ନୂଆଦିଲ୍ଲୀ,୧୯/୧୦: ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ପ୍ରଥମ ଦିନିକିଆ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଅଷ୍ଟ୍ରେଲିଆ । ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଚାମ୍ପିଆନ୍ସ ଟ୍ରଫି ଜିତିବା ପରେ ଭାରତ ତାର ପ୍ରଥମ ଦିନିକିଆ ଖେଳୁଛି । ଭାରତ ଭଲ ଆରମ୍ଭ କରିନାହିଁ । ୭ ମାସ ପରେ ବ୍ଲୁ ଜର୍ସିରେ ନଜର ଆସିଥିବା ହିଟ୍ମ୍ୟାନ ରୋହିତ ଓ କିଙ୍ଗ୍ କୋହଲି ନିରାଶ କରିଛନ୍ତି । କ୍ୟାମବ୍ୟାକ ମ୍ୟାଚରେ ଚାଲିଲାନି ରୋ-କୋଙ୍କ ବ୍ୟାଟ । ରୋହିତ ୮ରନ୍ କରିଥିବା ବେଳେ ବିରାଟ କୋହଲି ଖାତା ଖୋଲି ପାରିନାହାନ୍ତି ।
We have another rain delay here in Perth.#AUSvIND pic.twitter.com/0oTwbZggpe
— BCCI (@BCCI) October 19, 2025
ବ୍ୟାଟିଂ ଆମନ୍ତ୍ରଣ ପାଇଁ ରୋହିତ ଶର୍ମା-କ୍ୟାପ୍ଟେନ୍ ଶୁଭମନ ଓପନିଂ କରିଥିଲେ । ରୋହିତ ଅଧିକ ସମୟ ତିଷ୍ଠି ପାରିନଥିଲେ । ମାତ୍ର ୮ ରନ୍ କରି ଜୋସ ହାଜେଲଉଡଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ ହିଟ୍ମ୍ୟାନ ରୋହିତ । ଏହା ପରେ କ୍ରିଜକୁ ଆସିଥିଲେ କିଙ୍ଗ କୋହଲି । ହେଲେ ସେ ଖାତା ଖୋଲି ପାରିନଥିଲେ । ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ୍ ହୋଇଥିଲେ କୋହଲି । ଏହା ସହିତ କୋହଲି ଏକ ଲଜ୍ୟାଜନକ ରେକର୍ଡ କରିଛନ୍ତି । ଅଷ୍ଟ୍ରେଲିଆରେ ପ୍ରଥମ ଥର ଦିନିକିଆରେ ଶୂନ୍ୟରେ ଆଉଟ ହୋଇଛନ୍ତି । ଅଷ୍ଟ୍ରେଲିଆରେ କୋହଲି ୩୦ ଦିନିକିଆ ଖେଳିଛନ୍ତି । ମିଚେଲ ଷ୍ଟାର୍କ ଦ୍ବିତୀୟ ପ୍ଲେୟାର ଯିଏକି କୋହଲିଙ୍କୁ ଦିନିକିଆ ଦୁଇଥର ଡକ୍ରେ ଆଉଟ୍ କରିଛନ୍ତି । ଷ୍ଟାର୍କଙ୍କ ପୂର୍ବରୁ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏମିତି କରିଥିଲେ ।
ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ନଜର ଦୁଇ ମହାନ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିଥିଲା । ଦୀର୍ଘ ୭ ମାସ ପରେ ବିରାଟ ଓ ରୋହିତଙ୍କୁ ଏକତ୍ର ନୀଳ ଜର୍ସିରେ ଦେଖିବାକୁ ମିଳିଛି । ଉଭୟ ଗତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ୍ ପରଠୁ ପ୍ରଥମ ଥର ଏକାଠୀ ଖେଳିଛନ୍ତି । ହେଲେ ଦୁହେଁ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି । କୋହଲିଙ୍କ ପରେ କ୍ୟାପ୍ଟେନ୍ ଶୁଭମନ ଗିଲ ନାଥନଙ୍କ ବଲରେ ୧୦ ରନ କରି ଆଉଟ ହୋଇଛନ୍ତି । ବର୍ତ୍ତମାନ ଶ୍ରେୟାସ ଆୟର- ଅକ୍ଷର ପଟେଲ୍ କ୍ରିଜରେ ରହିଛନ୍ତି । ବର୍ଷା ବାଧକ ସାଜିଛି । ଦୁଇଥର ବର୍ଷା ହେବାରୁ ଖେଳ ଅଟକିଛି । ଉଭୟ ପକ୍ଷ ୪୯ ଓଭର ଖେଳିବାକୁ ନିଷ୍ପତ୍ତି ହୋଇଛି । ୧୧ ଓଭର ଖେଳ ସୁଦ୍ଧା ଭାରତ ୩ ୱିକେଟ ହରାଇ ୩୭ ରନ୍ କରିଛି ।