ନୂଆପଡ଼ା ୦୬/୧୦(ରତନ କେତକି): ଉପନିର୍ବାଚନ ଯେତିକି ପାଖେଇ ଆସୁଛିବାତାବରଣ ସେତିକି ଉଷ୍ମ ହେଉଛି । ୧୧  ତାରିଖରେ ନୂଆପଡ଼ାବାସୀ ଉପନିର୍ବାଚନ  ଲାଗି ମତଦାନ କରିବେ । ଆଦିବାସୀ ଭୋଟ୍‌  ସମେତ ମହିଳା, ଚାଷୀ ଭୋଟରମାନଙ୍କ  ଉପରେ ସବୁ ଦଳର ଆଖି । 

ଉପନିର୍ବାଚନରେ ମହିଳା ଭୋଟର  ନିର୍ଣ୍ଣାୟକ ହୋଇ ପାରନ୍ତି ବୋଲି ଆକଳନ  ହେଉଛି । ରାଜ୍ୟରେ ବିଜେପି ସରକାର  ଆସିବା ପରେ ମହିଳାଙ୍କ ପାଇଁ ସୁଭଦ୍ରା  ଯୋଜନା ପ୍ରଣୟନ କରିଛନ୍ତି । ସୁଭଦ୍ରା  ଯୋଜନାରେ ଜିଲ୍ଲାରେ ୧ ଲକ୍ଷ ୬୫ ହଜାର  ୭୮୮ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ସେଥିରୁ ନୂଆପଡ଼ା ବ୍ଲକରେ ୩୫ ହଜାର  ୭୩୩, କୋମନାରେ ୩୭ ହଜାର ୭୪୯ନୂଆପଡ଼ା ଏନଏସିରେ ୩୨୫୪, ଖରିଆର  ରୋଡ଼ରେ ୪୦୦୧ ମହିଳା ସୁଭଦ୍ରା ସହାୟତା  ରାଶି ପାଇଛନ୍ତି । ସେହିପରି ଚତୁର୍ଥ କିସ୍ତିରେ  ଜିଲ୍ଲାରେ ୧ ଲକ୍ଷ ୫୪ ହଜାର ୯୦୯ ଜଣ  ମହିଳା ସହାୟତା ପାଇଛନ୍ତି । ପ୍ରଥମ କିସ୍ତି  ତୁଳନାରେ ୧୦,୮୭୯ ଜଣ ମହିଳା ଚତୁର୍ଥ  କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି । 

ଏହି ସୁଭଦ୍ରା ଯୋଜନା କାର୍ଯ୍ୟକାରୀ  ଯୋଗୁଁ ମହିଳାମାନେ ଅଧିକ ସଂଖ୍ୟାରେ  ବିଜେପିକୁ ଭୋଟ୍‌ ଦେବେ ବୋଲି ଶାସକ ଦଳ  ଆଶାବାଦୀ । ସେପଟେ କିନ୍ତୁ ବିଜେଡି ଜଣେ  ମହିଳା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ।  ବରଗଡ଼ ଜିଲ୍ଲା ଅତାବିରାର ହେଲେ ମଧ୍ୟ  ସ୍ନେହାଙ୍ଗିନୀ ବ୍ୟକ୍ତିଗତ ଭାବେ ଏବେ ସବୁ  ମହିଳା ଭୋଟରଙ୍କୁ ଭେଟୁଛନ୍ତି । ମହିଳା  ଭୋଟରଙ୍କୁ ନିଜ ପଟକୁ ଟାଣିବାକୁ  ବିଜେଡିର ଅନେକ ନାରୀନେତ୍ରୀ ଏବେ  କଠିନ ପରିଶ୍ରମ କରୁଛନ୍ତି । ବିଜେପିର  ସୁଭଦ୍ରା ଯୋଜନାକୁ ବିଜେଡିର ମହିଳା  କାର୍ଡ କେତେ କାଉଣ୍ଟର କରୁଛି ତାହା  ଭୋଟ୍‌ ଗଣତି ପରେ ସ୍ପଷ୍ଟ ହୋଇଯିବ । 

