ନୂଆଦିଲ୍ଲୀ,୧୧/୧୦: ଭାରତୀୟ ପରମ୍ପରାରେ ପିଲାର ନାମକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ । ତେଣୁ ଠିକ୍ ନାଁ ଚୟନ କରିବା ପାଇଁ ଅଭିଭାବକ ଅତି ଯତ୍ନର ସହ ବିଚାରବିମର୍ଶ କରିଥାନ୍ତି । କାରଣ ନାଁ ଚୟନରେ ଟିକିଏ ଗଡ଼ବଡ଼ ହୋଇଗଲେ ପିଲା ବଡ଼ ହେବା ସହିତ ମା’ବାପାଙ୍କ ଚିନ୍ତା ବି ବଢ଼େ । ଇଣ୍ଡୋନେସିଆରେ ଜଣେ ବ୍ୟକ୍ତି କିନ୍ତୁ ନିଜ ସନ୍ତାନର ନାମକରଣରେ ଅଜବ ତରିକା ଆପଣେଇ ଚର୍ଚ୍ଚାକୁ ଆସିଛନ୍ତି । ବିଚାରବିମର୍ଶ ଦୂରର କଥା, ମନକୁ ଯାହା ଆସିଲା ସେ ପିଲାର ନାଁ ତାହା ରଖିଦେଲେ । ଅସାଧାରଣ ନାଁ ଲାଗି ପିଲାଟି ପ୍ରସିଦ୍ଧି ଅର୍ଜନ କରିଛି ।
୨୦୨୧ରେ ୧୨ ବର୍ଷ ବୟସରେ ଏହି ବାଳକ ଚର୍ଚ୍ଚାକୁ ଆସିଥିଲେ । ଇଣ୍ଡୋନେସିଆର ସାଉଥ୍ ସୁମାତ୍ରା ପ୍ରଦେଶ ବାସିନ୍ଦା ଏହି ବାଳକଙ୍କ ନାଁ ‘ଏବିସିଡିଇଏଫ୍ ଜିଏଚ୍ଆଇଜେକେ’ । ହଁ, ବିଶ୍ୱାସ ନ ହେଲେ ବି ଏହା ସତ । ଇଂରାଜୀ ବର୍ଣ୍ଣମାଳାର ପ୍ରଥମ ୧୧ଟି ଅକ୍ଷର । ମୁଆରା ଏନିମ ଜିଲ୍ଲାରେ ପୁଲିସ ଦ୍ୱାରା ଆୟୋଜିତ ଏକ ଟିକାକରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଏହି ବାଳକଙ୍କ ନାଁ ଶିରୋନାମା ହୋଇଥିଲା । ସ୍ୱାସ୍ଥ୍ୟକର୍ମୀମାନେ ପ୍ରଥମେ ରେଜିଷ୍ଟର୍ରେ ବାଳକଙ୍କ ନାଁ ଦେଖି ଥଟ୍ଟା ବୋଲି ମନେକଲେ । କିନ୍ତୁ ଯେତେବେଳେ ତାଙ୍କ ପରିଚୟ ପତ୍ର ଓ ସ୍କୁଲ ୟୁନିଫର୍ମରେ ଛପା ହୋଇଥିବା ଏହି ନାଁକୁ ଦେଖିଲେ, ସେମାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଦସ୍ତାବିଜରେ ଉଲ୍ଲେଖ ହୋଇଥିବା ତାଙ୍କ ନାଁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଏ ତାଙ୍କର ମଜା ଉଡ଼ାଇଲା ତ, ଆଉ କିଏ ତାଙ୍କୁ ସମାଲୋଚନା କଲା ।
ଗଣମାଧ୍ୟମ ଅନୁସାରେ, ଜୁନିୟର ହାଇସ୍କୁଲରେ ଅଧ୍ୟୟନ କରୁଥିବା ଏହି ବାଳକଙ୍କ ଅନୁସାରେ, ପ୍ରଥମେ ସହପାଠୀମାନେ ତାଙ୍କ ନାଁକୁ ନେଇ ଚିଡ଼ାଉଥିଲେ । କିନ୍ତୁ ବଡ଼ ହେବା ସହିତ ଗର୍ବର ସହ ସେ ନିଜ ନାଁକୁ ଗ୍ରହଣ କରିଛନ୍ତି । ସହଜରେ ସମ୍ବୋଧନ ପାଇଁ ‘ଏଡିଇଏଫ୍’ ନାଁ ଡାକିବାକୁ ସେ ସମସ୍ତଙ୍କୁ କହୁଛନ୍ତି । ବାଳକଙ୍କ ବାପା ଜୁଲ୍ଫାମି କହିଛନ୍ତି, ପୁଅ ଜନ୍ମ ହେବାର ୬ ବର୍ଷ ପୂର୍ବରୁ ତାଙ୍କ ମନକୁ ଏହି ବିଚାର ଆସିଥିଲା । ଇଂରାଜୀ ଭାଷା ଓ କ୍ରସ୍ୱାର୍ଡ ପଜଲ୍ ପ୍ରତି ଖୁବ୍ ଆଗ୍ରହୀ ଜୁଲ୍ଫାମି ଜଣେ ଲେଖକ ହେବାକୁ ସ୍ୱପ୍ନ ଦେଖୁଥିଲେ । ଇଂରାଜୀ ଅକ୍ଷର ପ୍ରତି ମୋହ ତାଙ୍କୁ ନିଜ ପୁଅର ଏପରି ନାମକରଣ କରିବାକୁ ପ୍ରେରିତ କଲା । ତାଙ୍କ ପତ୍ନୀ ମଧ୍ୟ ଏଥିରେ ରାଜି ହେଲେ । ଦମ୍ପତିଙ୍କ ୨ୟ ସନ୍ତାନର ନାମ ‘ଏନ୍ଓପିକ୍ୟୁ ଆର୍ଏସ୍ଟିୟୁଭି’ ଏବଂ ୩ୟ ସନ୍ତାନର ନାମ ‘ଏକ୍ସୱାଇଜେଡ୍’ ।