ସେମିକନ୍‌  ଇଣ୍ଡିଆ ସମ୍ମିଳନୀ ୨୦୨୫, ଏହି ଯାତ୍ରାର  ନିରନ୍ତରତାକୁ ସୂଚିତ କରୁଛି । ପ୍ରଧାନମନ୍ତ୍ରୀ  ଆଜି ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ ।  ପ୍ରାୟ ୪୮ଟି ଦେଶରୁ ୫୦୦ରୁ ଅଧିକ  ବିଶ୍ୱସ୍ତରୀୟ ଶିଳ୍ପ ନେତାମାନେ ଅଂଶଗ୍ରହଣ  କରୁଛନ୍ତି, ଯାହା ଗତବର୍ଷ ପ୍ରାୟ ୧୦୦ ଥିଲା ।  ଅନିଶ୍ଚିତତା ସହ ସଂଘର୍ଷ କରୁଥିବା ବିଶ୍ୱପାଇଁ  ସ୍ଥିର ଭାରତ ଏକ ଆଶାର କିରଣ ।

 

ପ୍ରାରମ୍ଭିକ ଦିନଗୁଡ଼ିକରେ, କମ୍ପ୍ୟୁଟରଗୁଡ଼ିକ ବିଶାଳ ମେସିନ୍‌ ଥିଲା, ଯାହା ପ୍ରାୟତଃ ଗୋଟିଏ କୋଠରିକୁ ଅଧିକାର କରୁଥିଲା । ସେହି ସମୟରେ ସେଗୁଡ଼ିକ ହଜାର ହଜାର ଭାକ୍ୟୁମ ଟ୍ୟୁବ ଦ୍ୱାରା ଚାଲୁଥିଲା ଏବଂ "ଅନ୍‌-ଅଫ୍‌' ସ୍ୱଚ୍‌ ପରି କାମ କରୁଥିଲା, ଯାହାକି ଆଜି ଆମେ ବ୍ୟବହାର କରୁଥିବା ଚମକଦାର ଡିଭାଇସ୍‌ଠାରୁ ଅଧିକ ପୁରୁଣା ଟେଲିଫାନ୍‌ ଏକ୍ସଚେଞ୍ଜ ପରି ଦେଖାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଆପଣଙ୍କ ନଖଠାରୁ ଛୋଟ ଏକ ଚିପ୍‌ ଭିତରେ ଅଧିକ ଶକ୍ତି ରହିଛି ଯାହା ବିଲିୟନ୍‌ ଟ୍ରାନଜିଷ୍ଟର ଦ୍ୱାରା ଚାଳିତ ଅଟେ । ଏହି ଚିପ୍‌ଗୁଡ଼ିକ ଆପଣଙ୍କ ମୋବାଇଲ୍‌ ଫୋନ୍‌, କାର୍‌, ଟ୍ରେନ୍‌, ଫ୍ରିଜ୍‌, ଟିଭି, ସ୍କୁଟି, ଫ୍ୟାକ୍ଟ୍ରୀ ମେସିନ୍‌, ବିମାନ, ଏବଂ ମହାକାଶରେ ଥିବା ସାଟେଲାଇଟଗୁଡ଼ିକୁ ଚଳାଇଥାଏ । ଏହା ଏତେ ଛୋଟ ଯେ, ଏବେ ଏହା ଏକ ସ୍ମାର୍ଟ ମୁଦି ମାଧ୍ୟମରେ ଆପଣଙ୍କ ଆଙ୍ଗୁଠିରେ ରହି ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟାବସ୍ଥାକୁ ଟ୍ରାକ୍‌ କରିପାରୁଛି । ଏହା ହେଉଛି ସେମିକଣ୍ଡକ୍ଟରର ଯାଦୁ ।

