ନୂଆଦିଲ୍ଲୀ,୨୭/୦୯: ସୁପ୍ରିମକୋର୍ଟ ଦୀପାବଳି ପୂର୍ବରୁ ଶୁକ୍ରବାର ଦିଲ୍ଲୀ-ଏନ୍ସିଆର୍ରେ ସବୁଜ ବାଣ ପ୍ରସ୍ତୁତ କରିବାକୁ ଅନୁମତି ଦେଇଛନ୍ତି । ଯେଉଁ ନିର୍ମାତାମାନଙ୍କ ନିକଟରେ ସବୁଜ ବାଣ ପ୍ରସ୍ତୁତି ଲାଗି ନ୍ୟାସନାଲ ଏନ୍ଭାଇରନ୍ମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଓ ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭ୍ସ୍ ସେଫ୍ଟଟି ଅରଗାନାଇଜେସନ୍ ପକ୍ଷରୁ ଜାରି ଲାଇସେନ୍ସ ରହିଛି ସେମାନେ ହିଁ ବାଣ ପ୍ରସ୍ତୁତ କରିପାରିବେ ବୋଲି କୋର୍ଟ କହିଛନ୍ତି । ଏହି ସମୟରେ ସିଜେଆଇ ଜଷ୍ଟିସ୍ ବି.ଆର୍. ଗଭଇ, ଜଷ୍ଟିସ୍ କେ.ବିନୋଦ ଚନ୍ଦ୍ରନ୍ ଓ ଜଷ୍ଟିସ୍ ଏନ୍ ଭି ଅନ୍ଜାରିଆଙ୍କ ଖଣ୍ଡପୀଠ ବାଣ ନିର୍ମାତାମାନଙ୍କ ଲାଗି ଏକ ସର୍ତ୍ତ ମଧ୍ୟ ରଖିଛନ୍ତି । ସେ ଅନୁସାରେ, କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଦିଲ୍ଲୀ-ଏନ୍ସିଆରରେ କେହି ବାଣ ବିକ୍ରି କରିବେ ନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୮ରେ ହେବ ।
ଏହାପୂର୍ବରୁ ସୁପ୍ରିମକୋର୍ଟ ଏପ୍ରିଲ ୩ ତାରିଖରେ ଦିଲ୍ଲୀ-ଏନ୍ସିଆର୍ରେ ବାଣ ଉପରେ ବ୍ୟାନ୍ କେବଳ ଶୀତଦିନ ପରିବର୍ତ୍ତେ ବର୍ଷ ସାରା ଲାଗୁ କରିବାକୁ ଆଦେଶ ଦେଇଥିଲେ । ସେହି ରାୟକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆଜି ସେହି ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି ଯେ, ବାଣ ଉପରେ ସଂପୂର୍ଣ୍ଣ ବ୍ୟାନ୍ ସମ୍ଭବ ନୁହେଁ । ଏହା ଠିକ୍ ମଧ୍ୟ ନୁହେଁ । ବିହାରରେ ଖଣି ଖନନ ସଂପୂର୍ଣ୍ଣ ବ୍ୟାନ୍ ହେବା ଯୋଗୁ ବେଆଇନ ମାଫିଆଙ୍କୁ ପ୍ରୋତ୍ସାହନ ମିଳିଥିଲା । ତେଣୁ ଏହି ମାମଲାରେ ସନ୍ତୁଳିତ ଆଭିମୁଖ୍ୟର ଆବଶ୍ୟକତା ରହିଛି । ଏଭଳିସ୍ଥଳରେ ଦିଲ୍ଲୀ ସରକାର, ବାଣ ପ୍ରସ୍ତୁତକାରୀ, ବିକ୍ରେତାଙ୍କ ସମେତ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାର ବାଣ ଉପରେ ସଂପୂର୍ଣ୍ଣ ବ୍ୟାନ୍କୁ ସଂଶୋଧିତ କରିବାର ପ୍ରସ୍ତାବ ଆଣନ୍ତୁ । ଏକ ବ୍ୟବହାରିକ ସମାଧାନ ନେଇ ଆସନ୍ତୁ ଯାହାକୁ ସମସ୍ତେ ସ୍ୱୀକାର କରିବେ । ସେହିପରି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ପକ୍ଷଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ କୋର୍ଟ ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟିଙ୍କୁ କେନ୍ଦ୍ର ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ଏଥିନେଇ ସୂଚୀତ କରିବାକୁ କହିଛନ୍ତି ।
ତିଆରି ସହ ବାଣ ଉପରେ ସଂପୂର୍ଣ୍ଣ ବ୍ୟାନ୍ ପାଇଁ ଆମିକସ୍ କ୍ୟୁରୀ ଅପରାଜିତା ସିଂହ ଦାବି କରିଥିଲେ । ଯଦି ଦିଲ୍ଲୀ-ଏନ୍ସିଆର୍ରେ ବାଣ ତିଆରିକୁ ଅନୁମତି ଦିଆଯାଏ ତେବେ ପରବର୍ତ୍ତୀ ସମୟରେ ସେଗୁଡି଼କର ବିକ୍ରି ହେବ ବୋଲି ସେ ଦର୍ଶାଇଥିଲେ । ବାଣ ନିର୍ମାତାଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ବଲବୀର ସିଂହ କଡ଼ା ସର୍ତ୍ତ ସହିତ ବାଣ ତିଆରିକୁ ଅନୁମତି ଦେବାକୁ ଦାବି କରିଥିଲେ । ସେ କହିଥିଲେ ଯେ, ବାଣ ନିର୍ମାତାମାନେ ସେମାନଙ୍କ ଉତ୍ପାଦନର ପରିମାଣକୁ ୱେବସାଇଟ୍ରେ ଦର୍ଶାଇପାରିବେ । ଏଥିସହ ସମସ୍ତ ଆବଶ୍ୟକୀୟ ଘୋଷଣାନାମା ଦେବେ । ଏହାପରେ ସିଜେଆଇ କହିଥିଲେ, ଯଦି ସେମାନେ ସମସ୍ତ ନିୟମ ପାଳନ କରିବେ ତେବେ ସେମାନଙ୍କୁ ବାଣ ପ୍ରସ୍ତୁତି ଲାଗି ଅନୁମତି ଦେବାରେ ଅସୁବିଧା କ’ଣ ରହିଛି । ଏହି ମାମଲାରେ କିଛି ସମାଧାନ ବାହାରିବା କଥା । ଅତି କଡ଼ା ନିର୍ଦ୍ଦେଶ ଦେଲେ ମଧ୍ୟ ସମସ୍ୟା ସୃଷ୍ଟି ହେବ । ଏଭଳିସ୍ଥିତିରେ ସେମାନଙ୍କୁ ବାଣ ତିଆରି କରିବାକୁ ଦିଆଯାଉ । ପରବର୍ତ୍ତୀ ଆଦେଶ ଯାଏ ଦିଲ୍ଲୀ-ଏନ୍ସିଆର୍ରେ କିନ୍ତୁ ତାହା ବିକ୍ରି ହେବ ନାହିଁ ।