ଜୟପୁର,୧୮/୯ : କୋରାପୁଟ ଜିଲ୍ଲା ତେଲିଙ୍ଗିରି ଡ୍ୟାମରେ ନା ଅଛନ୍ତି ସୁରକ୍ଷାକର୍ମୀ ନା ଲାଗିଛି ସିସି କ୍ୟାମେରା। ନିଷାଦ୍ଧାଞ୍ଚଳରେ ବଢୁଛି ଅବାଧ ପ୍ରବେଶ । ଖୋଲାମେଲାରେ ଯିବାଆସିବା କରୁଛନ୍ତି ଭାରିଯାନ। ୬ ମାସ ତଳୁ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଆକଟ କରିବାକୁ କେହି ନାହାନ୍ତି । ଏହାର ସୁଯୋଗ ନେଇ ବିନା ପ୍ରତିବନ୍ଧକରେ ବାଇକ୍‌ରୁ ଆରମ୍ଭ କରି ଚାରିଚକିଆ ଗାଡ଼ି ଡ୍ୟାମ ରାସ୍ତାରେ ଚଳାଚଳ କରୁଛି। ସେପଟେ କେବଳ ନିଷିଦ୍ଧାଞ୍ଚଳ ବୋର୍ଡ ଲଗାଇ ଚୁପ୍‌ ରହିଛନ୍ତି ପ୍ରକଳ୍ପ ଅଧିକାରୀ। ୧୨୦୦ରୁ ଅଧିକ କୋଟି ଟଙ୍କାରେ ନିର୍ମିତ ତେଲିଙ୍ଗିରି ପ୍ରକଳ୍ପରେ କୌଣସି ଅଘଟଣ ହେଲେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

​​​​​​​ଜଳସେଚନ ସୁବିଧା ଲାଗି ତେଲିଙ୍ଗିରି ଡ୍ୟାମ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ୧୦ ହଜାର ହେକ୍ଟର ଜମିରେ ଜଳସେଚନ ଲାଗି ଯୋଜନା କରାଯାଇଥିଲା । ରାଣୀଗଡ଼ ନିକଟରେ ଡ୍ୟାମ ନିର୍ମାଣ କରାଯାଇଥିଲା । ୨୦୦୨ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୮ରେ ଶେଷ ହୋଇଥିଲା । ନିର୍ବାଚନ ପୂର୍ବରୁ ୨୦୧୯ରେ ଏହାକୁ ଉଦ୍‌ଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍‌ଘାଟନ ପରେ ବୋରିଗୁମ୍ମା ଓ ଜୟପୁର ବ୍ଲକର ଚାଷୀ ଉପକୃତ ହେଉଛନ୍ତି । ବର୍ଷକୁ ଦୁଇଥର ଚାଷ କରୁଛନ୍ତି । ଚାଷୀଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ଆସିଛି । ଅଥଚ ଡ୍ୟାମ୍‌ ସୁରକ୍ଷା କଥା ପୂରା ଭୁଲିଯାଇଛନ୍ତି ପ୍ରକଳ୍ପର ଅଧିକାରୀ । ଜୟପୁରର ସତୀଗୁଡ଼ା ଓ ଅପରକୋଲାବ ଡ୍ୟାମରେ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ରହିଛି । ସିସି କ୍ୟାମେରାରୁ ଆରମ୍ଭ କରି ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଅଥଚ ତେଲିଙ୍ଗିରି ଭଳି ବୃହତ ପ୍ରକଳ୍ପରେ ସୁରକ୍ଷା ବ୍ୟବସ୍ଥା କିଛି ନାହିଁ । କେବଳ ଡ୍ୟାମରେ ନିଷିଦ୍ଧାଞ୍ଚଳ ବୋଲି ବୋର୍ଡ ଲଗାଯାଇ କାମ ସାରି ଦିଆଯାଇଛି ।

ବୁଦ୍ଧିଜୀବୀ କହିଛନ୍ତି, ନିଷିଦ୍ଧାଞ୍ଚଳ ହୋଇଥିବାରୁ ବିନା ଅନୁମତିରେ ଡ୍ୟାମ୍‌ ଉପରକୁ କେହି ଯିବାଆସିବା କରିପାରିବା କଥା ନୁହେଁ । ଅଥଚ ସୁରକ୍ଷାକର୍ମୀ ନଥିବାରୁ ଏହି ନିୟମକୁ କେହି ମାନୁନାହାନ୍ତି । ଅବାଧ ପ୍ରବେଶ ଓ କଟକଣାବିହୀନ ଅନେକ ଲୋକଙ୍କ ଉପସ୍ଥିତି ତେଲିଙ୍ଗିରି ଡ୍ୟାମ୍‌ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରୁଛି । କୌଣସି ଅଘଟଣ ପୂର୍ବରୁ ତୁରନ୍ତ ସୁରକ୍ଷା କଡ଼ାକଡ଼ି କରାଯାଉ । ପ୍ରବେଶ ଦ୍ୱାର ନିକଟରେ ଗେଟ୍‌ ନିର୍ମାଣ ସହ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ନିୟୋଜିତ କରାଯାଉ ।   ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ବିକାଶ ପ୍ରଧାନ କହିଛନ୍ତି, ପୂର୍ବରୁ ଅନୁଦାନ ଆସୁଥିବାରୁ ୨୦ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ସେମାନେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ରହୁଥିଲେ । ପ୍ରକଳ୍ପ କାମ ସରିଯାଇଥିବାରୁ ପୂର୍ବଭଳି ଅନୁଦାନ ଆସୁନି । ଯଦ୍ୱାରା ଗତ ମାର୍ଚ୍ଚରୁ ସୁରକ୍ଷା କର୍ମୀମାନଙ୍କୁ ପ୍ରତ୍ୟାହାର କରିନିଆଯାଇଛି । ସୁରକ୍ଷା ଲାଗି ପ୍ରକଳ୍ପରେ ପୁଲିସ୍‌ ପାଟ୍ରୋଲିଂ ଲାଗି ଏସ୍‌ପିଙ୍କୁ ଅନୁରୋଧ କରାଯାଇଛି । ଏବେ ପ୍ରଶ୍ନ ଉଠୁଛି, ପ୍ରକଳ୍ପ କାମ ସରିଗଲା ପରେ କ’ଣ ଏହାର ରକ୍ଷଣାବେକ୍ଷଣ କରାଯିବନି । କୋଟି କୋଟି ଟଙ୍କାର ପ୍ରକଳ୍ପ ସୁରକ୍ଷା ଲାଗି କ’ଣ ବିଭାଗ ପକ୍ଷରୁ ସୁରକ୍ଷାକର୍ମୀ ମୁତୟନ କରାଯାଇପାରିବନି । ଜିଲ୍ଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ତୁରନ୍ତ ଦୃଷ୍ଟିଦେବାକୁ ଦାବି ହୋଇଛି ।