ନୂଆଦିଲ୍ଲୀ: ଆମେରିକାର ଏକ ରକ୍ଷା ପ୍ରତିନିଧିମଣ୍ଡଳ ଦିଲ୍ଲୀରେ ପହଞ୍ଚିଛି। ଏହା ଭାରତୀୟ ନୌବାହିନୀ ପାଇଁ ୬ଟି ଅତିରିକ୍ତ P-8I ସାମୁଦ୍ରିକ ପାଟ୍ରୋଲ୍ ବିମାନ କ୍ରୟ ପାଇଁ ୪ ବିଲିୟନ ଡଲାରର ଚୁକ୍ତି ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏହା ଭାରତର ସମସ୍ତ ସାମୁଦ୍ରିକ ଅଞ୍ଚଳରେ ନିରିକ୍ଷଣ ଓ ସବମରିନ ବିରୋଧୀ ଯୁଦ୍ଧ ସକ୍ଷମତାକୁ ମଜବୁତ କରିବ। ଏହି ଆଲୋଚନା ୧୬ରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି।

ଯଦି ଏହି ଚୁକ୍ତି ସଫଳ ହୁଏ ତେବେ ଭାରତୀୟ ନୌବାହିନୀର ବର୍ତ୍ତମାନର ୧୨ଟି P-8I ବିମାନ ସହ ଆଉ ୬ଟି ନୂଆ ବିମାନ ଯୋଡ଼ିହେବ। ଆମେରିକା ପ୍ରତିନିଧିମଣ୍ଡଳରେ ଯୁକ୍ତରାଷ୍ଟ୍ରର ରକ୍ଷା ସଚିବାଳୟ, ନୌବାହିନୀ ଆନ୍ତର୍ଜାତୀୟ ପ୍ରୋଗ୍ରାମ ଅଫିସ, ମାରିଟାଇମ ପାଟ୍ରୋଲ ଓ ରିକନେସାନ୍ସ ଏରୋକ୍ରାଫ୍ଟ ପ୍ରୋଗ୍ରାମ ଅଫିସ ଏବଂ ରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସିର ଅଧିକାରୀମାନେ ସାମିଲ ଅଛନ୍ତି। ବୋଇଙ୍ଗ କମ୍ପାନୀ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରୁଛି।

ଆପଣଙ୍କୁ ଜଣାଇରଖୁ ଯେ, ଆମେରିକାର ଏହି P-8I ବିମାନ ଦୀର୍ଘ ଦୂରଗାମୀ ନିରିକ୍ଷଣ, ୪୧,୦୦୦ ଫୁଟ ଉଚ୍ଚତାରେ ଉଡ଼ାଣ ଓ ଏକାଥରେ ୮,୩୦୦ କିଲୋମିଟର ଯାତ୍ରା କରିବାର କ୍ଷମତା ରଖିଛି। ଏହା ଆନ୍ଟି-ସିପ ମିସାଇଲ, କ୍ରୁଜ ମିସାଇଲ, ଲାଇଟୱେଟ ଟର୍ପେଡୋ ଓ ଆନ୍ଟି-ସବମରିନ ଯୁଦ୍ଧ ସାମଗ୍ରୀରେ ମଧ୍ୟ ସଜ୍ଜିତ। ଯାହା ଭାରତୀୟ ନୈସେନାର ଶକ୍ତି ଓ ସାମର୍ଥ୍ୟ ଯଥେଷ୍ଟ ପରିମାଣରେ ବୃଦ୍ଧି କରିବ।

ଭାରତ ୨୦୦୯ ମସିହାରେ ଆମେରିକା ନିକଟରୁ ପ୍ରାରମ୍ଭିକ ସ୍ତରରେ ୮ଟି ଓ ୨୦୧୬ ମସିହାରେ ୪ଟି P-8I ବିମାନ କିଣିଥିଲା। ଏହାପରେ ୨୦୧୯ ମସିହାରେ ଆଉ ୬ଟି ଅତିରିକ୍ତ ବିମାନ ପାଇଁ ଅନୁମୋଦନ ମିଳିଥିଲା ଯାହା ୨୦୨୧ ମସିହା ସୁଦ୍ଧା ଆମେରିକାର ରାଜ୍ୟ ବିଭାଗ ଦ୍ୱାରା ମଞ୍ଜୁର ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଫ୍ରେବୃୟାରି ମାସରେ ଆମେରିକା ଗସ୍ତ କରିବା ପରେ ଏହି ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଏହା ବ୍ୟତିତ ଭାରତୀୟ ନୌବାହିନୀ ଆମେରିକା ସହ ୩୧ଟି MQ-9B ଡ୍ରୋନ କ୍ରୟ ପାଇଁ ଯୋଗାଯୋଗ କରିଛିଯାହା ଆସନ୍ତା ୨୦୨୯ ମସିହା ସୁଦ୍ଧା ଡେଲିଭରୀ ହେବାର ସମ୍ଭାବନା ରହିଛି। ଏହା ସହିତ Tejas Mk1A ଯୁଦ୍ଧ ବିମାନ ପାଇଁ ଆମେରିକା ତକଫରୁ ୧୧୩ଟି F404 ଇଞ୍ଜିନ ବିକ୍ରୟ ନେଇ ମଧ୍ୟ ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରାଯାଇଛି।

ଚୀନର ନୌବାହିନୀର ଭାରତୀୟ ମହାସାଗରରେ ବଢ଼ୁଥିବା ଉପସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ନିଜର ନିରିକ୍ଷଣ କ୍ଷମତା ବୃଦ୍ଧି କରୁଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଏହି ଚୁକ୍ତିକୁ ପ୍ରଭାବିତ କରିନାହିଁ। ଏହି ଚୁକ୍ତି ଭାରତ-ଆମେରିକା ରକ୍ଷା ସହଯୋଗକୁ ଆହୁରି ଦୃଢ଼ କରିବା ସହ ଭାରତୀୟ ମହାସାଗରରେ ଅତିରିକ୍ତ ସୁରକ୍ଷା ନିଶ୍ଚିତ କରିବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ତେବେ ଆଗାମୀ ସପ୍ତାହରେ ଦୁଇଦେଶ ମଧ୍ୟରେ ଏନେଇ ଅଧିକ ଆଲୋଚନା ହେବ ବୋଲି ସୂଚନା ରହିଛି।