​​​​​​​କୋଣାର୍କ,୧୧।୧୦(ଆପ୍ର) କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଗୁହା ପୁନମ ତାପସ କୁମାର  କୋଣାର୍କ ଅର୍ବାନ ହାଟ ପୁନରୁଦ୍ଧାର ନିମନ୍ତେ ସମୀକ୍ଷା କରିଛନ୍ତି। ଅର୍ବାନ ହାଟରେ ପର୍ଯ୍ୟଟକମାନେ କିଭଳି ଅଧିକ ସମୟ ଅତିବାହିତ କରିବେ ସେଥି ନିମନ୍ତେ ଖୁବଶୀଘ୍ର ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଯିବ। ସେରିଫେଡ ଏହାର ଉନ୍ନୟନ କାର୍ଯ୍ୟ ଆରମ୍ଭ କରିବ।

ଆସନ୍ତା କୋଣାର୍କ ଉତ୍ସବରେ ନୂଆ ରୂପରେ ଅର୍ବାନ ହାଟକୁ ଦେଖିବାକୁ ମିଳିବ। ଅର୍ବାନ ହାଟ ମଧ୍ୟରେ ୪୦ଟି ଦୋକାନ ଗୃହ ସମେତ ପ୍ରଦର୍ଶନୀ କକ୍ଷ, ଶୌଚାଳୟ,ଏକ ଜଳ ଉତ୍ସ ରହିଛି। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଠାରେ ଫୁଡ୍ କୋର୍ଟ, ବିଭିନ୍ନ ଅଞ୍ଚଳର ହସ୍ତତନ୍ତ ହସ୍ତଶିଳ୍ପ ସାମଗ୍ରୀ ପସରା ଖୋଲିବ। ପାନୀୟ ଜଳ ଓ ପାର୍କିଂକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ପାର୍ଶ୍ବରୁ ଅର୍ବାନ ହାଟ ପରିସରକୁ ପ୍ରବେଶ ପଥ ଖୋଲିବ। ଫଳରେ ପର୍ଯ୍ୟଟକମାନେ ଅର୍ବାନ ହାଟରେ କିଛି ସମୟ ଅତିବାହିତ କରି ଫେରିବେ।

ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ପୁରୀ ଜିଲ୍ଲା ହସ୍ତଶିଳ୍ପ ଉପନିର୍ଦ୍ଦେଶକ ବିଷ୍ନୁପଦ ମାରାଣ୍ଡି, ସିଡାକ ସଦସ୍ୟ ସଚିବ ସୁବ୍ରତ ବେହେରା, ହସ୍ତଶିଳ୍ପ ଅଧିକାରୀ ଇପିସିତା ପ୍ରଧାନ, ସୂର୍ଯ୍ୟକାନ୍ତ ପଣ୍ଡା,ଅର୍ବାନ ହାଟ ଇନଚାର୍ଜ ପ୍ରଦୀପ କୁମାର ମିଶ୍ର,ତହସିଲଦାର ଅନିଲ କୁମାର ମହାନ୍ତି, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅର୍ବାନହାଟର ପୁନରୁଦ୍ଧାର ସହିତ କିଭଳି ପର୍ଯ୍ୟଟକମାନେ ଆସି ଅଧିକ ସମୟ ଅତିବାହିତ କରିବେ ସେଥିପାଇଁ କାର୍ଯ୍ୟ ଆରମ୍ଭ ହେବ ବୋଲି ଆରଡିସି କହିଥିଲେ।