ମାଲକାନଗିରି, ୧୫/୧୦ : ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଜଙ୍ଗଲରେ ଲୁଚାଇ ରଖିଥିବା ବମ୍, ଗୋଳାବାରୁଦ ସହ ମାଓ ସାମଗ୍ରୀକୁ ଯବାନମାନେ ଜବତ କରି ବଡ଼ ଧରଣ ହିଂସାକାଣ୍ଡ ଭଣ୍ଡୁର ହୋଇଛି। ଏ ସମ୍ପର୍କରେ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲ ମଧୁମାଲ ଏବଂ ଚିଲକାଲମାମିଡ଼ି ସଂରକ୍ଷିତ ସିଲେରୁ ଥାନା ଏବଂ ଡୋନକାରାଇ ଥାନା ସୀମାକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲକୁ ମାଲକାନଗିରିର ଡିଭିଏଫ ଯବାନ ସର୍ଚ୍ଚ ଅପରେସନରେ ଯାଇଥିଲେ । ସେହି ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଏକ ଡମ୍ପ୍ ଠାବ କରିଥିଲେ। ସେଥିରୁ ବନ୍ଧୁକ ମରାମତି ଏବଂ ରକ୍ଷଣାବେକ୍ଷଣ ମେସିନ୍ ଏବଂ ଉପକରଣ, ବିସ୍ଫୋରକ ଦ୍ରବ୍ୟ, ଟିଫିନ୍ ବମ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ଜବତ ମାଓ ସାମଗ୍ରୀ ମଧ୍ୟରେ ୩ଟି ଟିଫିନ୍ ବମ, ଡିଟୋନେଟର, କୋଡେକ୍ସ ତାର ଜେନେରେଟର (AC), ୱେଲଡିଂ ମେସିନ୍, ଲୁହା ବେସ୍ (AC ଜେନେରେଟର ପାଇଁ) କଟର ବ୍ଲେଡ୍, ୱେଲଡିଂ ମାସ୍କ, ପ୍ଲାଷ୍ଟିକ୍ ପାଇପ୍, ୱେଲଡିଂ ହ୍ୟାଣ୍ଡଲ୍,ୱେଲଡିଂ ଷ୍ଟିକ୍, ଆର୍ଥିଂ ତାର (ୱେଲଡିଂ), ୱେଲଡିଂ ସ୍ପେକ୍ଟେକସ୍ ଗ୍ଲାସ୍, ଇଲେକ୍ଟ୍ରିକ୍ ସୁଇଚ୍, ମାଓ ପୁସ୍ତକ ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏବେ ବି ସେ ଅଞ୍ଚଳରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।