କଟକ,୧୦/୧୦: ପ୍ରତ୍ୟେକ ଶିକ୍ଷକଙ୍କୁ ଶିକ୍ଷକତା  କରିବାକୁ ହେଲେ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍‌  (ଓଟିଇଟି) ପାସ୍‌ କରିବାକୁ ପଡ଼ିବ । ଏନେଇ ରାଜ୍ୟ  ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଶିକ୍ଷକଙ୍କୁ ଓଟିଇଟି ଦେବାକୁ  ବାଧ୍ୟତା କରାଯାଇଥିଲାବେଳେ ଏହାକୁ ବିରୋଧ କରି ରୁଜୁ ମାମଲାର ଶୁଣାଣି ହାଇକୋର୍ଟ ଆସନ୍ତା ଅକ୍ଟୋବର ୨୮କୁ  ଧାର୍ଯ୍ୟ କରିଛନ୍ତି । ସେହିଦିନ ଏହି ଓଟିଇଟିକୁ ଚାଲେଞ୍ଜ୍‌ କରି  ରୁଜୁ ହୋଇଥିବା ଅନ୍ୟ ସମସ୍ତ ମାମଲାର ଏକତ୍ର ଶୁଣାଣି  ହେବ ବୋଲି ହାଇକୋର୍ଟ କହିଛନ୍ତି । ରାଜଶ୍ରୀ ମହାପାତ୍ରଙ୍କ  ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ  ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ଜଷ୍ଟିସ୍‌ ଏମ୍‌. ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ  ଦେଇଛନ୍ତି ।

ଆବେଦନକାରିଣୀ ଶିକ୍ଷୟିତ୍ରୀ ପିଟିସନ୍‌ରେ  ଦର୍ଶାଇଛନ୍ତି ଯେ, ୨୦୦୯ ମସିହାରେ ଏହି ଆଇନ ଆସିଲା ।  ଯେଉଁଥିରେ ନୂତନ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିଲା । ଜଣେ ଓଟିଇଟି ପାସ୍‌ କରି ନଥିଲେ ସେ ଶିକ୍ଷକତା କରିପାରିବେ ନାହିଁ । କିନ୍ତୁ  ନିକଟରେ ଏକ ବିଧେୟକ ଅଣାଯାଇ ପ୍ରତ୍ୟେକ ଶିକ୍ଷକଙ୍କ  ଲାଗି ଓଟିଇଟି ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ୨୦୦୯ ମସିହାରେ ଆଇନ ଆସିବା ପୂର୍ବରୁ ଶିକ୍ଷକତା କରି ଆସୁଛନ୍ତି ସେମାନଙ୍କୁ ମଧ୍ୟ ଏହି ପରୀକ୍ଷା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା । ଏଥିରେ ଆବେଦନକାରିଣୀଙ୍କ ପକ୍ଷର ଦର୍ଶାଯାଇଛି ଯେ, ଆଇନ ଲାଗୁ ହେବା ପରଠୁ ନୂତନ ଶିକ୍ଷକଙ୍କ ନିଯୁକ୍ତି କ୍ଷେତ୍ରରେ ଏହାର ଲାଗୁ କରାଯିବା  କଥା। କିନ୍ତୁ ଆଇନ ଲାଗୁ ହେବା ପୂର୍ବ ସମୟରୁ ଏହାକୁ  କିପରି ଲାଗୁ କରାଯିବ ସେନେଇ ପ୍ରଶ୍ନ ଉଠାଇଛନ୍ତି ।  ହାଇକୋର୍ଟ ଆବେଦନକାରିଣୀଙ୍କ ଏହି ମାମଲା ସହ ଅନ୍ୟ  ସମସ୍ତ ମାମଲାର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ କରୁଣାକର  ରଥ ମାମଲା ପରିଚାଳନା କରୁଛନ୍ତି ।