ପ୍ରଗତି ପାଇଁ ସେମିକଣ୍ଡକ୍ଟର: ଏକ ରାଷ୍ଟ୍ରର ବିକାଶ ପାଇଁ, ତାହାର ବୃଦ୍ଧିକୁ ଆକାର ଦେଉଥିବା ମୁଖ୍ୟ କ୍ଷେତ୍ରଗୁଡ଼ିକରେ ଦକ୍ଷତା ହାସଲ କରିବା ଅତ୍ୟାବଶ୍ୟକ । ଏହି ମୌଳିକ କ୍ଷେତ୍ରମାନଙ୍କ ମଧ୍ୟରେ ଷ୍ଟିଲ୍‌, ବିଦ୍ୟୁତ୍‌, ଟେଲିକମ୍‌, ରସାୟନ, ପରିବହନ ଏବଂ ସେମିକଣ୍ଡକ୍ଟର ରହିଛି । ସେମିକଣ୍ଡକ୍ଟର ହେଉଛି ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୌଳିକ କ୍ଷେତ୍ର । ଆମେ ବ୍ୟବହାର କରୁଥିବା ପ୍ରାୟ ସବୁଥିରେ, ଯେପରିକି ସ୍ମାର୍ଟଫୋନ୍‌, କାର୍‌, ଟ୍ରେନ୍‌, ଚିକିତ୍ସା ଉପକରଣ, ପ୍ରତିରକ୍ଷା ବ୍ୟବସ୍ଥା, ବିଦ୍ୟୁତ୍‌ ଗ୍ରିଡ୍‌, ସାଟେଲାଇଟ୍‌ ଏବଂ କୃତ୍ରିମ ବୁଦ୍ଧିମତ୍ତା ଆଦିରେ ଲୁଚି ରହିଥିବା ଇଞ୍ଜିନ ହେଉଛନ୍ତି ସେମାନେ ।

ସେମିକଣ୍ଡକ୍ଟର ଶିଳ୍ପ ହେଉଛି ଏକ ମୌଳିକ ଏବଂ କୌଶଳଗତ ଶିଳ୍ପ । ଯେପରି ଇସ୍ପାତ କାରଖାନା, ପୋଲ ଓ ରେଳପଥ ନିର୍ମାଣର ଆଧାର ହୋଇଥାଏ, ସେହିପରି ସେମିକଣ୍ଡକ୍ଟର ଡିଜିଟାଲ୍‌ ଅର୍ଥନୀତିର ଭିତ୍ତିଭୂମି ଅଟେ । ଚିପ୍‌ ବିନା ଆଧୁନିକ ଯୋଗାଯୋଗ, ଡାଟା ପ୍ରୋସେସିଂ, କୃତ୍ରିମ ବୁଦ୍ଧିମତ୍ତା, ଅକ୍ଷୟଶକ୍ତି ପ୍ରଣାଳୀ ଏବଂ ସୁରକ୍ଷିତ ପ୍ରତିରକ୍ଷା ବ୍ୟବସ୍ଥା ସମ୍ଭବ ନୁହେଁ । ଯଦି ଗୋଟିଏ ରାଷ୍ଟ୍ର ସେମିକଣ୍ଡକ୍ଟର ଡିଜାଇନ୍‌ ଓ ଉତ୍ପାଦନ କରିପାରେ ନାହିଁ, ତେବେ ତାକୁ ସ୍ୱାସ୍ଥ୍ୟସେବାଠାରୁ ନେଇ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ମୌଳିକ ଆବଶ୍ୟକତା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡ଼ିଥାଏ । ତେଣୁ ସେମିକଣ୍ଡକ୍ଟରରେ ଶକ୍ତିଶାଳୀ ହେବା ଏକ ଶିଳ୍ପଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ହେଉଛି ଆମ ନିଜର ଭବିଷ୍ୟତକୁ ନିଜେ ଆକାର ଦେବାର ସଙ୍କଳ୍ପ ।

ରଣନୈତିକ ଏବଂ ଭୂ-ରାଜନୈତିକ ଆବଶ୍ୟକତା: ଚିପ୍‌ର ମହତ୍ତ୍ୱ କେତେ ଅଧିକ ତାହା କୋଭିଡ୍‌-୧୯ ମହାମାରୀ ସ୍ପଷ୍ଟ କରିଦେଇଥିଲା । ବିଶ୍ୱ ଚିପ୍‌ ଯୋଗାଣ ଶୃଙ୍ଖଳା ବିଫଳ ହେବା କାରଣରୁ, ବିଭିନ୍ନ ଶିଳ୍ପର ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଥିଲା । ଏହି ବ୍ୟାଘାତ ହେତୁ ହଜାର ହଜାର କୋଟି ଟଙ୍କାର ଉତ୍ପାଦନ କ୍ଷତି ହୋଇଥିଲା । ଯାହାଫଳରେ ଅଟୋ ଶିଳ୍ପ, ନେଟୱାର୍କିଂ ଡିଭାଇସ୍‌, ଘରୋଇ ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ।

