ନୂଆଦିଲ୍ଲୀ,୦୨/୧୧: ମୋକାମା ନିର୍ବାଚନ ମଣ୍ଡଳୀରୁ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହ ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଛି । ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ୍ । ଜନ ସୁରଜ ପାର୍ଟି ସମର୍ଥକ ଦୁଲାରଚାନ୍ଦ ଯାଦବଙ୍କ ହତ୍ୟାକାଣ୍ଡରେ ଅନନ୍ତ ଗିରଫ ହୋଇଛନ୍ତି । ପୁଲିସ୍ ତଦନ୍ତ ଅନୁସାରେ ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କର ସୋସିଆଲ ମିଡିଆ ଭିଡିଓ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଜାରି କରି ଜନତା ଦଳ ୟୁନାଇଟେଡ ପ୍ରାର୍ଥୀ ଅନନ୍ତ କହିଛନ୍ତି, '''ସତ୍ୟମେବ ଜୟତେ' । ମୋକାମାର ଲୋକଙ୍କ ଉପରେ ମୋର ଭରସା-ବିଶ୍ୱାସ ଅଛି । ତେଣୁ ନିର୍ବାଚନ ଏବେ ମୋକାମା ଲୋକ ଲଢିବେ ।'' ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି ।
ଗତ ଅକ୍ଟୋବର ୩୦ରେ ଜନ ସୁରଜ ଦଳ ପିୟୁଷ ପ୍ରିୟଦର୍ଶୀ ପ୍ରଚାର କରୁଥିବା ସମୟରେ ପାର୍ଟି ପ୍ରାର୍ଥୀଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ଦଳର ସମର୍ଥକ ପଥର ଫିଙ୍ଗା ଫିଙ୍ଗି ହୋଇଥିଲେ । ଘଟଣା ପରେ ଏ ଜନ ସୁରଜ ସମର୍ଥକ ୭୫ ବର୍ଷୀୟ ଦୁଲାରଚାନ୍ଦ ଯାଦବଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯେଉଁଠାରେ ସଂଘର୍ଷ ହୋଇଥିଲା ଉକ୍ତ ଗ୍ରାମର ବାସିନ୍ଦା ଥିଲେ ଦୁଲାରଚାନ୍ଦ । ଉଭୟ ପକ୍ଷ ଏକ ଅଭିଯୋଗ ଦାଖଲ କରିଥିଲେ ଏବଂ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରମାଣ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ସମେତ ତାଙ୍କର ଦୁଇ ସହଯୋଗୀ ମଣିକାନ୍ତ ଠାକୁର ଓ ରଣଜୀତ ରାମକୁ ଗିରଫ କରିଛି । ଅନନ୍ତ ସିଂହ ମାମଲାର ମୁଖ୍ୟ ଅଭିଯୁକ୍ତ । ୩ ଜଣଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ । ମାମଲାରେ, ନିର୍ବାଚନ କମିଶନ SDO ଏବଂ SP ସମେତ ଅନେକ ଅଧିକାରୀଙ୍କୁ ବଦଳି କରିଥିଲେ । ଅନନ୍ତ ସିଂହଙ୍କ ଗିରଫଦାରୀ ମୋକାମା ନିର୍ବାଚନମଣ୍ଡଳୀର ନିର୍ବାଚନ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ବିରୋଧୀ ଦଳଗୁଡ଼ିକ ଏହି ଘଟଣାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି ।