ନୂଆଦିଲ୍ଲୀ,୩୦/୦୯:  ଖୁବ୍‌ଶୀଘ୍ର ମୋବାଇଲ ନମ୍ବର  ପୋର୍ଟେବିଲିଟି(ଏମ୍‌ଏନ୍‌ପି) ଭଳି ଗ୍ୟାସ କମ୍ପାନି ବଦଳାଇପାରିବେ ଉପଭୋକ୍ତା ।  ଗ୍ୟାସ ସଂଯୋଗକୁ ଅନ୍ୟ କମ୍ପାନିକୁ ବଦଳାଇପାରିବେ । ଏଥିପାଇଁ ପ୍ରସ୍ତୁତି  ଆରମ୍ଭ କରିସାରିଲାଣି ପେଟ୍ରୋଲିୟମ  ଏବଂ ପ୍ରାକୃତିକ ଗ୍ୟାସ୍‌ ନିୟାମକ ବୋର୍ଡ  (ପିଏନ୍‌ଜିଆର୍‌ବି) । ଏହାଦ୍ୱାରା ଖାଉଟିଙ୍କୁ  ଅଧିକ ବିକଳ୍ପ ଏବଂ ଉନ୍ନତ ସେବା ମିଳିବ ।

ୟୁପିଏ ସରକାର ୨୦୧୩  ଅକ୍ଟୋବରରେ ୧୩ ରାଜ୍ୟର ୨୪ ଜିଲ୍ଲାରେ ଏଲ୍‌ପିଜି କନେକ୍ସନ ପୋର୍ଟେବିଲିଟିର  ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିଥିଲେ ।  ୨୦୧୪ ଜାନୁଆରୀରେ ଏହାକୁ ୪୮୦  ଜିଲ୍ଲା ପର୍ଯ୍ୟନ୍ତ ବିସ୍ତାର କରିଥିଲେ । କିନ୍ତୁ  ଏଥିରେ ଜଣେ ଉକ୍ତ କମ୍ପାନି ଅଧୀନରେ  ଥିବା ଡିଲର ବଦଳାଇପାରୁଥିଲେ । ଯଦି  ଆପଣ ଜଣେ ଇଣ୍ଡେନ୍‌ ଗ୍ୟାସ ଗ୍ରାହକ,  ତେବେ ଅନ୍ୟ କମ୍ପାନିକୁ ଯିବା ସମ୍ଭବ ହେଉ ନ ଥିଲା । ଇଣ୍ଡେନ୍‌ ଅଧୀନରେ  ଥିବା ଡିଲର ବଦଳାଇବାର ସୁବିଧା ହିଁ  ମିଳୁଥିଲା ।

ଏହାର କାରଣ ହେଉଛି  ନିୟମ ଅନୁସାରେ, ସିଲିଣ୍ଡର କେବଳ  ଉକ୍ତ କମ୍ପାନିରୁ ରିଫିଲ୍‌ କରାଯାଇପାରିବ,  ଯାହା ଏହାକୁ ଜାରି କରିଛି । ନୂଆ  ବ୍ୟବସ୍ଥାରେ ଏବେ ଏହି ପୁରୁଣା ବ୍ୟବସ୍ଥାକୁ  ହଟାଇ ଦିଆଯିବ । ପିଏନ୍‌ଜିଆର୍‌ବି  ଆନ୍ତଃ-କମ୍ପାନି ପୋର୍ଟେବିଲିଟି ଆଣୁଛି ।  ଏଥିରେ ଜଣେ ଯେକୌଣସି କମ୍ପାନିର  କନେକ୍ସନକୁ ବଦଳାଇପାରିବେ ।  ସ୍ଥାନୀୟ ବିତରକଙ୍କ ପରିଚାଳନାଗତ  ସମସ୍ୟା ଯୋଗୁ ଗ୍ରାହକ ଚିନ୍ତିତ । ଅନେକ ସମୟରେ ରିଫିଲ୍‌ରେ ସପ୍ତାହ ପର୍ଯ୍ୟନ୍ତ  ବିଳମ୍ବ ହୋଇଥାଏ ।

ପିଏନ୍‌ଜିଆର୍‌ବିର  କହିବାନୁସାରେ, ଗ୍ରାହକଙ୍କୁ ବିକଳ୍ପ ଚୟନ  କରିବାର ସ୍ୱାଧୀନତା ଦିଆଯିବା ଦରକାର,  ବିଶେଷକରି ଯେତେବେଳେ ସମସ୍ତ  କମ୍ପାନିର ସିଲିଣ୍ଡର ଦର ସମାନ ହୋଇଥିବ ।  ଯଦି ସ୍ଥାନୀୟ ଡିଲର ଠିକ୍‌ ଭାବେ କାର୍ଯ୍ୟ  କରୁନାହିଁ, ସେତେବେଳେ ଅନ୍ୟ କମ୍ପାନିଙ୍କ  ନିକଟସ୍ଥ ବିତରକଙ୍କଠାରୁ ରିଫିଲ୍‌ କରିବାର ସୁବିଧା ମିଳିବ । ପିଏନ୍‌ଜିଆର୍‌ବି ଏବେ  ଅଂଶୀଦାର, ଉପଭୋକ୍ତା, ବିତରକ ଏବଂ ଜନସାଧାରଣଙ୍କ ଫିଡ୍‌ବ୍ୟାକ୍‌ ମାଗିଛି । ମତାମତ ଦେବାର ଅନ୍ତିମ ତାରିଖ  ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ ରହିଛି। ଏହାପରେ ନିୟମ ଏବଂ ମାର୍ଗଦର୍ଶିକା ହେବ  ଓ ସମଗ୍ର ଦେଶରେ ପ୍ରଚଳନ କରାଯିବାର  ତାରିଖ ନିର୍ଦ୍ଧାରଣ କରାଯିବ ।  

ଭାରତରେ ଏବେ ତିନୋଟି ପ୍ରମୁଖ  ସରକାରୀ ତୈଳ ବିପଣନ କମ୍ପାନି  ଅଛନ୍ତି, ଯେଉଁମାନେ ଘରୋଇ ଏବଂ  ବାଣିଜ୍ୟିକ ଏଲ୍‌ପିଜି ସଂଯୋଗ ପ୍ରଦାନ  କରୁଛନ୍ତି । ଏହି କମ୍ପାନିତ୍ରୟ ହେଲେ  ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ୍‌ ଲିମିଟେଡ୍‌  (ଆଇଓସିଏଲ୍‌), ଭାରତ ପେଟ୍ରୋଲିୟମ  କର୍ପୋରେଶନ୍‌ ଲିମିଟେଡ୍‌ (ବିପିସିଏଲ୍‌)  ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ  କର୍ପୋରେଶନ୍‌ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ।