ଦୁବାଇ,୨୧/୦୯: ଏସିଆ କପ୍ ୨୦୨୫ ର ଦ୍ୱିତୀୟ ସୁପର ଫୋର୍ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ପାକିସ୍ତାନ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱିତୀୟ ଥର ପାଇଁ ଏହି ଦୁଇ ଦଳ ପରସ୍ପରର ମୁହାଁମୁହିଁ ହେଉଛନ୍ତି। ଭାରତ ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆ ପାକିସ୍ତାନୀ ଦଳ ସହିତ ହାତ ମିଳାଇବାକୁ ମନା କରିବାରୁ ମ୍ୟାଚ୍ ଟି ବହୁତ ବିବାଦର ସମ୍ମୁଖୀନ ହୋଇଥିଲା। ପରବର୍ତ୍ତୀ ସମୟରେ ପାକିସ୍ତାନ ଅନ୍ତର୍ଜାତୀୟ ଅପମାନର ମଧ୍ୟ ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହାତ ନମିଳାଇବା ନୀତି ଗ୍ରହଣ କରିଛନ୍ତି ।
ଭାରତୀୟ ଦଳର ଦୁଇଟି ପରିବର୍ତ୍ତନ:
ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଦୁଇଟି ପରିବର୍ତ୍ତନ କରିଛି। ଓମାନ ବିପକ୍ଷ ମ୍ୟାଚ୍‌ରେ ଭାରତ ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣାଙ୍କୁ ସାମିଲ କରିଥିବା ବେଳେ ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ବାଦ୍ ଦିଆଯାଇଥିଲା। ଏହି ମ୍ୟାଚ୍‌ରେ କିନ୍ତୁ ଉଭୟ ଫେରିଥିବା ବେଳେ ଅର୍ଶଦୀପ ଏବଂ ରାଣାଙ୍କୁ ବାଦ ଦିଆଯାଇଛି। 
ସେପଟେ ପାକିସ୍ତାନ ମଧ୍ୟ ତା'ର ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଏହି ମ୍ୟାଚ୍‌ରେ ହସନ ନୱାଜ ଏବଂ ଖୁସଦିଲ ଶାହ ଖେଳୁନାହାଁନ୍ତି। ଫହୀମ ଅସରଫ ଏବଂ ତଲତଙ୍କୁ ଦଳରେ ସାମିଲ କରାଯାଇଛି।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁଭମନ ଗିଲ, ସଞ୍ଜୁ ସାମସନ (ୱିକେଟ୍ କିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା