ଭୁବନେଶ୍ଵର : ପିଲାମାନଙ୍କୁ ପକେଟ୍‌ ମନି ତ ଦେଉଛନ୍ତି, କିନ୍ତୁ କେବେ ଭାବିଛନ୍ତି ଏହି ପକେଟ୍‌ ମନି କେଉଁ ବୟସରେ କେତେ ହେବା ଦରକାର? ଚାଲନ୍ତୁ ସେ ବିଷୟରେ ବିଚାର କରିବା । ପ୍ରତ୍ୟେକ ବାପାମା’ ଓ ପରିବାରରେ ପିଲାଙ୍କ ଲାଳନପାଳନର ଶୈଳୀ ଅଲଗା ଅଲଗା ହୋଇଥାଏ । ତଥାପି କେତେକ ବିଷୟରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ଯେମିତିକି ପିଲାଙ୍କୁ ପକେଟ୍‌ ମନି ଦେବା ଉଚିତ୍‌ କିମ୍ବା ଅନୁଚିତ୍‌ । ଯଦି ଦେବା ଉଚିତ୍‌, ତେବେ କେଉଁ ବୟସରେ କେତେ ଦେବା ଆବଶ୍ୟକ? କେତେକ ବାପମା’ ପିଲାଙ୍କୁ ଆବଶ୍ୟକଠାରୁ ଅଧିକ ଟଙ୍କା ପକେଟ୍‌ ମନି ଦେଇଥାନ୍ତି, ଯାହାର ହିସାବ ମଧ୍ୟ ପିଲାକୁ ମାଗି ନଥାନ୍ତି । ସେହିଭଳି କେତେକ ବାପାମା’ ପିଲାକୁ ଟଙ୍କାକର ହିସାବ ମଧ୍ୟ ମାଗିଥାନ୍ତି । ଉଭୟ ସ୍ଥିତିର ଚିନ୍ତାଧାରା ପିଲାଙ୍କୁ ଅତିଷ୍ଠ କରିଥାଏ । ବାପାମା’ ପିଲାର ଲାଳନପାଳନ କରିବା ସମୟରେ କେତେକ ନିଦ୍ଧିଷ୍ଟ ନିୟମ-କାନୁନ୍‌ ରଖିବା ଆବଶ୍ୟକ । କିନ୍ତୁ ସେହି ନିୟମ ଅତ୍ୟନ୍ତ ଶକ୍ତ ହେବା ଅନାବଶ୍ୟକ । ନଚେତ୍‌ ପିଲା କଥା ଲୁଚାଇବା ପାଇଁ ମିଛର ପ୍ରଶ୍ରୟ ନେଇପାରେ ।

ଆମେରିକାର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ସର୍ଭେ ଅନୁସାରେ ୭ ବର୍ଷ ବୟସ ପରେ ପିଲା ଭିତରେ ଟଙ୍କାପଇସା ଓ ହିସାବନିକାସକୁ ନେଇ ବୁଝିବା ଶକ୍ତି ବିକଶିତ ହୋଇଥାଏ । ସେମିତି ବି ପିଲା କମ୍‌ ବୟସରୁ ଆର୍ଥିକ ନିୟନ୍ତ୍ରଣ ଶିଖିବା ଦ୍ୱାରା ଆଗାମୀ ଦିନରେ ସେ ନିଜର ଆର୍ଥିକ ଦିଗକୁ ମଜଭୁତ କରିବାରେ ବେଶ୍‌ ପାରଙ୍ଗମ ହୋଇପାରିବେ । 

କେତେ ଓ କେବେ ଦେବେ 
ପକେଟ ମନି ଯଦି ପିଲାକୁ ସୀମିତ ଅର୍ଥ ଖର୍ଚ୍ଚ କରିବାକୁ ଦିଆଯାଏ, ତେବେ ସେ ଠିକ୍‌ ଭାବେ ଆତ୍ମନିର୍ଭର ହେବା ସହ ସଞ୍ଚୟ କରିବା ଶିଖିଯାଇଥାଏ । ବିଶେଷ ଧ୍ୟାନ ଦିଅନ୍ତୁ । ୧. ପିଲାକୁ ୭/୮ ବର୍ଷ ବୟସ ହେବା ପରେ ପକେଟ୍‌ ମନି ଦେବା ଆରମ୍ଭ କରିପାରିବେ । କିନ୍ତୁ ପିଲାଙ୍କୁ ବୁଝାନ୍ତୁ ଯେ ସେ ପଇସାକୁ ସ୍କୁଲ ବା ଟ୍ୟୁସନକୁ ନେବା ଅନୁଚିତ୍‌ । ସେ ପକେଟ ମିନି ଖଚ୍ଚ୍‌ର୍ କରିବା ବେଳେ ଆପଣଙ୍କୁ ଜଣାଇବା ଆବଶ୍ୟକ ବୋଲି ବୁଝାନ୍ତୁ । ଏହି ବୟସରେ ପିଲାକୁ ନିୟମିତ ୨୦ରୁ ୩୦ ଟଙ୍କା ଯାଏ ଦେଇପାରିବେ । କିନ୍ତୁ ଏହାକୁ ନିୟମିତ ଦେବା ଅପେକ୍ଷା ସପ୍ତାହକୁ ଥରେ ଦେବା ଉଚିତ୍‌ । କାରଣ ଏହି ପଇସାରେ ପିଲା ଚିପ୍ସ, ଚକୋଲେଟ୍‌ ପରି ଜିନିଷ କିଣି ଖାଇଥାନ୍ତି । ଚେଷ୍ଟା କରନ୍ତୁ ପିଲା ଯେପରି ତା’ ପକେଟ ମନିକୁ ସଞ୍ଚୟ କରିବା ଶିଖିବ ।

୨. କିଶୋର ବୟସରେ ପିଲାକୁ ପକେଟ ମନି ଦେବା ପୂର୍ବରୁ ତା’ ଖର୍ଚ୍ଚ କରିବାର ଦିଗ ବିଷୟରେ ଜାଣନ୍ତୁ । ଯଦି ପିଲାକୁ ସ୍କୁଲ ବା କଲେଜ ଯିବାଆସିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥାଏ, ତେବେ ଏହାକୁ ମଧ୍ୟ ପକେଟ ମନିରେ ମିଶାଇ ଦିଅନ୍ତୁ । ଏହି ଖର୍ଚ୍ଚ ସପ୍ତାହକୁ ଥରେ ଦେଲେ ହିସାବ ନେବା ସହଜ ହେବ ।

୩. ପିଲାକୁ ମାତ୍ରାଧିକ ଭଲ ପାଇବା ଦେଖେଇ ହେବାକୁ ଯାଇ ଆବଶ୍ୟକତାଠାରୁ ଅଧିକ ଟଙ୍କା ଦେବା ଅନୁଚିତ୍‌ । ଯଦି ପିଲାର କୌଣସି ବଡ଼ ଖର୍ଚ୍ଚ ରହିଥାଏ, ତେବେ ନିଜ ଦେଖାରଖାରେ କରନ୍ତୁ ।

୪. ପକେଟ ମନି ଦେବା ପୂର୍ବରୁ ପିଲାର ସମୁଦାୟ ଖର୍ଚ୍ଚର ଦିଗ ନିରୂପଣ କରି ନିଅନ୍ତୁ । ଯଦି ପିଲାର ପକେଟ ମନି କେବଳ ସଉକ୍‌ ପୂରଣ ପାଇଁ ହୋଇଥାଏ, ତେବେ ବୁଝିବିଚାରି ଟଙ୍କା ଦିଅନ୍ତୁ।