ନୂଆଦିଲ୍ଲୀ, ୧୯/୯ : ୟୁକ୍ରେନ ଯୁଦ୍ଧ ଏବଂ ଆମେରିକା ସହ ଟ୍ରେଡ୍ ବିବାଦ ଭିତରେ ଭାରତ ରୁଷ୍ ଏବଂ ବେଲାରୁଷ୍ ସହ ଯୁଦ୍ଧାଭ୍ୟାସ ଲାଗି ସୈନ୍ୟ ପଠାଇଛି । ନିଜ ସୀମା ନିକଟରେ ଏହି ଯୁଦ୍ଧାଭ୍ୟାସକୁ ନେଇ ଆମେରିକା ସମେତ ନାଟୋ ଚିନ୍ତାରେ ପଡ଼ିଛନ୍ତି । ସାମରିକ ବିଶ୍ଳେଷକଙ୍କ ମତରେ ଏହି ଯୁଦ୍ଧାଭ୍ୟାସ ୟୁରୋପକୁ ଭୟଭୀତ କରିବା ଲାଗି ଉଦ୍ଦିଷ୍ଟ । ଯୁଦ୍ଧାଭ୍ୟାସର ନାଁ ରହିଛି ‘ଜାପଦ ୨୦୨୫’ । ଭାରତ ଏହାର ୬୫ ସୈନ୍ୟଙ୍କୁ ଯୁଦ୍ଧାଭ୍ୟାସ ଲାଗି ପଠାଇଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ଯୁଦ୍ଧାଭ୍ୟାସରେ ଆଣବିକ ଅସ୍ତ୍ର ବହନ କରିବାରୁଥିବା ବମ୍ବର୍, ଯୁଦ୍ଧଜାହାଜ, ଭାରୀ ଆର୍ଟିଲାରୀ, ୩୩୩ ଏୟାରକ୍ରାଫ୍ଟ, ୨୪୭ ନାଭାଲ ଭେସେଲ ସମେତ ସବ୍ମେରିନ୍ ସାମିଲ ହେବ ।
ପ୍ରକାଶଥାଉ କି, ବେଲାରୁଷ୍ ସୀମା ପୋଲାଣ୍ଡ, ଲିଥୁଆନିଆ, ଲାଟଭିଆକୁ ଲାଗିଛି । ଏହି ୩ ଦେଶ ହେଉଛନ୍ତି ନାଟୋ ସଦସ୍ୟ । ଜାପଦ-୨୦୨୫ରେ ଭାରତ ସାମିଲ ହେବା ଭାରତ ଏବଂ ରୁଷ୍ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ଅଧିକ ଗଭୀର କରିବା ଭାବେ ଦେଖାଯାଉଛି । ଏହା ଭାରତ ପାଇଁ ମଧ୍ୟ ମହତ୍ତ୍ୱ ରଖେ । କାରଣ ଭାରତର ଅଧିକାଂଶ ସଶସ୍ତ୍ର ବଳ ରୁଷ୍ ନିର୍ମିତ ହାର୍ଡୱେର ବ୍ୟବହାର କରୁଛନ୍ତି । ଆମେରିକା ଏବଂ ୟୁରୋପ ମଧ୍ୟରେ ସମ୍ପର୍କ ଏବେ ଜଟିଳ ସ୍ଥିତି ଦେଇ ଗତି କରୁଥିବା ବେଳେ ରୁଷ୍-ବେଲାରୁଷ୍ ଏହି ଯୁଦ୍ଧାଭ୍ୟାସ ଆୟୋଜନ କରିଛନ୍ତି । ଏହାକୁ ନେଇ ନାଟୋ କେତେ ବିଚଳିତ ତାହା ୟୁରୋପୀୟ ସଂଘର ବିଦେଶ ନୀତି ପ୍ରମୁଖ କାଜା କଲ୍ଲାସଙ୍କ ବୟାନରୁ ଜଣାପଡ଼ୁଛି । ସେ କହିଛନ୍ତି, ଭାରତ ସହ ଭାଗିଦାରୀ ବାଣିଜ୍ୟ ବୁଝାମଣାଠାରୁ ବହୁ ଆଗକୁ ଯାଇଛି । ଏହି ବୁଝାମଣାରେ ଶୀଘ୍ର ସ୍ୱାକ୍ଷର ହେବ ବୋଲି ଆଶା । ଏହା ଭିତରେ ଆମେରିକା ଏହି ଯୁଦ୍ଧାଭ୍ୟାସ ଉପରେ ନଜର ରଖିବା ଲାଗି ଏକ ପ୍ରତିନିଧି ଟିମ୍ ପଠାଇଛି ।