ସେମିକଣ୍ଡକ୍ଟର ଆଜି ବିଶ୍ୱ ଭୂ-ରାଜନୀତିର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି । ଚିପ୍‌ ନିର୍ମାଣ କେବଳ କିଛି ଅଞ୍ଚଳରେ କେନ୍ଦ୍ରୀଭୂତ ହେବା ହେତୁ, ଛୋଟରୁ ଛୋଟ ବ୍ୟାଘାତ ମଧ୍ୟ ବିଶ୍ୱବ୍ୟାପୀ ପ୍ରଭାବ ପକାଇପାରେ । କେଉଁଠି ବିଦ୍ୟୁତ୍‌ ସେବାରେ ବ୍ୟାଘାତ କିମ୍ବା ଅନ୍ୟ କେଉଁଠି କାରଖାନାରେ ଦୁର୍ଘଟଣା ଯୋଗାଣ ଶୃଙ୍ଖଳକୁ ବାଧାଗ୍ରସ୍ତ କରିପାରେ । ଏହା କେବଳ ଶିଳ୍ପଗୁଡ଼ିକୁ ଧୀମା କରିଦେଉନାହିଁ, ବରଂ ବିଶ୍ୱ ଅର୍ଥନୀତି ଓ ସୁରକ୍ଷାକୁ ମଧ୍ୟ ପ୍ରଭାବିତ କରୁଛି । "ବିରଳ ଭୂ-ଚୁମ୍ବକ' (ଜବକ୍ସର ଋବକ୍ସଗ୍ଧଷ ଗବଶଦ୍ଭରଗ୍ଧ) ଉପରେ ସାମ୍ପ୍ରତିକ ଧ୍ୟାନ ଏକ କଟୁ ସତ୍ୟକୁ ମନେ ପକାଇଦିଏ ଯେ, ଗୁରୁତ୍ୱପୂର୍ଣ୍ଣ ସମ୍ବଳ ଉପରେ ନିୟନ୍ତ୍ରଣ କିପରି ବିଶ୍ୱ ଶକ୍ତିକୁ ଆକାର ଦେଇପାରେ । ସେହିପରି ସେମିକଣ୍ଡକ୍ଟର ଡିଜିଟାଲ୍‌ ଯୁଗର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ହୋଇପଡ଼ିଛି ।

ଚାହିଦା ବୃଦ୍ଧି: ଭବିଷ୍ୟତରେ ସେମିକଣ୍ଡକ୍ଟରର ଚାହିଦା ବଢ଼ିବାକୁ ଯାଉଛି । ଆମର ନିଜସ୍ୱ ବୈଦ୍ୟୁତିକ- ଯନ୍ତ୍ର ବ୍ୟବହାର ଓ ଉତ୍ପାଦନ ଅଭୂତପୂର୍ବ ଗତିରେ ବିସ୍ତାରିତ ହେଉଛି । ଆଜି ଭାରତରେ ୬୫କୋଟିରୁ ଅଧିକ ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ଅଛନ୍ତି ଏବଂ ଆମର ବୈଦ୍ୟୁତିକ-ଯନ୍ତ୍ର ଉତ୍ପାଦନ ବାର୍ଷିକ ୧୨ଲକ୍ଷ କୋଟିର ସୀମା ଛୁଇଁପାରୁଛି । ଏହା ସହିତ, ଆମେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)-ଆଧାରିତ ସିଷ୍ଟମ, ଡାଟା ସେଣ୍ଟର ଏବଂ ଇଲେକ୍ଟ୍ରିକ୍‌ ଯାନବାହନ ବିକାଶ କରୁଛୁ ଯାହା ସେମିକଣ୍ଡକ୍ଟର ଚିପ୍‌ ଆବଶ୍ୟକ କରେ । ଉଭୟ ଚାହିଦା ଏବଂ ନବୋନ୍ମେଷରେ ଏହି ଉତ୍‌ଥାନ କାରଣରୁ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ନିଜର ସ୍ଥାନ ସୁରକ୍ଷିତ କରିବା ଭାରତ ପାଇଁ ଆବଶ୍ୟକ ହୋଇପଡ଼ିଛି ।

ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ଭବିଷ୍ୟତ: ଦଶନ୍ଧି ଧରି ଭାରତକୁ କୁହାଯାଉଥିଲା ଯେ ଏହା ସେମିକଣ୍ଡକ୍ଟରରେ "ବସ୍‌ ମିସ୍‌ କରିଛି' । ଏହା ଆଉ ସତ୍ୟ ନୁହେଁ । "ଭାରତ ସେମିକଣ୍ଡକ୍ଟର ମିଶନ୍‌' ଅଧୀନରେ, ୧୦ଟି ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଅନୁମୋଦନ ମିଳିଛି, ଯାହାଫଳରେ ପ୍ଲାଣ୍ଟଗୁଡ଼ିକର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଅଗ୍ରସର ହେଉଛି । ଆଜି ଆମେ ଆତ୍ମବିଶ୍ୱାସର ସହିତ କହିପାରିବା ଯେ, ଚଳିତ ବର୍ଷ ପ୍ରଥମ "ମେଡ୍‌ ଇନ୍‌ ଇଣ୍ଡିଆ' ଚିପ୍‌ ଉତ୍ପାଦନ ହେବ । ସାନନ୍ଦର ଏକ ୟୁନିଟରେ ପାଇଲଟ୍‌ ଉତ୍ପାଦନ ଲାଇନ୍‌ ଆରମ୍ଭ ହୋଇସାରିଛି, ଏବଂ ଏକବର୍ଷ ମଧ୍ୟରେ ଆମେ ଆଉ ଚାରିଟି ୟୁନିଟ୍‌ ଉତ୍ପାଦନ ଆରମ୍ଭ କରିବା ପାଇଁ ଆଶା ରଖିଛୁ । ଆପ୍ଲାଇଡ୍‌ ମେଟେରିଆଲ୍‌ସ, ଲାମ୍‌ ରିସର୍ଚ୍ଚ, ମର୍କ, ଏବଂ ଲିଣ୍ଡେ ଭଳି ବିଶ୍ୱ ନେତାମାନେ ସହାୟକ ଫ୍ୟାକ୍ଟ୍ରୀ ଏବଂ ଯୋଗାଣ ଶୃଙ୍ଖଳାରେ ନିବେଶ କରୁଛନ୍ତି । ଏହି ଆଭିମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ସେମିକଣ୍ଡକ୍ଟର ଶିଳ୍ପର ଦୀର୍ଘକାଳୀନ ବୃଦ୍ଧି ଉପରେ ଧ୍ୟାନକୁ ପ୍ରତିଫଳିତ କରେ । ଅତି କମ୍‌ ସମୟ ମଧ୍ୟରେ ଏହି ବ୍ୟାପକ ସଫଳତା ଅନେକ କାରଣରୁ ମିଳିଛି । ସେଥିମଧ୍ୟରୁ ଆମ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ଦୃଷ୍ଟିକୋଣ, କାର୍ଯ୍ୟକାରିତା ଉପରେ ତୀକ୍ଷ୍‌ଣ ଧ୍ୟାନ, ପେଶାଦାରଙ୍କ ହାତରେ ନିଷ୍ପତ୍ତି ଗ୍ରହଣ କ୍ଷମତା, ଆନ୍ତର୍ଜାତିକ ସହଯୋଗ, ଏବଂ ରାଜ୍ୟ ସରକାରଙ୍କ ଦୃଢ଼ ସମର୍ଥନ ଅନ୍ୟତମ । ଭାରତ ଭବିଷ୍ୟତ ଆଡ଼କୁ ଦ୍ରୁତବେଗରେ ଗତିମାନ ହୋଇଛି । ଆମର ଡିଜାଇନ୍‌ ଏବଂ ପ୍ରତିଭା ପୁଲ୍‌ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ଡିଜାଇନ୍‌ ଏବଂ ପ୍ରତିଭା: ଭାରତର ରଣନୈତିକ ସୁବିଧା: ନୀତି ଏବଂ ନିବେଶ ଭାରତର ପ୍ରକୃତ ଶକ୍ତି, ଏହା ଲୋକମାନଙ୍କୁ ସଶକ୍ତ କରିବାପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଭାରତରେ ବିଶ୍ୱର ୨୦%ରୁ ଅଧିକ ଡିଜାଇନ୍‌ କର୍ମଚାରୀ ରହିଛନ୍ତି । ଏକ ଆକଳନ ଅନୁଯାୟୀ, ଆଗାମୀ ଦଶକର ଆରମ୍ଭ ସୁଦ୍ଧା ବିଶ୍ୱରେ ଏକ ମିଲିୟନରୁ ଅଧିକ ସେମିକଣ୍ଡକ୍ଟର ପେସାଦାରଙ୍କ ଅଭାବ ଦେଖାଦେବ । ଭାରତ ଏହି ଅଭାବକୁ ପୂରଣ କରିବାକୁ ପ୍ରସ୍ତୁତ ହେଉଛି । ୩୫୦ ଅନୁଷ୍ଠାନ ଏବଂ ଷ୍ଟାର୍ଟଅପ୍‌ରେ ୬୦,୦୦୦ରୁ ଅଧିକ ବ୍ୟବହାରକାରୀ ଭାରତ ସରକାରଙ୍କ ଦ୍ୱାରା ମାଗଣାରେ ପ୍ରଦାନ କରାଯାଇଥିବା ବିଶ୍ୱସ୍ତରୀୟ ଇଲେକ୍ଟ୍ରୋନିକ୍‌ ଡିଜାଇନ୍‌ ଅଟୋମେସନ୍‌ (ଇଡିଏ) ଟୁଲ୍‌ସ ବ୍ୟବହାର କରୁଛନ୍ତି । କେବଳ ୨୦୨୫ରେ ଏହାର ବ୍ୟବହାର ୧.୨କୋଟି ଘଣ୍ଟା ଅତିକ୍ରମ କରିଛି । ସରକାରଙ୍କ ଦୃଢ଼ ସମର୍ଥନ ସହିତ ଷ୍ଟାର୍ଟଅପ୍‌ଗୁଡ଼ିକ ଭାରତର ଚିପ୍‌ ଡିଜାଇନ୍‌ ଇକୋସିଷ୍ଟମକୁ ଶକ୍ତି ଯୋଗାଉଛନ୍ତି । ମାଇଣ୍ଡଗ୍ରୋଭ ଟେକ୍‌ନୋଲୋଜିସ୍‌, ଆଇଆଇଟି ମାଡ୍ରାସରୁ ଉଦ୍ଭାବିତ ସ୍ୱଦେଶୀ "ଶକ୍ତି' ପ୍ରୋସେସର ଉପରେ ଆଧାରିତ ଆଇଓଟି ଚିପ୍‌ ବିକାଶ କରୁଛି । ନେଟ୍ରାସେମି ନାମକ ଏକ ଷ୍ଟାର୍ଟଅପ୍‌, ସାମ୍ପ୍ରତିକ ୧୦୭ କୋଟି ଟଙ୍କାର ରେକର୍ଡ ଫଣ୍ଡିଂ ହାସଲ କରିଛି । ଏହା ଭାରତର ସେମିକଣ୍ଡକ୍ଟର ଡିଜାଇନ୍‌ କ୍ଷେତ୍ରରେ ସବୁଠାରୁ ବଡ଼ ଭିସି ନିବେଶ ମଧ୍ୟରୁ ଗୋଟିଏ, ଯାହା ଏହି କ୍ଷେତ୍ରରେ ନିବେଶକମାନଙ୍କ ବୃଦ୍ଧିପାଉଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି । ଭାରତ ସରକାରଙ୍କ ଡିଜାଇନ୍‌ ଲିଙ୍କ୍‌ଡ ଇନସେଣ୍ଟିଭ୍‌ (ଡିଏଲ୍‌ଆଇ) ଯାଜନା ଅଧୀନରେ ଏହିପରି ଅନେକ ଷ୍ଟାର୍ଟଅପ୍‌କୁ ବିକଶିତ କରାଯାଉଛି ।

