କଟକ,୦୬/୧୦: ଦୁର୍ଗାପୂଜା ଭସାଣି ରାତିର ଗଣ୍ଡଗୋଳ, ଉତ୍ତେଜନାକୁ କେନ୍ଦ୍ର କରି  ଅଶାନ୍ତ ହୋଇପଡିଛି  କଟକ ସହର । ଦୁଇ ଦିନ ଧରି ଚାପା  ଉତ୍ତେଜନା ଲାଗି ରହିଥିବା ବେଳେ ରବିବାର ସହରରେ ଜଳିଥିଲା ନିଆଁ ।  ସୋମବାର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨  ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ଦିନକ ପୂର୍ବରୁ ବନ୍ଦ ସମର୍ଥକ ଆନ୍ଦୋଳନକାରୀମାନେ  ରାଜରାସ୍ତାକୁ ଓହ୍ଲାଇବା ଯୋଗୁଁ ସ୍ଥିତି  ସାଂଘାତିକ ହୋଇଥିଲା । ପୁଲିସ- ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ ।  ଉଭୟପକ୍ଷଙ୍କ ମଧ୍ୟରେ ଦରଘାବଜାରଠାରେ ସଂଘର୍ଷ ହୋଇଥିଲା । ପୁଲିସ ଉପରକୁ ଢେଲାମାଡ଼ ହୋଇଥିବା ବେଳେ  ଏଥିରେ ୨୫ ଜଣ ପୁଲିସ କର୍ମଚାରୀ  ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ  ୮ ଜଣଙ୍କ ଅବସ୍ଥା ଗୁରୁତର ଅଛି ।  

ଅପରପକ୍ଷରେ ପୁଲିସ ତରଫରୁ ଲାଠି  ଚାର୍ଜ କରାଯିବା ସହ ଲୁହ ବୁହା ବାଷ୍ପ  ପ୍ରୟୋଗ କରାଯାଇ ଆନ୍ଦୋଳନକାରୀଙ୍କୁ  ତଡ଼ିବାକୁ ଉଦ୍ୟମ କରାଯାଇଥିଲା । ସ୍ଥିତି  ଅଣାୟତ୍ତ ହେଉଥିବାରୁ କଟକ ସହରରେ  ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଥିଲେ ପୁଲିସ  କମିସନର ଏସ୍‌. ଦେବଦତ୍ତ ସିଂ । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏ କର୍ଫ୍ୟୁ  ବଳବତ୍ତର ରହିବ । କମିସନରେଟ୍‌ ପୁଲିସ ଅନ୍ତର୍ଗତ  ଦରଘାବଜାର, ମଙ୍ଗଳାବାଗ୍‌,  କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ,  ବିଡାନାସୀ, ମର୍କତନଗର, ସିଡିଏ  ଫେଜ୍‌-୨, ମାଲଗୋଦାମ, ଜଗତପୁର, ବୟାଳିଶମୌଜା, ବାଦାମବାଡ କଟକ ସଦର ଭଳି ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି  କରାଯାଇଛି ।

ରବିବାର ରାତି ୧୦ଟାରୁ କର୍ଫ୍ୟୁ କାର୍ଯ୍ୟକ୍ଷମ ହୋଇଛି । କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ  କରାଯିବ ନାହିଁ । ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ।  ବିଶୃଙ୍ଖଳା କଲେ ପୁଲିସ ବଳ ପ୍ରୟୋଗ କରିବ ବୋଲି ଖୋଲାଖୋଲି  ଚେତାବନୀ ଦେଇଛନ୍ତି କମିସନର ଶ୍ରୀ ସିଂ । ତେବେ କର୍ଫ୍ୟୁ ଲାଗିବା  ପରେ  କଟକ ବନ୍ଦ ଡାକରା କାର୍ଯ୍ୟକାରୀ ହେବ ନାହିଁ  ବୋଲି ସ୍ପଷ୍ଟ ହୋଇଯାଇଛି ।    

ଅନ୍ୟପକ୍ଷରେ ଆନ୍ଦୋଳନକାରୀ-ପୁଲିସ୍‌ ସଂଘର୍ଷ ଯୋଗୁଁ  ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଗୁରୁତର ଆହତ ହୋଇଛନ୍ତି ।  ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ, ଏସିପି ଗିରିଜା ଶଙ୍କର  ଚକ୍ରବର୍ତ୍ତୀ, ଦରଘାବଜାର ଥାନା ଅଧିକାରୀ ରାକେଶ ବେହେରା,  ମାଲଗୋଦାମ ଥାନା ଅଧିକାରୀ ରଜନୀକାନ୍ତ ଦାସ, ଚାଉଳିଆଗଞ୍ଜ  ଥାନା ଅଧିକାରୀ ଚିନ୍ତେଶ୍ୱର ମୁଣ୍ଡାଙ୍କ ସମେତ ୨୫ ପୁଲିସ କର୍ମଚାରୀ  ମଧ୍ୟ ଆହତ ହୋଇଛନ୍ତି । ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ  ଗୌରୀଶଙ୍କର ପାର୍କ ନିକଟରେ କିଛି ଉଠା ଦୋକାନ ଭଙ୍ଗାରୁଜା  କରିବା ସହ ଠେଲାଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ପ୍ରାୟ  ୫୦ରୁ ଅଧିକ ଠେଲା ଗାଡ଼ିକୁ ଜଳାଇ ଦେଇଛନ୍ତି । କିଛି ଦୋକାନ  ଲୁଟ ହୋଇଥିବା ବି ଅଭିଯୋଗ ହୋଇଛି । ତେବେ ସହରରେ  ଉତ୍ତେଜନା ବଢିବାରୁ କଟକ ସହରର ଅନେକ  ସ୍ଥାନରେ ସବୁ ଦୋକାନ ବଜାର ବନ୍ଦ ରହିଛି।  

