ଗଡ଼ମଧୁପୁର, ୨୩/୧୦ (ଆ:ପ୍ର) : ଏକ ମେଡ଼ିସିନ ଦୋକାନୀର ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ବ୍ୟକ୍ତିର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ମହିଶରା ପଞ୍ଚାୟତ ବରଡ଼ା ଗ୍ରାମର କୁଳିଆ ମଲିକଙ୍କ ପୁଅ କାଶୀନାଥ ମଲିକ (୫୦) l ଏ ନେଇ ଜେନାପୁର ପୋଲିସ ଘଟଣାର ତଦନ୍ତ କରୁଛି।
ପରିବାର ଲୋକଙ୍କ କହିବା ମୁତାବକ ଗତ କିଛି ଦିନ ହେବ କାଶୀନାଥଙ୍କ ଦେହ ଖରାପ ଥିବାରୁ ସେ ନିୟମିତ ଭାବେ ଉକ୍ତ ମେଡିସିନ ଦୋକାନରୁ ଔଷଧ ଖାଉଥିଲେ l ତାଙ୍କର ଥଣ୍ଡା ଏବଂ ଶ୍ୱାସ ଜନିତ ରୋଗ ଦୀର୍ଘ ଦିନ ହେବ ରହିଛି l ତେବେ କାଶୀନାଥଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କ ପୁଅ ଜ୍ଞାନରଞ୍ଜନ ମଲିକ ତୁରନ୍ତ ଉକ୍ତ ମେଡ଼ିସିନ ଷ୍ଟୋରକୁ ଆଣିଥିଲେ l ଦୋକାନୀର ମାଲିକ ରୋଗୀକୁ ଦେଖିବା ପରେ ତାଙ୍କ ଦୋକାନରେ ରଖିଥିବା ଦୁଇ ଜଣ ଯୁବକଙ୍କୁ ଦୁଇଟି ଇଞ୍ଜେକ୍ସନ ଦେବାକୁ କହିଥିଲେ l ଯୁବକ ଜଣକ କାଶୀନାଥକୁ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ l ଇଞ୍ଜେକ୍ସନ ନେବା ପରେ କାଶୀନାଥଙ୍କ ଦେହ ଥରିବାକୁ ଲାଗିଥିଲା l ଏ ନେଇ କାଶୀନାଥଙ୍କ ପୁଅ ଜ୍ଞାନରଞ୍ଜନ କହିବାରୁ ମେଡିସିନ ଷ୍ଟୋର ମାଲିକ କହିଥିଲେ ଯେ ସବୁ ଠିକ ଠାକ ଅଛି ତାଙ୍କୁ ମୁଁ ସଠିକ ଇଞ୍ଜେକ୍ସନ ଦେଇଛି ତୁମେ ବିଚଳିତ ହେବାର କୌଣସି କାରଣ ନାହିଁ l କାଶୀନାଥଙ୍କୁ ଘରକୁ ନେଇଯାଅ l ପୁଅ ଜ୍ଞାନରଞ୍ଜନ ବାପାକୁ ଘରକୁ ନେଇ ଆସିଥିଲେ। ମାତ୍ର କାଶିନାଥ ଘରେ ପହଞ୍ଚିବାର କିଛି ସମୟ ପରେ ତାଙ୍କ ଦେହ ପାଣି ହୋଇଯାଇଥିଲା ଏବଂ ବିଚଳିତ ହୋଇଥିଲେ । କାହାରିକୁ ଚି଼ହ୍ନ ପାରିନଥିଲେ l ତେବେ କେହି କିଛି ବୁଝିବା ଆଗରୁ ନିମିଷକ ଭିତରେ କାଶୀନାଥଙ୍କ ପ୍ରାଣ ବାୟୁ ଉଡିଯାଇଥିଲା l ତେବେ କାଶୀନାଥ ବଞ୍ଚିଥିବା ଭାବି ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକ ନେଇ ଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥଲେ l
ଏହି ଔଷଧ ଦେକାନଟି ଏଠାରେ ଦୀର୍ଘ ୧୦ ବର୍ଷ ଧରି ରହିଛି । ତେବେ ଏହି ଦୋକାନରେ ସରକାରୀ ଲାଇସେନ୍ସ ରହିଛି କି ନାହିଁ କାହାରିକୁ ଜଣାନାହିଁ l ଅନ୍ୟପକ୍ଷରେ ଏହି ଔଷଧ ଦୋକାନରେ ନିୟମିତ ଭାବରେ ରୋଗୀ ଦେଖିବା, ସାଲାଇନ ଲଗାଇବା, ଇଞ୍ଜେକ୍ସନ ଦେବା, ବିପଦପୂର୍ଣ୍ଣ ରୋଗର ଚିକିତ୍ସା କରାଯାଉଛି ଯାହା ତଦନ୍ତ ସାପେକ୍ଷ l
ତେବେ ଏ ଘଟଣା ବାବଦରେ ଜେନାପୁର ଥାନା ଅଧିକାରିଣୀ ନିରୁପମା ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଉକ୍ତ ଘଟଣା ବାବଦରେ ତଦନ୍ତ ଚାଲିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ରିପୋର୍ଟ ଅନୁଯାୟୀ ଔଷଧ ଦୋକାନୀ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।