କ୍ଲାସରୁମ୍‌ରୁ କ୍ଲିନରୁମ୍‌କୁ ଯାତ୍ରା: ମୋହାଲିରେ ଥିବା ସେମିକଣ୍ଡକ୍ଟର ଲାବୋରେଟରୀ (ଏସସିଏଲ)ରେ, ୧୭ଟି ଅନୁଷ୍ଠାନର କଲେଜ ଛାତ୍ରଛାତ୍ରୀମାନେ ଇତିମଧ୍ୟରେ ୨୦ଟି ଚିପ୍‌ ଉତ୍ପାଦନ କରିଛନ୍ତି । ଆଗାମୀ ମାସମାନଙ୍କରେ ଆହୁରି ଅନେକ ଚିପ୍‌ ଉତ୍ପାଦନ ହେବ । ଏହି ପ୍ରକାରର ପ୍ରତିଭା ବିକାଶ ଭାରତକୁ ସେମିକଣ୍ଡକ୍ଟର ଶିଳ୍ପରେ ଦୃଢ଼ ସ୍ଥାନରେ ପହଞ୍ଚାଇବ । ଭାରତର ଯୁବ ପ୍ରତିଭା ଯେମିତି କ୍ଲାସରୁମ୍‌ରୁ କ୍ଲିନରୁମ୍‌କୁ ଯାତ୍ରା କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏସସିଏଲ୍‌’କୁ ମଧ୍ୟ ଆଧୁନିକୀକରଣ କରାଯାଉଛି । ପ୍ରସିଦ୍ଧ ବୈଶ୍ୱିକ କମ୍ପାନୀ ମଧ୍ୟ ଭାରତୀୟ ପ୍ରତିଭାଙ୍କ ଉପରେ ନିବେଶ କରୁଛନ୍ତି । ଲାମ୍‌ ରିସର୍ଚ୍ଚ ଭାରତରେ ୬୦,୦୦୦ ଇଞ୍ଜିନିୟରଙ୍କୁ ତାଲିମ ଦେବାକୁ ଯାଉଛି । ଆପ୍ଲାଇଡ୍‌ ମେଟେରିଆଲ୍‌ସ, ଏଏମଡି, ଏବଂ ମାଇକ୍ରାଚିପ୍‌ ଆରଏଣ୍ଡଡି ପାଇଁ ୧.୧ ବିଲିୟନ ଡଲାର ନିବେଶର ପ୍ରତିଶ୍ରୁତି ଦେଇଛନ୍ତି । ଆଇଆଇଏସସି, ଆଇଆଇଟି ଏବଂ ଅନ୍ୟମାନଙ୍କ ସହିତ ଭାଗିଦାରୀ ଲ୍ୟାବ୍‌ଟୁ-ଫ୍ୟାବ୍‌ କର୍ମଚାରୀ ପୁଲ ତିଆରିକୁ ନିଶ୍ଚିତ କରୁଛି । ଭାରତ ମଧ୍ୟ ଆମେରିକା, ଜାପାନ, ୟୁରୋପୀୟ ସଂଘ ଏବଂ ସିଙ୍ଗାପୁର ସହିତ ମିଳିତ ଭାବେ ଭବିଷ୍ୟତ ପାଇଁ-ପ୍ରସ୍ତୁତ ପ୍ରତିଭା ଗଢ଼ିବା ପାଇଁ କାମ କରୁଛି । ସ୍ଥାନୀୟ ପ୍ରତିଭା ଏବଂ ବିଶ୍ୱ ସହଯୋଗର ଏହି ମିଶ୍ରଣ ନିଶ୍ଚିତ କରୁଛି ଯେ ଭାରତ କେବଳ ନିଜପାଇଁ ନୁହେଁ, ବରଂ ବିଶ୍ୱ ପାଇଁ ମଧ୍ୟ ନିର୍ମାଣ କରୁଛି ।

ଡିଜିଟାଲ୍‌ ଇଣ୍ଡିଆରୁ ସେମିକନ୍‌ ଇଣ୍ଡିଆ: ଭାରତର ସେମିକଣ୍ଡକ୍ଟର ଯାତ୍ରା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବୃହତ ଦୃଷ୍ଟିକୋଣର ଏକ ଅଂଶ ଅଟେ । ଏହା ଡିଜିଟାଲ୍‌ ଇଣ୍ଡିଆ ମିଶନରୁ ଆରମ୍ଭ ହୋଇ, ଡିଜିଟାଲ୍‌ ଭିତ୍ତିଭୂମି ନିର୍ମାଣ ସହିତ ନାଗରିକମାନଙ୍କୁ ସଶକ୍ତ କରିଛି । ଇଣ୍ଡିଆ ଷ୍ଟାକ୍‌, ୟୁପିଆଇ, ଆଧାର ଏବଂ ଆମର ଟେଲିକମ୍‌ ନେଟୱାର୍କ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଯୁକ୍ତିର ଶକ୍ତି ପ୍ରଦାନ କରିଛି । ଏହା ସହିତ, ଆମେ ଆମର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ମଜଭୁତ କରିଛୁ । ଏବେ ଆମେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍‌ ଉପାଦାନ, ଏବଂ ଉପକରଣ ପାଇଁ ଉତ୍ପାଦନ ଇକୋସିଷ୍ଟମ ବିକାଶ କରୁଛୁ ।