ଚାଷୀଙ୍କ କଥାକୁ ଦେଖିବା ତେବେ  ୨୦୨୪-୨୫ ଆର୍ଥିକ  ବର୍ଷ ଖରିଫରେ  ୪୬ ହଜାର ୩୪୬  ଚାଷୀ, ରବିରେ ୧୩  ହଜାର ୨୯୭ ଜଣ  ଚାଷୀ ଧାନ ବିକ୍ରି  ପାଇଁ ପଞ୍ଜୀକରଣ  କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷ  ଖରିଫରେ ୫୧ ହଜାର ୩୪୧ ଜଣ ଚାଷୀ  ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି ।  ବର୍ଷକରେ ୪୯୯୫ ଜଣ ଅଧିକ ସଂଖ୍ୟକ  ଚାଷୀ ପଞ୍ଜିକୃତ ହୋଇଛନ୍ତି।

ବିଜେପି ସରକାର କ୍ଷମତାକୁ ଆସିବା ପରେ  ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ଏମ୍‌ଏସ୍‌ପି ଉପରେ  ୮୦୦ ଟଙ୍କା ବୋନସ ଦିଆଯାଉଛି । ତେଣୁ ଚାଷୀଙ୍କ  ସମର୍ଥନ ମିଳିବ ବୋଲି ବିଜେପି ଆକଳନ କରୁଛି ।  ସେପଟେ ଉଭୟ ବିଜେଡି ଓ କଂଗ୍ରେସ ଏହି ଚଷା  ଭୋଟରଙ୍କୁ ନିଜ ପଟକୁ ଟାଣିବାକୁ ମଧ୍ୟ ଉଦ୍ୟମ  କରୁଛନ୍ତି ।   ଏହା ବ୍ୟତୀତ ନୂଆପଡ଼ା ଜିଲ୍ଲାରେ  ୧୩୯୨ ଜଣ ଅଙ୍ଗନବାଡ଼ି କର୍ମୀ, ୧୩୮୨ ଜଣ  ଅଙ୍ଗନବାଡ଼ି ସହାୟିକା କାର୍ଯ୍ୟ କରୁଛନ୍ତି ।

ସେହିପରି  ଜିଲ୍ଲାରେ ୧୧୪୦ ଜଣ ଆଶାକର୍ମୀ ନିୟୋଜିତ  ହୋଇଛନ୍ତି । ଗାଁଗୁଡିକରେ ଏହି ଅଙ୍ଗନବାଡ଼ି ଓ  ଆଶା କର୍ମୀମାନେ ଭୋଟରମାନଙ୍କୁ ପ୍ରଭାବିତ  କରିବାର ଯଥେଷ୍ଟ ନଜିର ରହିଛି ।   ବିଜେପିରୁ  ଜୟ ଢୋଲକିଆ ଓ କଂଗ୍ରେସରୁ ଘାସିରାମ  ମାଝୀଙ୍କ ସହ କଡ଼ା ମୁକାବିଲା କରୁଛନ୍ତି ବିଜେଡିର  ସ୍ନେହାଙ୍ଗିନୀ ଛୁରିଆ । ଜଣେ ଦିବଙ୍ଗତ ବିଧାୟକଙ୍କ  ପୁଅ, ଆଉ ଜଣେ ସ୍ଥାନୀୟ ଆଦିବାସୀ ପୁଅ ।  ବିଜେଡିରୁ ମହିଳା ପ୍ରାର୍ଥୀ । ମହିଳା ଓ ଚାଷୀଙ୍କ  ଭୋଟ ଯେଉଁ ପଟକୁ ଢ଼ଳିବ ସେହି ପ୍ରାର୍ଥୀ ବିଜୟୀ  ହେବାର ଯଥେଷ୍ଟ ସମ୍ଭାବନା ରହିଛି ।