କଟକ ସହରରେ ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ପୁଲିସ୍‌  ଛାଉଣି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ନିର୍ଦ୍ଦେଶରେ ପୁଲିସ୍‌ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଘଟଣାସ୍ଥଳରେ ପହଞ୍ଚି ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂ  ଓ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି  ଅନୁଧ୍ୟାନ ଓ ନିୟନ୍ତ୍ରଣ କରିଛନ୍ତି । ପ୍ରାୟ ୧୦ ବରିଷ୍ଠ ଆଇପିଏସ୍‌  ଘଟଣାସ୍ଥଳରେ ଉପସ୍ଥିତ ରହିବା ସହ କ୍ୟାମ୍ପ୍‌ କରି ସ୍ଥିତି ନିୟନ୍ତ୍ରଣ  କରୁଛନ୍ତି । ସ୍ଥିତି ନିୟନ୍ତ୍ରିତ ରଖିବାକୁ ଚୌଧୁରୀବଜାର ଠାରୁ  ବାରପଥର ପର୍ଯ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ କରାଯାଇଥିବା  ବେଳେ ପୁଲିସ ପଇଁତରା ଦେଉଛି । ଫୋର୍ସ ଫ୍ଲାଗ୍‌ ମାର୍ଚ୍ଚ କରିଛି ।

 ଏଥିସହ କଟକ ସହରରେ ଇଣ୍ଟରନେଟ୍‌ ଉପରେ କଟକଣା  ଜାରି କରାଯାଇଛି । ମୋବାଇଲ୍‌ ଇଣ୍ଟରନେଟ୍‌ ବାତିଲ୍‌ ନେଇ ଗୃହ  ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ରବିବାର ସନ୍ଧ୍ୟା  ୭ଟାରୁ ସୋମବାର ସନ୍ଧ୍ୟା ୭ଟା ଯାଏ ୨୪ ଘଣ୍ଟା ଇଣ୍ଟରନେଟ୍‌  ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ହ୍ୱାଟସଆପ୍‌,  ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଏକ୍ସ, ସ୍ନାପ୍‌ଚାଟ୍‌ ଆଦି ସୋସିଆଲ୍‌  ମିଡ଼ିଆ ପ୍ଲାଟଫର୍ମ ଅକାମୀ ହୋଇପଡ଼ିଛି । କଟକ ମହାନଗର  ନିଗମ ଅଞ୍ଚଳ ସମେତ ସିଡିଏ, ବୟାଳିଶମୌଜାରେ ଇଣ୍ଟରନେଟ୍‌  ବ୍ୟବହାର ଉପରେ ଅଙ୍କୁଶ ଲାଗିଛି ।    

ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ  ଶାନ୍ତି ରକ୍ଷା ପାଇଁ ସହରବାସୀଙ୍କୁ ନିବେଦନ କରିଛନ୍ତି । କେତେକ  ବିଶୃଙ୍ଖଳାକାରୀଙ୍କ ଯୋଗୁଁ କଟକ ସହରର ଭାଇଚାରା, ପରମ୍ପରା,  ଗୌରବ କ୍ଷୁଣ୍ଣ ହେଉଛି । ସାଧାରଣ ଲୋକଙ୍କ ଜୀବନଯାତ୍ରା  ବ୍ୟାହତ ହେଉଛି । ସେମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରହିଥିବା  ବେଳେ ସବୁ ଦୋଷୀ ଓ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ  ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ  ମାଝୀ ପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଏହି ସମୟରେ ମିଳିମିଶି ସଂଯମତା ରକ୍ଷା କରିବା ଜରୁରୀ  ବୋଲି କହିଛନ୍ତି । ପରମ୍ପରାକୁ ଅକ୍ଷୁଣ୍ଣ ରଖିବାକୁ ସେ ନିବେଦନ  କରିଛନ୍ତି । ସହରରେ ଶାନ୍ତି ରକ୍ଷା କରିବାକୁ ବିରୋଧୀ ଦଳ  ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ  ନିବେଦନ କରିଛନ୍ତି ।    

