କଲମ୍ବୋ,୦୫/୦୧୦: ଗତ ୩ଟି ରବିବାର ଭଳି ଆଜି ମଧ୍ୟ ଚଳିତ ମହିଳା ବିଶ୍ୱକପ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ପୂର୍ବ ୩ଟି ରବିବାରରେ ଭାରତ ଓ ପାକିସ୍ତାନ ପୁରୁଷ ଦଳ ମଧ୍ୟରେ ଏସିଆ କପ୍ ଟି-ଟ୍ୱେଣ୍ଟି ମୁକାବିଲା ହୋଇଥିଲା । ଆଜି ଦିନିକିଆ ବିଶ୍ୱକପ୍ରେ ମହିଳା ଦଳ ସାମ୍ନା ସାମ୍ନି ହେବେ। ଏହି ମ୍ୟାଚରେ ରାଜୁତି ପାଇଁ ବର୍ଷା ଓ ଭାରତୀୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।
କଲମ୍ବୋର ଆର ପ୍ରେମଦାସା ଷ୍ଟାଡ଼ିୟମ୍ରେ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଶନିବାର ପ୍ରବଳ ବର୍ଷା ଯୋଗୁଁ ଉକ୍ତ ଷ୍ଟାଡ଼ିୟମ୍ରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ରେ ଟସ୍ ପଡ଼ି ପାରିନଥିଲା । ଆଜି ମଧ୍ୟ ବର୍ଷା ଆଶଙ୍କା ରହିଛି । ବର୍ଷା ନହେଲେ ଭାରତର ଆଧିପତ୍ୟ ଜାରି ରହିବା ଏକ ପ୍ରକାର ନିଶ୍ଚିତ । ଉଭୟ ଦଳ ମଧ୍ୟରେ ପୂର୍ବରୁ ୧୧ଟି ମ୍ୟାଚ୍ ଖେଳାଯାଇଛି ଓ ସମସ୍ତ ମ୍ୟାଚ୍ ଜିତିଛି ଭାରତ ।
ଭାରତ ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ମାତ୍ର ପାକିସ୍ତାନକୁ ପ୍ରଥମ ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଦଳ ବାଂଲାଦେଶ ଠାରୁ ପରାଜିତ ହୋଇଥିଲା । ଆଜି ଭାରତୀୟ ଦଳକୁ ହରାଇବା ପାଇଁ ପାକିସ୍ତାନ ଜୋରଦାର ପ୍ରସ୍ତୁତି କରିଛି । କିନ୍ତୁ ବିଜୟ କେବଳ ସ୍ୱପ୍ନ ହୋଇ ରହିଯିବ । ବର୍ତ୍ତମାନର ଫର୍ମକୁ ଦେଖିଲେ ଭାରତ ଟାଇଟଲ ଦାବିଦାର କହିଲେ ଭୁଲ ହେବ ନାହିଁ ।
ଭାରତୀୟ କ୍ରିକେଟ୍ ପ୍ରେମୀ ସ୍ମୃତି ମନ୍ଧନାଙ୍କ ବ୍ୟାଟ୍ରୁ ଏକ ବଡ଼ ଇନିଂସର ଆଶା ରଖିଛନ୍ତି । କିନ୍ତୁ ଦୁଇ ଅଲ୍ରାଉଣ୍ଡର ସ୍ନେହ ରାଣା ଓ ଦୀପ୍ତି ଶର୍ମାଙ୍କ ଉପରେ ଭାରତୀୟ ଦଳର ଭାଗ୍ୟ ନିର୍ଭର କରିବ । ଉଭୟ ଚମତ୍କାର ଫର୍ମରେ ରହିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଦୀପ୍ତି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ରାଣା ଚଳିତ ବର୍ଷ କେବଳ ଦିନିକିଆରେ ୨୩ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି ।
ପାକିସ୍ତାନ ପକ୍ଷରୁ ସିଦ୍ରା ଅମିନଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ବିଶ୍ୱକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଯଥାକ୍ରମେ ଅପରାଜିତ ୧୨୧, ୧୨୨ ଓ ଅପରାଜିତ ୫୦ରନ୍ର ପାଳି ଖେଳିଥିଲେ ।
ପିଚ୍ ସ୍ପିନରଙ୍କୁ ସହାୟତା କରୁଥିଲେ ହେଁ ଶନିବାର ବର୍ଷା ହୋଇଥିବାରୁ ପିଚ୍ରେ ଆଦ୍ରତା ଭରି ରହିଛି । ଫଳରେ ପେସ୍ ବୋଲରମାନେ ପ୍ରାରମ୍ଭରୁ ସଫଳ ହୋଇ ପାରିବେ । ଏଠାରେ କ୍ରିଜ୍ରେ ଜମି ରହିଲେ ବଡ଼ ସ୍କୋର ସମ୍ଭବ ହେବ । ମ୍ୟାଚ ଦିବାରାତ୍ର ହୋଇଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଭାରତ: ସ୍ମୃତି ମନ୍ଧନା, ପ୍ରତିକା ରାୱଲ, ହର୍ଲିନ ଦେଓଲ, ହର୍ମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ଦୀପ୍ତି ଶର୍ମା, ଅମନଜୋତ କୌର, ସ୍ନେହ ରାଣା, କ୍ରାନ୍ତି ଗୌଡ଼, ଶ୍ରୀଚରଣୀ ।
ପାକିସ୍ତାନ: ମୁନିବା ଅଲି, ଓମାଇମା ସୋହେଲ, ସିଦ୍ରା ଅମିନ, ଆଲିୟା ରିୟାଜ, ନାତାଲିୟା ପରଭେଜ, ଫାତିମା ସାନା (ଅଧିନାୟିକା), ରମିଣ ଶମିମ, ଡାଏନା ବେଗ, ସିଦ୍ରା ନୱାଜ, ନସ୍ରା ସାନ୍ଧୁ, ସାଦିଆ ଇକବାଲ ।