୁ ରାତି ୯ ଯାଏଁ ନେତା ଚକ୍କର କାଟୁଛନ୍ତି । ଖାଲି ଏଠିକା ନେତା ନୁହନ୍ତି, ବହୁ ବାହାର ନେତା ବି ଆସୁଛନ୍ତି । ସାରା ରାଇଜର ନେତା, ଛତିଶଗଡ଼ୀ ନେତାଙ୍କୁ ଦେଖୁଛୁ । ଏତେ ଗାଡ଼ିମୋଟର, ପ୍ରଚାର କେବେ ଆମେ ଦେଖିନଥିଲୁ ।
୧୯୯୭ରେ ଶେଷ ଥର ପାଇଁ ଉପନିର୍ବାଚନ ଦେଖିଥିଲା ନୂଆପଡ଼ା । ଜଗନ୍ନାଥ ପଟ୍ଟନାୟକ କଂଗ୍ରେସରୁ ଜିତି ମନ୍ତ୍ରୀ ହୋଇଥିଲେ । ୨୮ ବର୍ଷ ପରେ ନୂଆପଡ଼ା ଉପନିର୍ବାଚନ ସାମ୍ନା କରୁଛି । ମାତ୍ର ନୂଆପଡ଼ା ନିର୍ବାଚନୀ ଇତିହାସର ସବୁଠାରୁ ଚାଲେଞ୍ଜିଂ ଓ ବ୍ୟୟବହୁଳ ନିର୍ବାଚନ ଏଥର ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ଦୁଇ ଥର ଗସ୍ତ, ବିରୋଧୀ ଦଳ ନେତାଙ୍କ ଦୁଇ ଥର ଗସ୍ତ ଏବଂ ପିସିସି ସଭାପତି ଦେଢ଼ ମାସ ହେବ ଡେରା ପକାଇ ବସିଛନ୍ତି ।
ବିଜେପି ରାଜ୍ୟ ସଭାପତି, ମାଳମାଳ ବିଧାୟକ, ମନ୍ତ୍ରୀ, ଦଳୀୟ ପଦାଧିକାରୀ ଡେରା ପକାଇ ଅଛନ୍ତି । ବିଜେଡିର ବି ପ୍ରାୟ ସବୁ ବିଧାୟକ, ମିଡିଆ ଟିମ୍, ବରିଷ୍ଠ ନେତା ନୂଆପଡ଼ା ଜଗିଛନ୍ତି । ଖାଲି ସେତିକି ନୁହେଁ, ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ବି ପ୍ରଚାରରେ ବୁଲୁଛନ୍ତି । ଭୁବନେଶ୍ୱର ସମେତ ସାରା ରାଜ୍ୟରୁ ଏତେ ନେତା, କର୍ମୀ ଠୁଳ ହୋଇଛନ୍ତି, ହୋଟେଲ, ଲଜ୍ ରୁମ୍ ମିଳିବା ତ ଦୂର କଥା, ଭଡ଼ା ଘର ବି ପାଇବା ମୁସ୍କିଲ । ପେଟ୍ରୋଲ ପମ୍ପ ହେଉ କି ମଦ କାଉଣ୍ଟର, ସବୁଠି ଅସମ୍ଭାଳ ଭିଡ଼ । ହୋଟେଲ, ଚା’ ଦୋକାନୀ ବି ଚାହିଦା ପୂରଣ କରିପାରୁନାହାନ୍ତି । ଟ୍ରାଲେଭ୍ସରେ ଗାଡ଼ି ନାହିଁ । ସହରରେ ସବୁ ଚାରିଚକିଆ ପ୍ରାୟତଃ ରାଜନୈତିକ ପାର୍ଟିର ଭଡ଼ାରେ । ଖାଲି କ’ଣ ସେତିକି, ସବୁ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଓ ଡିଜିଟାଲ୍ ମିଡିଆର ମହାକୁମ୍ଭ ଲାଗିଛି । ମିନି କ୍ୟାପିଟାଲ ପାଲଟିଯାଇଛି ନୂଆପଡ଼ା ।
ଏଥର ପ୍ରଚାର, ବୟାନବାଜି ବି ପୂରା ତଗଡ଼ା । ପରସ୍ପର ବିରୋଧରେ ବିଷ ଉଗାଳିବା ସହ ସମାଲୋଚନାର ସବୁ ସୀମା ଟପୁଛି ରାଜନୀତି । ସରଳ ନିରୀହ ନୂଆପଡ଼ାବାସୀ ଏମିତି ନିର୍ବାଚନ କେବେ ଦେଖିନଥିଲେ ।
ଶୁକ୍ରବାର ଆସିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନୂଆପଡ଼ାରୁ ଖରିଆର ରୋଡ ବିଜେଡି ପତାକା, ହୋର୍ଡିଂ ଭର୍ତ୍ତି ଥିଲା । ଶନିବାର ସକାଳେ ଆଖି ଖୋଲିଲାବେଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱାଗତ ପାଇଁ ନୂଆପଡ଼ା ସଜେଇ ହୋଇଥିଲା । ସବୁଠି ବିରାଟ ବିରାଟ ହୋର୍ଡିଂ, ଫ୍ଲେକ୍ସ, କଟ ଆଉଟ୍ । ‘ୱେଲକମ୍ ମୋହନ ଦାଦା, ଲୋକଙ୍କର ମୁଖ୍ୟମନ୍ତ୍ରୀ’ ଗୀତରେ ଝୁମୁଥିଲା ନୂଆପଡ଼ା ।
କଂଗ୍ରେସ ବି ଅନେକ ଛକ ବଜାରରେ ନୂଆ ପତାକା, ପୋଷ୍ଟର ଲଗାଇଥିଲା । ଆଜି ସବୁ ଦଳ ଧମାଧମ୍ ପ୍ରଚାର ଚଳାଇଛନ୍ତି । ପ୍ରଚାର ଗାଡ଼ି ସବୁ ରୁଟରେ ଘନଘନ ଗଡ଼ୁଛି । ପାର୍ଟି ଅଫିସ ହାଉଯାଉ । ହୋଟେଲ ବଜାରରେ ଭିଡ଼ । ଏମିତି ଆଉ କିଛି ଘଣ୍ଟା ଚାଲିବ । କାଲି ସନ୍ଧ୍ୟାରେ ନୀରବିବ ନୂଆପଡ଼ା ।