ଦରଘାବଜାର ଅଞ୍ଚଳରେ ଭସାଣି ବେଳେ ଶୁକ୍ରବାର ବିଳମ୍ବିତ  ରାତିରେ ଘଟିଥିବା ଗଣ୍ଡଗୋଳ, ଢେଲାମାଡ଼, ଗୋଷ୍ଠୀ ସଂଘର୍ଷ  ଓ ଉତ୍ତେଜନାକୁ କେନ୍ଦ୍ର କରି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ  ସୋମବାର ସକାଳୁ ସନ୍ଧ୍ୟା ଯାଏ ୧୨ ଘଣ୍ଟିଆ କଟକ ବନ୍ଦ  ଡାକରା ଦିଆଯାଇଥିଲା । ବନ୍ଦ ସମର୍ଥନରେ ବିଶ୍ୱହିନ୍ଦୁ  ପରିଷଦର କଟକ ମହାନଗର ସଂଗଠନ ଓ ବିଭିନ୍ନ ହିନ୍ଦୁ  ସଂଗଠନ ତରଫରୁ ଏକ ମୋଟର ସାଇକେଲ୍‌ ରାଲି କରାଯିବା  ନେଇ ଆହ୍ୱାନ ଦିଆଯାଇଥିଲା । ଏହି ରାଲି ବିଦ୍ୟାଧରପୁର  ଠାରୁ ବାହାରି ନୂଆବଜାର, ପୋତାପୋଖରୀ, ଚାଉଳିଆଗଞ୍ଜ,  ଓଏମ୍‌ପି, କଲେଜଛକ, ରାଣୀହାଟ, ବଜ୍ରକବାଟି, ଦୋଳମୁଣ୍ଡାଇ,  ବାଦାମବାଡ଼ି ପାଖରୁ ବୁଲି ହରିପୁର ଦୋଳମୁଣ୍ଡାଇ ଦେଇ  ଦରଘାବଜାର ଅଭିମୁଖେ ଯାଇଥିଲା । ପୁଲିସ୍‌ ପୂର୍ବରୁ  ଆନ୍ଦୋଳନକାରୀଙ୍କୁ ନ ଅଟକାଇ ଦରଘାବଜାର ପର୍ଯ୍ୟନ୍ତ  ଆସିବାକୁ ସୁଯୋଗ ଦେଇଥିଲା । ଦରଘାବଜାର ନିକଟରେ  ଆନ୍ଦୋଳନକାରୀମାନେ ପହଞ୍ଚିବା ପରେ ଦରଘାବଜାର ଥାନା  ସାମ୍ନାରେ ହୋହଲ୍ଲା କରିଥିଲେ । ଭସାଣି ରାତିରେ ଠିକ୍‌ ଏହି ସ୍ଥାନରେ ଉତ୍ତେଜନା, ମାର୍‌ପିଟ୍‌ ହୋଇଥିବାବେଳେ  ରବିବାର ଏଠାରେ ପୁଲିସ୍‌ ସହ ସାମ୍ନାସାମ୍ନି ହୋଇଥିଲେ  ଆନ୍ଦୋଳନକାରୀ । ପୁଲିସ୍‌ ଉପରେ ଆକ୍ରମଣ କରାଯିବା ପରେ  ପୁଲିସ୍‌ ପାଲଟା ଲାଠି ଚାର୍ଜ କରି ଆନ୍ଦୋଳନକାରୀଙ୍କୁ ତଡ଼ିଥିଲା । ଲୁହବୁହା ବାଷ୍ପ ବି ମାରିଥିଲା । ପରେ ଏଠାକାର ସ୍ଥିତି ଅଣାୟତ୍ତ  ହୋଇପଡିଥିଲା । ଆନ୍ଦୋଳନକାରୀ ମାନେ ଛିନ୍‌ଛତ୍ର ହୋଇ  ବିଭିନ୍ନ ଗଳିକନ୍ଦିରେ ପ୍ରବେଶ କରି ନାରାବାଜି ଦେବା ଆରମ୍ଭ  କରିଥିଲେ । ପରେ ସ୍ଥିତି ଅଶାନ୍ତ ହୋଇପଡ଼ିଥିଲା । ଗୌରୀଶଙ୍କର  ପାର୍କ ନିକଟରେ କିଛି ଉଠା ଦୋକାନୀଙ୍କ ଠେଲା ଗାଡ଼ିରେ  ନିଆଁ ଲଗାଇ ଦିଆଯାଇଥିଲା । ପୁଲିସ୍‌ ସେଠାରେ ପହଞ୍ଚି  ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା  ବେଳେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଦରଘାବଜାର ଥାନା  ଅଧିକାରୀ ରାକେଶ ବେହେରାଙ୍କ ସମେତ ବହୁ ପୁଲିସ୍‌ ଆହତ  ହୋଇଥିଲେ ।

ଘଟଣାସ୍ଥଳରେ ଅତିରିକ୍ତ ପୁଲିସ୍‌ କମିସନର  ନରସିଂହ ଭୋଳ, ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ,  ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ପ୍ରମୁଖ ଉପସ୍ଥିତ  ରହି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଶେଷଯାଏ  ସ୍ଥିତିରେ ସୁଧାର ନ ଆସିବାରୁ କର୍ଫ୍ୟୁ ଜାରି କରାଯାଇଥିଲ