ଭୁବନେଶ୍ୱର,୧୧/୧୦:  କମିଯିବ ଭୁବନେଶ୍ୱର-ପାରାଦୀପ  ଦୂରତା । ଆଉ କଟକ ସହର ଦେଇ  ଯିବାକୁ ପଡ଼ିବନି । ଭୁବନେଶ୍ୱରର  ରସୁଲଗଡ଼ରୁ ବାହାରି ଜଗତସିଂହପୁରର ରଘୁନାଥପୁର ଓ ନାନପୁର ନିକଟରେ ପାରାଦୀପ ରାସ୍ତାକୁ ସଂଯୋଗ କରିବା  ଏହି ନୂଆ ରାସ୍ତା । ୪ ଲେନ୍‌ ବିଶିଷ୍ଟ  ଏହି ଏକ୍ସପ୍ରେସ ୱେ ନିର୍ମାଣ କରିବାକୁ  ରାଜ୍ୟ ସରକାର ଯୋଜନା କରିଛନ୍ତି ।  ଏହା ରାଜଧାନୀରୁ ପାରାଦୀପ ଅଭିମୁଖେ  ଏକ ନୂଆ ବାଇପାସ୍‌ ଭଳି କାମ କରିବ ।

ବନ୍ଦର ନଗରୀ ପାରାଦୀପକୁ ରାଜଧାନୀ ଭୁବନେଶ୍ୱର ସହ ଯୋଡ଼ିବାକୁ  ରାଜ୍ୟ ସରକାର ଏକ ନୂଆ ବିକଳ୍ପ ରାସ୍ତା  ନିର୍ମାଣ କରିବେ । ଏ ନେଇ ପୂର୍ତ୍ତ ବିଭାଗ  ଟିମ୍‌ ଲାଗି ପଡ଼ିଛି । ପ୍ରସ୍ତାବିତ ରାସ୍ତା  ପାଇଁ ଡିପିଆର ପ୍ରସ୍ତୁତ କରାଯିବ । ଏ  ନେଇ ଟେଣ୍ଡର ଆହ୍ୱାନ କରିଛି ଓଡ଼ିଶା  ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକସନ କର୍ପୋରେସନ  (ଓବିସିସି) । ଟେଣ୍ଡରଧାରୀ ସଂସ୍ଥା ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପ୍ରଥମେ ସର୍ଭେ  କରିବେ । ଓବିସିସି ଅଧିକାରୀଙ୍କ  କହିବାନୁସାରେ ପ୍ରଥମେ କେଉଁ  ରୁଟ ଦେଇ ରାସ୍ତା ଯିବ, ତାହା ସ୍ଥିର  କରାଯାଇନି । ସର୍ଭେ ପରେ ରୁଟ୍‌ ଚୂଡ଼ାନ୍ତ  ହେବ । କେତେ ଜମି ଅଧିଗ୍ରହଣ ହେବ,  କେଉଁଠି ବ୍ରିଜ୍‌ ନିର୍ମାଣ କରାଯିବ, ତାହା  ସ୍ଥିର କରାଯିବ । ବଡ଼ କଥା ହେଲା,  ଏହି ଏକ୍ସପ୍ରେସ୍‌ ୱେ ନିର୍ମାଣ ହେଲେ ଭୁବନେଶ୍ୱର ଓ ପାରାଦୀପକୁ ଯା’ ଆସ  ସମୟ କମିଯିବ । କଟକ-ଭୁବନେଶ୍ୱର  ଓ କଟକ-ପାରାଦୀପ ରାସ୍ତାରେ ଟ୍ରାଫିକ  ଭିଡ଼ କମିବ । ଲୋକେ ଆରାମରେ  ପାରାଦୀପରେ ପହଞ୍ଚି ପାରିବେ । ଏହି  ନୂଆ ସଡ଼କ ନିର୍ମାଣ ନେଇ ରାଜ୍ୟ  ସରକାର ବେଶ୍‌ ଗୁରୁତ୍ୱ ଦେଉଛନ୍ତି ।  ଉଚ୍ଚସ୍ତରୀୟ ବୈଠକ ବସି ଏ ଦିଗରେ  ନିଷ୍ପତ୍ତି ହୋଇଛି ।  

ବିଶେଷଜ୍ଞଙ୍କ କହିବାନୁସାରେ ଏହି  ପ୍ରସ୍ତାବିତ ସଡ଼କ ପ୍ରାୟତଃ ନୂଆ କରି  ନିର୍ମାଣ ହେବ । କେତେକ ଜାଗାରେ  ପୂର୍ବରୁ ଥିବା ରାସ୍ତାକୁ ଉନ୍ନତୀକରଣ  କରାଯିବ । ଏହା ଭୁବନେଶ୍ୱରରୁ  ବାହାରିଲେ ଜୟଦେବ ନିର୍ବାଚନମଣ୍ଡଳୀ,  ନିଆଳି, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର  ବିଭିନ୍ନ ଅଞ୍ଚଳ ଦେଇ କଟକ  କନ୍ଦରପୁରଠାରୁ ପ୍ରାୟ ୧୦ କିମି ଦୂର  ନାନପୁର କିମ୍ବା ରଘୁନାଥପୁର ନିକଟରେ  ପାରାଦୀପ ରାସ୍ତାକୁ ଛୁଇଁପାରେ ।