ଜଗତସିଂହପୁର ୨୦।୪: ରାଜ୍ୟରେ ପାରଦ ଉପରମୁହାଁ ହୋଇ ରହିଛି। ଆକାଶରୁ ହେଉଛି ଅଗ୍ନି ବର୍ଷା । ତା’ ସହ ପ୍ରଚଣ୍ଡ ତାତି ସାଙ୍ଗକୁ ଝାଞ୍ଜି ପବନ। ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟବସ୍ତ । ସତେ ଯେପରି ତତଲା କଡେଇରେ ଭାଜି ହେଉଛି । ପ୍ରାୟ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ପାର କରୁଥିବା ଦେଖିବାକୁ ମିଳୁଛି ।
ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଖୋଲିବା ସମୟ ବଦଳିଛି। ଜିଲ୍ଲାର ସମସ୍ତ ସ୍କୁଲ ସକାଳ ୬ଟା ୩୦ମିନିଟ୍ରୁ ସକାଳ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ପିଇବା ପାଣି ଓ ଓଆରଏସ୍ ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ସ୍କୁଲ ମାନଙ୍କରେ ଏସବୁ ନିର୍ଦ୍ଦେଶ ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ସେହିପରି ସ୍କୁଲ ଖୋଲା ରହିବା ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ଏବଂ ପିଲାମାନେ କିପରି ଖରା ଠାରୁ ଦୂରେଇ ରହିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ଛୁଟି ଘୋଷଣା କରିଛନ୍ତି। । ଏସବୁ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପିରିକି କିଛି ଜିଲ୍ଲାପାଳ କେବଳ ସ୍କୁଲ ହିଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ଜିଲ୍ଲାରେ ସକାଳୁଆ ହେବାକୁ ନିଷ୍ପତ୍ତି ନିଆଯାଇଛି ।