ଆଜିଠୁ ସେମିକନ୍‌ ଇଣ୍ଡିଆ ସମ୍ମିଳନୀ ୨୦୨୫, ଏହି ଯାତ୍ରାର ନିରନ୍ତରତାକୁ ସୂଚିତ କରୁଛି । ପ୍ରଧାନମନ୍ତ୍ରୀ ଆଜି ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଏହିବର୍ଷ ପ୍ରାୟ ୪୮ଟି ଦେଶରୁ ୫୦୦ରୁ ଅଧିକ ବିଶ୍ୱସ୍ତରୀୟ ଶିଳ୍ପ ନେତାମାନେ ଅଂଶଗ୍ରହଣ କରୁଛନ୍ତି, ଯାହା ଗତବର୍ଷ ପ୍ରାୟ ୧୦୦ ଥିଲା । ଅନିଶ୍ଚିତତା ସହ ସଂଘର୍ଷ କରୁଥିବା ବିଶ୍ୱପାଇଁ ସ୍ଥିର ଭାରତ ଏକ ଆଶାର କିରଣ । ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ମାଲେସିଆର ସମର୍ପିତ ପ୍ୟାଭିଲିୟନ୍‌ଗୁଡ଼ିକ ଅର୍ଥପୂର୍ଣ୍ଣ ସହଯୋଗକୁ ଆଗେଇନେବେ । ଆମେ ବିଶ୍ୱର ଶିଳ୍ପଜଗତ ଏବଂ ଯୁବପ୍ରତିଭାଙ୍କ ମଧ୍ୟରେ ବି-ଟୁ-ବି ଆଲୋଚନା, ବୁଝାମଣା, ଏବଂ ଭାଗିଦାରୀ ମଧ୍ୟ କରିବୁ ।

ଉତ୍ପାଦ ରାଷ୍ଟ୍ର: ଆମର ଲକ୍ଷ୍ୟ ହେଉଛି ଭାରତକୁ ଏକ "ଉତ୍ପାଦନଭିତ୍ତିକ ରାଷ୍ଟ୍ର'ରେ ପରିଣତ କରିବା । ଆମ ସେମିକଣ୍ଡକ୍ଟର କାରଖାନାର ଉତ୍ପାଦ ଟେଲିକମ୍‌, ଅଟୋମୋଟିଭ୍‌, ଡାଟା ସେଣ୍ଟର, ଗ୍ରାହକ ଇଲେକ୍ଟ୍ରୋନିକ୍ସ ଏବଂ ଶିଳ୍ପ ଇଲେକ୍ଟ୍ରୋନିକ୍ସ ପରି ଜରୁରି କ୍ଷେତ୍ରଗୁଡ଼ିକୁ ସେବା ଯୋଗାଇବ । କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ।

ଆଗାମୀ ଦଶକ ମଧ୍ୟରେ, ଆମର ସେମିକଣ୍ଡକ୍ଟର ୟୁନିଟ୍‌ଗୁଡ଼ିକ ପରିପକ୍ୱତା ଏବଂ ବିସ୍ତାର ହାସଲ କରିବେ । ଭାରତ ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳା ପାଇଁ ଏକ ପ୍ରତିଯୋଗୀ କେନ୍ଦ୍ରଭାବେ ଉଭା ହେବାକୁ ପ୍ରସ୍ତୁତ ।