ନୂଆଦିଲ୍ଲୀ,୩୦/୧୦ : ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ପରବର୍ତ୍ତି CJI ନିଯୁକ୍ତ । ୫୩ତମ ପ୍ରଧାନ ବିଚାରପତି ଭାବେ ଆସନ୍ତା ନଭେମ୍ବର ୨୪ତାରିଖରେ ସେ ଶପଥ ଗ୍ରହଣ କରିବେ ।  କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କୁ ନିଯୁକ୍ତ କରାଯାଇଛି । ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହା ଘୋଷଣା କରାଯାଇଛି ।
ତାଙ୍କର କାର୍ଯ୍ୟକାଳ ପ୍ରାୟ ୧୪ ମାସ ରହିବ। ସେ ୨୦୨୭ ଫେବୃଆରୀ ୯ରେ ଅବସର ନେବେ । ଆସନ୍ତା ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ବି.ଆର. ଗଭାଇ ଅବସର ନେଉଛନ୍ତି । ପାରମ୍ପରିକ ଭାବେ ଅବସର ନେବାର ପ୍ରାୟ ଏକ ମାସ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ୍ କରିବାକୁ ଅନୁରୋଧ କରିଥିଲେ ।  

ସୂଚନା ଅନୁସାରେ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହରିୟାଣାର ହିସାରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଶିକ୍ଷକ ଥିଲେ। ସେ ଗାଁ ସ୍କୁଲରେ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ । ୧୯୮୧ ରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ୧୯୮୪ରେ ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟ ରୋହତକରୁ ଲଡିଗ୍ରୀ ଶେଷ କରିଥିଲା। ୨୦୦୦ ମସିହା ଜୁଲାଇ ୭ରେ ସେ ହରିୟାଣାର ସର୍ବ କନିଷ୍ଠ  ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ ହୋଇଥିଲେ। ଏହା ପର ବର୍ଷ ତାଙ୍କୁ ସିନିଅର ଆଡଭୋକେଟ୍ ପଦ ମିଳିଥିଲା। ୨୦୦୪ ଜାନୁଆରୀ ୯ରେ ସେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ। ପରେ ୨୦୧୮ ଅକ୍ଟୋବର ୮ରେ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏବେ ୨୪ ନଭେମ୍ବରରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଆଗାମୀ ସିଜେଆଇ ହେବାକୁ ଯାଉଛନ୍ତି ।  ​​​​​​​