ୱାଶିଂଟନ: ଆମେରିକୀୟ ମହାକାଶ ଗବେଶଣା ସଂସ୍ଥା NASA ଏକ ବିଶାଳ ଗ୍ରହାଣୁ 2025 FA22 ଉପରେ ନଜର ରଖିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗ୍ରହାଣୁର ଲମ୍ୱ କୁତବ୍ ମିନାର (୭୩ ମିଟର)ଠାରୁ ବଡ଼ ବୋଲି ଜଣାପଡିଛି। ଏହା ପୃଥିବୀର କକ୍ଷପଥ ଆଡକୁ ଧିରେଧିରେ ଅଗ୍ରସର ହେଉଥିବା ଜଣାପଡିଛି। ତେବେ ଏହି ଗ୍ରହାଣୁକୁ ଚଳିତ ବର୍ଷ ହାୱାଇର ପାନ୍-ଷ୍ଟାର୍ଜ୍ ୨ ସର୍ଭେ ଦ୍ୱାରା ଆବିଷ୍କୃତ କରାଯାଇଛି।
ଏହା ଚଳିତ ମାସ ୧୮ ତାରିଖରେ ପୃଥିବୀଠୁ ପ୍ରାୟ ୮,୪୨,୦୦୦ କିଲୋମିଟର ଦୂରତ୍ୱରେ ଅତିକ୍ରମ କରିବ। ଏହାର ଆକାର ୧୨୦ ରୁ ଆରମ୍ଭ କରି ୨୮୦ ମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଅମୁମାନ କରାଯାଉଛି। ଯାହା କୁତବ୍ ମିନାରଠାରୁ ପ୍ରାୟ ଦୁଇଗୁଣ ରୁ ଚାରିଗୁଣ ଅଧିକ ଉଚ୍ଚତର। ଏହା ସୂର୍ଯ୍ୟ ଆଖପାଖରେ ୧.୮୫ ବର୍ଷର ଅର୍ବିଟରେ ଘୂରିବୁଲୁଛି।
NASAର ସେଣ୍ଟର ଫର ନିୟର ଆର୍ଥ ଅବ୍ଜେକ୍ଟ ଷ୍ଟଡିଜ (CNEOS) ଏବଂ ଜେଟ୍ ପ୍ରପଲ୍ଲସନ ଲାବୋରେଟୋରୀ (JPL) ଏହା ଉପରେ ନିରନ୍ତର ପର୍ଯ୍ୟବେକ୍ଷଣ କରୁଛନ୍ତି। ଆନ୍ତର୍ଜାତୀୟ ଏଷ୍ଟରଏଡ୍ ୱାର୍ନିଙ୍ଗ୍ ନେଟୱର୍କ୍ (IAWN) ଏହି ସୁଯୋଗରେ ବୈଜ୍ଞାନିକ ଅଧ୍ୟୟନ କରିବାକୁ ଯୋଜନା କରିଛି। ରାଡାର ଏବଂ ଅପ୍ଟିକାଲ ଟେଲିସ୍କୋପ ବ୍ୟବହାର କରି ଏହାର ଅର୍ବିଟ୍ ଏବଂ ଗଠନକୁ ବୁଝିବା ପାଇଁ IAWN ନିଜର ପ୍ରସ୍ତୁତି ଜାରି ରଖିଛି।
ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ ଯେ ପୃଥିବା ନିକଟକୁ ଆସୁଥିବା ଏହି ଗ୍ରାହଣୁ ଆମ ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେବେ NASA ଏହାକୁ ସମ୍ଭାବ୍ୟ ବିପଦକାରୀ ଗ୍ରହାଣୁ ଭାବେ ବର୍ଗୀକୃତ କରିଛି। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଏହାର ପୃଥିବୀ ସହିତ ସିଧାସଳଖ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ। ଏହାର ଟୋରିନୋ ସ୍କେଲ ରେଟିଙ୍ଗ(ବିପଦର ସୂଚନା) ମଧ୍ୟ କମ୍ ରହିଛି। ଏହା ଜହ୍ନର ଅକ୍ଷପଥଠାରୁ ବହୁତ ଦୂରରେ ରହିବ। ଏହି ଆକାରର ଗ୍ରହାଣୁ ଗୁଡିକ ପ୍ରତ୍ୟେକ ଦଶକରେ ଥରେ ବା ଦୁଇଥର ପୃଥିବୀ ପାଖ ଦେଇ ଯାତ୍ରା କରିଥାନ୍ତି।
ଏହି ଘଟଣା ବୈଜ୍ଞାନିକ ଅଧ୍ୟୟନ ପାଇଁ ଏକ ଉତ୍ତମ ସୁଯୋଗ ସୃଷ୍ଟି କରିବ। ଯାହା ଭବିଷ୍ୟତରେ ହେବାକୁ ଥିବା ଗ୍ରହାଣୁ ମାଡର ମଡେଲ ଏବଂ ଅନୁରୂପ ବିଷୟବସ୍ତୁକୁ ବୁଝିବାରେ ସାହାଯ୍ୟ କରିବ।