ନୂଆଦିଲ୍ଲୀ ୧୮/୧୦: ଇଣ୍ଡୋନେସିଆର ୭୪ ବର୍ଷୀୟ ଜଣେ ବୃଦ୍ଧ ନିଜଠୁ ୫୦ ବର୍ଷ ସାନ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ମାମଲାକୁ ନେଇ ଖୁବ୍ ଆଲୋଚନା ଜୋର୍ ଧରିଛି । ବୃଦ୍ଧ ବିବାହ ପାଇଁ ମହିଳାଙ୍କୁ ୧୮୦,୦୦୦ ଆମେରିକୀୟ ଡଲାର ଅର୍ଥାତ ୧.୫ କୋଟି ଟଙ୍କା ଦେଇଛନ୍ତି । ରିପୋର୍ଟ ଅନୁସାରେ, ବିବାହର ଫଟୋଗ୍ରାଫି ପାଇଁ ଭଡ଼ାରେ ଆସିଥିବା ଫଟୋଗ୍ରାଫରଙ୍କୁ ଶୁଳ୍କ ନ ଦେଇ ନବଦମ୍ପତି ଫେରାର ହୋଇଯିବା ପରେ ମାମଲାଟି ସାମ୍ନାକୁ ଆସିଛି । ଫଟୋଗ୍ରାଫର ଏ ବିଷୟରେ ପୁଲିସକୁ ସୂଚନା ଦେଇଛନ୍ତି । ମାମଲାର ଯାଞ୍ଚ୍ ଆରମ୍ଭ ହେବା ପରେ ବର ଓ କନ୍ୟାଙ୍କ ମଧ୍ୟରେ ତାରତମ୍ୟ ଓ ମୋଟା ଅଙ୍କର ରାଶି ଦେବା କଥା ସାମ୍ନାକୁ ଆସିଲା ।
ଚଳିତ ମାସ ଆରମ୍ଭରେ ପୂର୍ବ ଭାୱା ପ୍ରାନ୍ତର ପାକିଟନ୍ରେ ଏକ ଭବ୍ୟ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ତରମନ ନାମକ ବ୍ୟକ୍ତି ୨୪ ବର୍ଷୀୟା ଶେଲା ଅରିକାଙ୍କ ସହ ବିବାହ ଘୋଷଣା କରିଥିଲେ । ବିବାହ ପାଇଁ ସେ ଶେଲାଙ୍କୁ ୧.୫ କୋଟି ଟଙ୍କା ମଧ୍ୟ ଦେଇଥିଲେ । ବିବାହର ଏକ ଅନ୍ଲାଇନ୍ ଭିଡିଓରେ ବିବାହ ସମାରୋହ ଏକ ଭବ୍ୟ ସ୍ଥଳରେ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ବର କନ୍ୟାକୁ ଯୌତୁକ ରୂପେ ୧.୫ କୋଟି ଟଙ୍କାର ଚେକ୍ ଦେବା ପରେ ଅତିଥିମାନେ ଖୁସିରେ ନାଚିଉଠିଲେ । କିନ୍ତୁ ବିବାହର ତୁରନ୍ତ ପରେ ଫଟୋଗ୍ରାଫି କମ୍ପାନିକୁ ଶୁଳ୍କ ନ ଦେଇ ଦମ୍ପତି ଫେରାର ହୋଇଗଲେ । ଏବେ ଲୋକେ ଅନୁମାନ କରୁଛନ୍ତି ଯେ ଯୌତୁକରେ ଦିଆଯାଇଥିବା ରାଶିର ଚେକ୍ ବି ନକଲି ଥିଲା । ଇତିମଧ୍ୟରେ କନ୍ୟା ପକ୍ଷର ଜଣେ ପରିଜନ ସିଧାପ୍ରସାରଣ ଭିଡିଓରେ କ୍ରୋଧ ଓ ନୈରାଶ୍ୟ ବ୍ୟକ୍ତ କରିଛନ୍ତି ।
ସେ କହିଛନ୍ତି, ପରିବାର ଓ ପଡ଼ୋଶୀ କନ୍ୟାଙ୍କୁ ବାରମ୍ବାର ସାବଧାନ ରହିବାକୁ ଚେତାବନୀ ଦେଇଥିଲେ । କିନ୍ତୁ ତଥାପି ସେ ବିବାହ ବିବାଦରେ ଫସିଗଲେ । ଇତିମଧ୍ୟରେ ତରମନ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି, କନ୍ୟାର ଅତ୍ୟଧିକ ମୂଲ୍ୟ କଥା ସତ ଥିଲା । ଏହା ଇଣ୍ଡୋନେସିଆର ବ୍ୟାଙ୍କ୍ ଅଫ୍ ଏସିଆର ଚେକ୍ । କିନ୍ତୁ ବିବାହ ପରେ ଫେରାର୍ ହୋଇଯିବା କଥାକୁ ସେ ଖଣ୍ଡନ କରିଛନ୍ତି । ପତ୍ନୀଙ୍କୁ ସେ ଛାଡ଼ି ଦେଇଥିବା ଦାବିକୁ ମଧ୍ୟ ଖଣ୍ଡନ କରିଛନ୍ତି । ଏବେ ବି ଉଭୟ ଏକାଠି ଅଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏବେ ସେମାନେ ହନିମୁନ୍ରେ ଯାଇଛନ୍ତି ବୋଲି କନ୍ୟାର ପରିବାର ମଧ୍ୟ ସ୍ପଷ୍ଟ କରିଛନ୍ତି ।