ନୂଆଦିଲ୍ଲୀ,୧୪/୧୦: ବିଚରା ପାକିସ୍ତାନ । ତା'ର ବେଳ ଖରାପ ଚାଲିଛି । ବାରମ୍ବାର ଲୋକହସା ହେଉଛି । ବିଶ୍ୱ ମଞ୍ଚରେ ପୁଣି ବେଜିତ୍ ହୋଇଛି ପାକିସ୍ତାନ । ଗାଜା ଶାନ୍ତି ଚୁକ୍ତି ସମ୍ମିଳନୀରେ ଇଜିପ୍ଟରେ ବିଶ୍ୱ ନେତାଙ୍କୁ ସମ୍ବୋଧନ କରି ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାହା ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଆଗରେ । ଶେଷରେ ହସ ହସ ମୁହଁରେ ତାଳିମାରି ଟ୍ରମ୍ପଙ୍କ କଥାକୁ ସମର୍ଥନ କରିଛନ୍ତି ଶାହବାଜ । ଅପମାନିତ ହେବା ପରେ ବି ଚାଟୁକାରିତା କରିବା ଛାଡୁନାହାନ୍ତି । ବିଶ୍ୱକୁ ଟ୍ରମ୍ପଙ୍କ ଆବଶ୍ୟକତା ରହିଛି । ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରୁଛି ।
ଗାଜା ଶାନ୍ତି ସମ୍ମିଳନୀରେ ଭାଷଣ ଦେଇ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ । ଟ୍ରମ୍ପଙ୍କୁ ମନାଇବାରେ ଲାଗି ପଡିଛନ୍ତି । ସେ କହିଛନ୍ତି, ''ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାରେ ଏବଂ ଯୁଦ୍ଧବିରତି ହାସଲ କରିବାରେ ତାଙ୍କର ଉଲ୍ଲେଖନୀୟ ଏବଂ ଅସାଧାରଣ ଅବଦାନ ରହିଛି । ସେ ସବୁଠାରୁ ଭଲ୍ ଲୋକ ଯିଏକି ଭାରତ-ପାକ ଯୁଦ୍ଧ ବନ୍ଦ କରିଥିଲେ । ବିଶ୍ୱକୁ ତାଙ୍କର ଆବଶ୍ୟକତା ଅଛି । ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପାକିସ୍ତାନ ମନୋନୀତ କରୁଛି । ଏହି ପୁରସ୍କାର ପାଇଁ ସେ ସବୁଠୁ ଯୋଗ୍ୟ ପ୍ରାର୍ଥୀ । ସେ କେବଳ ଦକ୍ଷିଣ ଏସିଆରେ ଶାନ୍ତି ଆଣିନାହାନ୍ତି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ।''
ଟ୍ରମ୍ପଙ୍କ ସଫେଇ- ନୋବେଲ ଶାନ୍ତି ପୁରସ୍କାର ନମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ, ଭାରତ-ପାକିସ୍ତାନ ସମେତ ମୁଁ ୮ଟି ଯୁଦ୍ଧ ବନ୍ଦ କରିଛି । ମୁଁ ଏପରି ନୋବେଲ ପାଇଁ କରିନଥିଲି । ଲୋକଙ୍କ ଜୀବନ ବଞ୍ଚାଇବାକୁ କରିଥିଲି । ଟ୍ରମ୍ପ ନୋବେଲ ପାଇବାକୁ ଏପରି କରୁଥିଲା ଚର୍ଚ୍ଚା ହେଉଥିବା ବେଳେ ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି ।