ଖଲ୍ଲିକୋଟ, ୯/୯ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ସାପ ଆତଙ୍କ। ସୋମବାର ରାତିରେ ଖଲ୍ଲିକୋଟ ଅଞ୍ଚଳରେ ଦୁଇଟି ସର୍ପଜନିତ ଘଟଣା ଘଟିଛି। ଖଲ୍ଲିକୋଟ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ଵାର୍ଟରରୁ ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ବନ ବିଭାଗ ଏହାକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡ଼ିଛନ୍ତି। ସେପଟେ ବାଣିଆ ବାଉଁଶିଆପଲ୍ଲୀ ଗ୍ରାମରେ ଘର ଭିତରେ ଆଇ ନାତୁଣୀ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ଦଂଶିବାରୁ ଆଇଙ୍କ ମୃତ୍ୟୁ ଘଟିଛି। ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ସୋମବାର ରାତିରେ ଖଲ୍ଲିକୋଟ ମେଡିକାଲର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ୱାର୍ଟର ଭିତରେ ଥିବା ବେଳେ ଏକ ବିରାଟ ଅଜଗର ସାପ ପଶି ଯାଇଥିଲା । ଅଜଗର ସାପକୁ ଦେଖି ସେ ଭୟଭୀତ ହୋଇ ଘର ଭିତରେ କବାଟ ବନ୍ଦ କରି ରହିଥିଲେ । ସାପଟି ବାହାର ପଟୁ କବାଟକୁ ଲାଗି ମଳା ବାନ୍ଧି ରହିଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ସାପକୁ ଦେଖିବା ପାଇଁ ଧୀରେ ଧୀରେ ଭିଡ଼ ବଢିବାକୁ ଲାଗିଲା। ସେପଟେ ଖବର ପାଇ ବନ ବିଭାଗର ୪ ଜଣ କର୍ମଚାରୀ ପହଞ୍ଚି ଅଜଗରଟିକୁ ଉଦ୍ଧାର କରିଥିଲେ। ଅଜଗର ସାପଟି ୧୫ ଫୁଟ ଲମ୍ବ ହୋଇଥିବା ବେଳେ ପ୍ରାୟ ୩୦ କେଜି ଓଜନର ବୋଲି ବନ କର୍ମଚାରୀ କହିଛନ୍ତି । ସାପଟିକୁ ସୁରକ୍ଷିତ ଭାବେ ଏକ ଅଖା ଭିତରେ ରଖି ବନ ବିଭାଗର ଗାଡିରେ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି। ସେପଟେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଞ୍ଚାୟତର ବାଉଁଶିଆପଲ୍ଲୀ ଗ୍ରାମରେ ଘର ଭିତରେ ଆଇ ନାତୁଣୀ ଶୋଇଥିବା ବେଳେ ରାତିରେ ଏକ ବିଷାକ୍ତ ଚିତି ସାପ ଉଭୟଙ୍କୁ ଦଂଶିଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ସେଠାରେ ଆଇ ରଜନୀ ଦାସ (୫୨ ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନାତୁଣୀ ସୋନାଲି ଦାସ ଏମକେସିଜି ଆଇସିୟୁରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ତାଙ୍କ ଅବସ୍ଥା ମଧ୍ୟ ଗମ୍ଭୀର ରହିଛି।