ପାରାଦୀପ, ୧୫।୪ : ପାରାଦୀପ ସମୁଦ୍ର ଉପକୂଳରୁ ବେଆଇନ ଭାବରେ ମାଛ ଧରା ଡଙ୍ଗାରେ ଚାଲାଣ ହେଉଥିବା ଦୁଇ ଗୁଆ ଭର୍ତ୍ତି ବୋଟ ଜବତ ହୋଇଛି। ଜବତ ଗୁଆର ମୂଲ୍ୟ ପ୍ରାୟ ୮ ଲକ୍ଷ ୫୨ ହଜାର ଟଙ୍କା ହେବା ନେଇ ଅନୁମାନ କରାଯାଉଛି।
ବୁଧବାର ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ବଙ୍ଗୋପସାଗରରେ ନିୟମିତ ପାଟ୍ରୋଲିଂ ସମୟରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁଇଟି ସନ୍ଦିଗ୍ଧ ମାଛ ଧରା ଡଙ୍ଗାକୁ ଅଟକାଇଥିଲେ। ଆଉ ଚଢ଼ାଉ ସମୟରେ ଏହି ଦୁଇ ଡଙ୍ଗା ରୁ ୭୧୦ ବସ୍ତା ଚୋରା ଗୁଆ ମିଳିଥିଲା। ଡଙ୍ଗାଗୁଡ଼ିକ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଜଣା ପଡିବା ସହିତ ପଞ୍ଜିକୃତ କିମ୍ବା କୌଣସି ବୈଧ କାଗଜପତ୍ର ବିନା ଉକ୍ତ ଡଙ୍ଗା ଚାଲୁଥିବା ଜଣାପଡ଼ିଛି। ଉକ୍ତ ଡଙ୍ଗାଗୁଡ଼ିକ ଏବଂ କର୍ମଚାରୀମାନଙ୍କୁ ଅଧିକ ତଦନ୍ତ ପାଇଁ ଓଡ଼ିଶାର କସାଫଳ ସାମୁଦ୍ରିକ ପୋଲିସ ଥାନାକୁ ହସ୍ତାନ୍ତର କରାଯାଇଛି।