ବାଣପୁର,୧୧/୦୯: ତୃତୀୟ (ଓଡିଶା) ନାଭାଲ୍ ୟୁନିଟ୍ ଏନ୍ସିସି କଟକ ଦ୍ୱାରା ଆୟୋଜିତ ‘ଚିଲିକା ସେଲିଂ ଏକ୍ସପିଡିସନ -୨୦୨୫’ର ଉଦ୍ଯାପନୀ ସମାରୋହ ବୁଧବାର ଆଇଏନ୍ଏସ୍ ଚିଲିକାଠାରେ ଅନୁଷ୍ଠିତ ହୋଇଯାଇଛି । ୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ନୌଯାତ୍ରାରେ ସମଗ୍ର ଓଡିଶାରୁ ୬୦ ନାଭାଲ୍ କ୍ୟାଡେଟ୍ ଅଂଶଗ୍ରହଣ କରି ୨୧୨ କିଲୋମିଟର ଦୀର୍ଘ ଜଳପଥ ଅତିକ୍ରମ କରି ଇତିହାସ ରଚିଛନ୍ତି ।
ଏହି ସାହସିକ ଯାତ୍ରାରେ ସେମାନେ ବାଲୁଗାଁ, କୃଷ୍ଣପ୍ରସାଦ ଓ ପବିତ୍ର କାଳିଜାଇ ଦ୍ୱୀପ ପରି ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିଥିଲେ । ଏହି ଅଭିଯାନ ମାଧ୍ୟମରେ କ୍ୟାଡେଟ୍ମାନଙ୍କୁ ନୌକାଚାଳନ ପ୍ରଶିକ୍ଷଣ, ସମୁଦ୍ର କୌଶଳ ଶିକ୍ଷା, ସହନଶୀଳତା ଗଠନ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତ୍ୟେକ ବିରାମସ୍ଥଳରେ, କ୍ୟାଡେଟ୍ମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ସାକ୍ଷାତ କରି ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ସମାଜିକ ସଚେତନତା ବିଷୟରେ ଅବଗତ କରିଥିଲେ । ଉଦ୍ଯାପନୀ ସମାରୋହରେ ତୃତୀୟ ଓଡିଶା ନାଭାଲ୍ ୟୁନିଟ୍ ଏନ୍ସିସି କଟକର କମାଣ୍ଡିଂ ଅଫିସର୍ କମାଣ୍ଡର୍ ସୁଶାନ୍ତ କୁମାର ମହାନ୍ତି କ୍ୟାଡେଟ୍ ମାନଙ୍କ ନିମନ୍ତେ ପ୍ରେରଣାଦାୟକ ଓ ଉତ୍ସାହଭରା ଅଭିଭାଷଣ ରଖିଥିଲେ ।
ସେ କହିଥିଲେ, ଏହି ଯାତ୍ରା କ୍ୟାଡେଟ୍ମାନଙ୍କୁ ନୌକାଚାଳନ କୌଶଳ, ନେତୃତ୍ୱବୋଧ, ଦଳୀୟ ସମନ୍ୱୟ ସହିତ ଜାତୀୟ ଏକତା, ଶିଷ୍ଟାଚାର ଓ ସାହସର ଆଦର୍ଶରେ ଆଗେଇବାକୁ ପ୍ରେରଣା ଦେଇଛି । ଏହି ଅବସରରେ କ୍ୟାଡେଟ୍ମାନେ ଏହି ଅଭିଯାନରେ ହାସଲ କରିଥିବା ନିଜର ଅନୁଭୂତିକୁ ଉପସ୍ଥାପନ କରିଥିଲେ । କ୍ୟାଡେଟ୍ ଓ ସହଯୋଗୀ କର୍ମଚାରୀମାନଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ କ୍ୟାଡେଟ୍ମାନେ ଜାତୀୟତାର ସ୍ୱରରେ ‘ଏନ୍ସିସି ସଙ୍ଗୀତ’ ଗାନ କରିଥିଲେ ।