ବ୍ରହ୍ମପୁର, ୨୨/୧୦: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବଡ଼ ଅପଡେଟ୍ । ଗତ କାଲିଠାରୁ ଅଟକ ଥିବା ବିକ୍ରମ ପଣ୍ଡାଙ୍କୁ ବାନ୍ଧିଲା ବ୍ରହ୍ମପୁର ପୁଲିସ । ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ପୂର୍ବତନ ମେୟର ଶିବଶଙ୍କର ଦାଶ, କାଳିଆ ଭୂୟାଁ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, ଚିଣ୍ଟୁ ପ୍ରଧାନଙ୍କୁ ପୁଲିସ ଗିରଫ କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ମୋଟ୍ ଗିରଫ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ସେପଟେ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡର ଖୁବଶୀଘ୍ର ଖୁଲାସା କରିବ ପୁଲିସ । ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଏନେଇ ସାମ୍ବାଦିକ ସମ୍ମିଳନୀ କିଛି ସମୟ ମଧ୍ୟରେ ହେବ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ପୁଲିସ ଉଠାଇ ନେଇଥିଲା । ରାତିରେ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ପୁଲିସ ରିଜର୍ଭ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରାଯାଇଥିଲା । ପୁଲିସର ୪ଟି ତଦନ୍ତକାରୀ ଟିମ୍ ବିକ୍ରମଙ୍କୁ ପଚରାଉଚରା କରିଥିଲେ । ପୂର୍ବରୁ ଅଟକ ଥିବା ସାର୍ପ ସୁଟର, କର୍ପୋରେଟର, ରାଜନେତା, ଅପରାଧିଙ୍କ ସହ ବିକ୍ରମଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଏହା ପରେ ବୁଧବାର ସକାଳୁ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ, ସିମାଞ୍ଚଳ ନାୟକ, ବିପିନ ସ୍ବାଇଁ, ଯୋଗେନ୍ଦ୍ର ରାଉତ, କାଳୁ ଚରଣ ଭୂୟାଁ, ରାଜେନ୍ଦ୍ର ସାହୁ, ସୁଟରର ମୁଖ୍ୟ ସହଯୋଗୀ ଚିଣ୍ଟୁ ପ୍ରଧାନ ଏବଂ ବିହାରରୁ ଆସିଥିବା ସହଯୋଗୀ ଶିଶୁପାଲ କୁମାର ପାଶୱାନ, କୁନ୍ଦନ ପାଶୱାନ୍ଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ ।
ସେପଟେ ବିକ୍ରମ ପଣ୍ଡାଙ୍କ ଘର ସମ୍ମୁଖରେ ଜିଲ୍ଲାର ବରିଷ୍ଠ ନେତା ଓ ପୂର୍ବତନ ବିଧାୟକଙ୍କ ଭିଡ଼ ଲାଗିଛି । ଗତକାଲି ମଧ୍ୟାହ୍ନରୁ ସଭିଏଁ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଇନଶୃଙ୍ଖଳା ସ୍ଥିତି ପାଇଁ ବୈଦ୍ୟନାଥପୁର ଥାନାରେ ପୁଲିସ ଛାଉଣୀ କରାଯାଇଛି । ୪ଟି ଥାନାର ଥାନା ଅଧିକାରୀ, ୨ଜଣ ଏସଡିପିଓ ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜିଲ୍ଲାର ବରିଷ୍ଠ ନେତା ମାନେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଘଟଣାକୁ ନେଇ ଆଲୋଚନା ପାଇଁ ପହଞ୍ଚିଛନ୍ତି । ଅନ୍ୟପଟେ ଆଉ କିଛି ସମୟ ପରେ ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ଉପରୁ ପରଦା ହଟାଇବ ।