ନୂଆଦିଲ୍ଲୀ,୦୪/୧୦: ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଆଧିପତ୍ୟ ଜାରି ରଖି ଦମଦାର ବିଜୟ ହାସଲ କରିଛି । ଅଢେଇ ଦିନରେ ଲଢେଇ ଶେଷ ହୋଇଛି । ବ୍ୟାଟିଂ ଓ ବୋଲିଂରେ ଭାରତର ରାଜୁତି ଦେଖିବାକୁ ମିଳିଛି । ୧୪୦ ରନ୍‌ର ବଡ଼ ବିଜୟ ହାସଲ କରିଛି ଭାରତ । ଦ୍ବିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୪୬ରନ୍‌ରେ ଅଲଆଉଟ ହୋଇଛି । ରବୀନ୍ଦ୍ର ଜାଡେଜା ୪, ମହମ୍ମଦ ସିରାଜ ୩, କୁଳଦୀପ ଯାଦବ ୨ ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦେଖିବାକୁ ମିଳିଛି । ଶତକ ପରେ ୪ ୱିକେଟ ସଫଳତା ହାସଲ କରିଛନ୍ତି ସାର୍ ଜାଡେଜା । ଏହି ବିଜୟ ସହିତ ଭାରତର ୩୧ ବର୍ଷର ରେକର୍ଡ ବଜାୟ ରହିଛି । ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ଇଂଲଣ୍ଡ ବିପକ୍ଷରେ ୫ଟିକିଆ ଟେଷ୍ଟ ସିରିଜକୁ ବରାବର କରିବା ପରେ, ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରିଛି । ଅହମ୍ମଦାବାଦରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ୧୪୬ ରନ୍‌ରେ ଅଲଆଉଟ ହୋଇଛି । ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆର ୩ ଜଣ ଖେଳାଳି ଶତକ ହାସଲ କରିଥିଲେ । ଯେତେବେଳେ ୱେଷ୍ଟଇଣ୍ଡିଜ୍ ବ୍ୟାଟର କେହି ବି ଅର୍ଦ୍ଧଶତକ ସ୍କୋର କରିପାରି ନଥିଲେ। ସେମାନେ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନଥିଲେ । ପ୍ରଥମ ଟେଷ୍ଟ ମ୍ୟାଚରେ ଗୋଟିଏ ଇନିଂସରେ ୧୪୦ ରନ୍‌ରେ ପରାସ୍ତ ହୋଇଛି ଭ୍ରମଣକାରୀ ଇଣ୍ଡିଜ ।

ଟିମ୍ ଇଣ୍ଡିଆର ଜବରଦସ୍ତ ବୋଲିଂ- ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବ୍ୟାଟରଙ୍କୁ ଖେଳିବାକୁ ଦେଇଥିଲେ ଭାରତୀୟ ବୋଲର । ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଅତିଥି ଇଣ୍ଡିଜକୁ ଚମକା ଦେଇଛି । ଦ୍ବିତୀୟ ଇନିଂସରେ ରବୀନ୍ଦ୍ର ଜାଡ଼େଜା ୫୪ ରନ୍‌ ଦେଇ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ମହମ୍ମଦ ସିରାଜ ୩ଟି ଓ କୂଳଦୀପ ଯାଦବ ୨ଟି ୱିକେଟ ନେଇଛନ୍ତି । ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ସାର୍ ଜାଡେଜା ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

​​​​​​​ଦ୍ରାବିଡଙ୍କ ରେକର୍ଡ ସମକକ୍ଷ ହେଲେ ଜାଡେଜା- ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଇନିଂସ୍‌ ବିଜୟରେ ହିରୋ ସାଜିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ନାମରେ ଏକ ରେକର୍ଡ଼ ଯୋଡ଼ି ହୋଇଛି । ସେ ଟେଷ୍ଟ କ୍ୟାରିୟରରେ ୧୧ଥର ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ହାସଲ କରିବା ସହ ରାହୁଲ ଦ୍ରାବିଡ଼ଙ୍କ ରେକର୍ଡ଼ ସମକକ୍ଷ ହୋଇଛନ୍ତି । ଦ୍ରାବିଡ଼ ୧୬୩ଟି ଟେଷ୍ଟ ଖେଳି ୧୧ଥର ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପାଇଥିଲେ । ମାତ୍ର ଜାଡେଜା ୮୬ଟି ଟେଷ୍ଟରେ ଏହି ସଫଳତା ଲାଭ କରିଛନ୍ତି । କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ନାମରେ ସର୍ବାଧିକ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ରେକର୍ଡ଼ ରହିଛନ୍ତି । ସେ ୨୦୦ ଟେଷ୍ଟ ଖେଳିଥିବାବେଳେ ୧୪ଥର ଏହି ପୁରସ୍କାର ପାଇଛନ୍ତି । ପ୍ରଥମ ଟେଷ୍ଟରେ ଜାଡେଜାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । ସେ ଅପରାଜିତ ୧୦୪ରନ୍‌ କରିବା ସହ ୪ଟି ୱିକେଟ୍‌ ନେଇ । ଭାରତ ଇନିଂସ୍‌ ଓ ୧୪୦ରନ୍‌ରେ ଏହି ମ୍ୟାଚ୍‌ ଜିତିଥିଲା । ଜାଡେଜା ଚତୁର୍ଥ ଥର କୌଣସି ଟେଷ୍ଟରେ ଶତକ ଅର୍ଜନ କରିବା ସହ ୪ ୱିକେଟ୍‌ ନେବାରେ ସଫଳ ହୋଇଛନ୍ତି ।

ୱେଷ୍ଟଇଣ୍ଡିଜ୍‌କୁ ପ୍ରଥମ ଇନିଂସରେ ମାତ୍ର ୧୬୨ ରନ୍‌ରେ ଅଲ୍‌ ଆଉଟ୍‌ କରିବା ପରେ ଭାରତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୪୪୮ ରନ୍‌ କରିଥିଲା । କେଏଲ ରାହୁଲ, ରବିନ୍ଦ୍ର ଜାଡ଼େଜା ଓ ଧ୍ରୁବ ଜୁରେଲ ଶତକ ଅର୍ଜନ କରିଥିଲେ ।  ଦ୍ୱିତୀୟ ଦିବସରେ ଭାରତ ଅସମାପ୍ତ ପ୍ରଥମ ଇନିଂସ ୨/୧୨୧ ରନ୍‌ରୁ ବ୍ୟାଟିଂ ଆରମ୍ଭ କରିଥିଲା ।