ନୂଆଦିଲ୍ଲୀ,୦୮/୧୦: ଶତ୍ରକୁ ମାତ୍ ଦେବାକୁ ଆକାଶରେ ଉଡିଯାଆନ୍ତି...ମାଟିରୁ ଆକାଶ ପର୍ଯ୍ୟନ୍ତ ଗୁଞ୍ଜରତି ହୋଇଉଠେ ଜୟ ହିନ୍ଦ୍ ନାରା....ଦେଶର ଗର୍ବ ସେ ଆମର ଭାରତୀୟ ବାୟୁସେନା...। ଆଜି ବାୟୁସେନା ଦିବସ । ୯୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବାୟୁସେନା । ଏହି ଅବସରରେ ବାୟୁସେନାର ସାହସ, ବଳିଦାନ, ବୀରତ୍ବର ଗାଥାକୁ ପ୍ରଦର୍ଶିତ କରାଯାଉଛି । ଉତ୍ତରପ୍ରଦେଶ ଗାଜିଆବାଦରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ହିଣ୍ଡନ୍ ବାୟୁସେନା ଘାଟିରେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ । ବାୟୁସେନା ଦିବସ ଅବସରରେ ବାୟୁବୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୧୯୩୨ ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନାର ସ୍ଥାପନ ହୋଇଥିଲା । ଏହି ଐତିହାସିକ ସ୍ମରଣୀୟ ଦିନକୁ ମନେ ପକାଇ ପ୍ରତିବର୍ଷ ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଉଛି । ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ବାୟୁସେନାର ନାମ ଥିଲା 'ରୟାଲ ଇଣ୍ଡିଆନ ଏୟାରଫୋର୍ସ' । ୧୯୫୦ରେ ଏହାର ନାମ ବଦଳିଥିଲା । 'ରୟାଲ' ଶବ୍ଦକୁ ହଟାଇ ଦିଆଯାଇଥିଲା । ଭାରତୀୟ ବାୟୁସେନା ହୋଇଥିଲା । ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ବାୟୁସେନା ଭବ୍ୟ ପରେଡ ଏବଂ ଏୟାର ଶୋ ଜରିଆରେ ତାର ଶକ୍ତି ଓ ଶୌର୍ଯ୍ୟ ପ୍ରଦର୍ଶନ କରିଛି । ୯୩ତମ ପ୍ରତିଷ୍ଠା ଦିବସ ଅବସରରେ ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏୟାର ଶୋରେ ବାୟୁସେନାର ଲଢୁଆ ଯୁଦ୍ଧବିମାନ, ହେଲିକପ୍ଟର କୌଶଳ,ପରାକ୍ରମ ଦେଖାଇଛନ୍ତି । ଭାରତୀୟ ବାୟୁସେନା ଆମେରିକା, ଚୀନ ଏବଂ ରୁଷ୍ ପରେ ଦୁନିଆ ଚତୁର୍ଥ ଶକ୍ତିଶାଳୀ ବଡ ବାୟୁସେନା ଭାବେ ଉଭା ହୋଇଛି । କେବଳ ଯୁଦ୍ଧ ସମୟରେ ଦେଶର ରକ୍ଷା ନୁହେଁ ପ୍ରାକୃତିକ ବିପର୍ଯ୍ୟୟରେ ବି ସାହାଯ୍ୟ କରିଛି । ବିଶ୍ୱରେ ଅନ୍ୟ ଦେଶରେ ଶାନ୍ତି ପ୍ରୟାସରେ ଭାରତୀୟ ବାୟୁସେନାର ଭୂମିକା ରହିଛି । ଅସ୍ଥିରତା ସମୟରେ ଅନ୍ୟ ଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାର କାମ କରିଛି । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତୀୟ ବାୟୁସେନା ।
କେତେ ଶକ୍ତିଶାଳୀ ବାୟୁବୀର ? ଭାରତୀୟ ବାୟୁସେନା ପାଖରେ ସୁଖୋଇ-୩୦ MKI, ରାଫେଲ, ମିରାଜ-୨୦୦୦ ଭଳି ଆଧୁନିକ ଲଢ଼ୁଆ ବିମାନ ଏବଂ ସ୍ୱଦେଶୀ ତେଜସ ଜେଟ୍ ଅଛି । ଯାହାକୁ ଦେଖିଲେ ଶତ୍ରୁ ଭୟ କରନ୍ତି । ଭାରତୀୟ ବାୟୁସେନାର ବିଶ୍ୱର ସର୍ବୋଚ୍ଚ ଏୟାରଷ୍ଟ୍ରିପ୍ ଅଛି ଯାହା ଲଦାଖର ଦୌଲତ ବେଗ୍ ଓଲଡିରେ ୧୬,୬୧୪ ଫୁଟ ଉଚ୍ଚତାରେ ଅବସ୍ଥିତ। ୧୯୪୭, ୧୯୬୫, ୧୯୭୧, ୧୯୯୯ ଏବଂ ୧୯୬୨ ଭାରତ-ଚୀନ୍ ଯୁଦ୍ଧରେ ଭାରତୀୟ ବାୟୁସେନାର ଏକ ବଡ଼ ଅବଦାନ ରହିଥିଲା । ଏହା ବ୍ୟତୀତ ବାୟୁସେନା ଅନେକ ଥର ନିଜର ପରାକ୍ରମ ଦେଖାଇଛି ।
#WATCH | Ghaziabad, Uttar Pradesh: Indian Air Force Chief Air Chief Marshal AP Singh inspects the parade at Hindon Air Base, where Air Force Day celebrations are taking place.
— ANI (@ANI) October 8, 2025
(Video: ANI/Indian Air Force) pic.twitter.com/AkVffTFbEy
ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା- ସୋସିଆଲ ମିଡିଆ ଏକ୍ସରେ ବାୟୁବୀରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''ବାୟୁସେନା ଦିବସରେ ସମସ୍ତ ସାହସୀ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା । ଭାରତୀୟ ବାୟୁସେନା ସାହସ, ଶୃଙ୍ଖଳା ଏବଂ ସଠିକତାର ପ୍ରତିଫଳକ । ସେମାନେ ଆମ ଆକାଶକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ସବୁଠାରୁ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ମଧ୍ୟ ରକ୍ଷା କବଚ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କର ଭୂମିକା ମଧ୍ୟ ପ୍ରଶଂସନୀୟ । ସେମାନଙ୍କର ପ୍ରତିବଦ୍ଧତା, ବୃତ୍ତିଗତତା ଏବଂ ଅଦମ୍ୟ ମନୋଭାବ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ।''