ଭୁବନେଶ୍ୱର,୦୨/୦୯: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭  ତାରିଖଠାରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅକ୍ଟୋବର  ୨ ତାରିଖ ଯାଏ ସେବା ପକ୍ଷ ପାଳିବ ବିଜେପି ।  ଏଥିପାଇଁ ରାଜ୍ୟରେ ମେଗା ସେବା ଅଭିଯାନ  କରାଯିବ । ଉତ୍ସାହର ସହ ସେବା ପକ୍ଷ ପାଳନ  କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ  ସମ୍ପାଦକ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି ।

ସେବା ପକ୍ଷ ଉପଲକ୍ଷେ ୧୭ରେ  ରାଜ୍ୟସ୍ତରୀୟ, ୧୮ରେ ଜିଲ୍ଲାସ୍ତରୀୟ ଓ ୧୯ରୁ  ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ମଣ୍ଡଳସ୍ତରରେ  ସ୍ୱଚ୍ଛତା ଅଭିଯାନ ଓ ରକ୍ତଦାନ ଶିବିର  ଆୟୋଜନ ହେବ । ବିଭିନ୍ନ ପିଏଚ୍‌ସି,  ସିଏଚ୍‌ସି, ମେଡିକାଲ କଲେଜ ଓ ଘରୋଇ  ଡାକ୍ତରଖାନାରେ ମାଗଣା ସ୍ୱାସ୍ଥ୍ୟ ଶିବିର  କରାଯିବ । ୧୭ରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ  ଜୀବନ ଉପରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ,  ୧୮ରୁ ୨୭ ସେପ୍ଟେମ୍ବର ଯାଏ ଜିଲ୍ଲାସ୍ତରୀୟ  ପ୍ରଦର୍ଶନୀ କରାଯିବ । ଏହି ପ୍ରଦର୍ଶନୀ ସହିତ  ‘ଭୋକାଲ ଫର ଲୋକାଲ’ର ପ୍ରଚାର ହେବ ।

ସ୍ଥାନୀୟ ଉତ୍ପାଦ, ହସ୍ତଶିଳ୍ପ ଓ  ପାରମ୍ପରିକ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଜିଲ୍ଲା  ଓ ରାଜ୍ୟସ୍ତରରେ ସ୍ୱତନ୍ତ୍ର ମେଳା ଓ ପ୍ରଦର୍ଶନୀ  ହେବ । ବିକଶିତ ଭାରତ ଉପରେ ଚିତ୍ରାଙ୍କନ  ପ୍ରତିଯୋଗିତା କରାଯିବ । ସେପ୍ଟେମ୍ବର ୧୯ ଓ  ୨୦ରେ ଜିଲ୍ଲାସ୍ତରୀୟ ପ୍ରବୁଦ୍ଧ ବର୍ଗ ସମ୍ବାଦ,  ମୋଦିଜୀଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର  ପ୍ରଦର୍ଶନ ହେବ । ୧୯ରୁ ୨୭ ତାରିଖ ଯାଏ  ବିଭିନ୍ନ ସ୍କୁଲ, କଲେଜ, ପାଠାଗାର ଓ ପଞ୍ଚାୟତ  ଅଫିସରେ ମୋଦିଜୀଙ୍କ ଜୀବନୀ ଉପରେ ପୁସ୍ତକ  ବଣ୍ଟାଯିବ । ଜାତୀୟ ଉପକୂଳ ଦିବସ ଅର୍ଥାତ୍‌  ସେପ୍ଟେମ୍ବର ୨୦ରେ ସମୁଦ୍ର ଉପକୂଳରେ  ସ୍ୱଚ୍ଛତା ଅଭିଯାନ ହେବ ।

୨୧ ତାରିଖରେ  ମୋଦି ବିକାଶ ମାରାଥନ କାର୍ଯ୍ୟକ୍ରମ କରାଯିବ ।  ୨୫ ତାରିଖରେ ବିଜେପିର ବିଚାର ପ୍ରଣେତା  ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ରାଜ୍ୟ, ଜିଲ୍ଲା ଓ ବୁଥ୍‌ସ୍ତରରେ ଆୟୋଜନ  କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୨୫  ଓ ୨୬ ତାରିଖରେ ଜିଲ୍ଲା ଓ ରାଜ୍ୟସ୍ତରରେ  ପ୍ରତିଷ୍ଠିତ ବ୍ୟକ୍ତି ଓ ଦିବ୍ୟାଙ୍ଗମାନଙ୍କୁ ସମ୍ମାନିତ  କରାଯିବ । ଅକ୍ଟୋବର ୨ରେ ମହାତ୍ମାଗାନ୍ଧୀ ଓ  ଶାସ୍ତ୍ରୀଙ୍କ ଜୟନ୍ତୀ ଅନୁଷ୍ଠିତ ହେବ । ସାଂସଦ  କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ ।  

ସେବା ପକ୍ଷ ପାଳନ ନେଇ ସୋମବାର  ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ କର୍ମଶାଳା  ଅନୁଷ୍ଠିତ ହୋଇଛି । ରାଜ୍ୟ ସଭାପତି  ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ  ବର୍ଦ୍ଧନ ସିଂହଦେଓ, ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ସମ୍ପାଦକ ଅରବିନ୍ଦ ମେନନ୍‌,  ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସାଧାରଣ  ସମ୍ପାଦକ (ସଂଗଠନ) ମାନସ ମହାନ୍ତି ପ୍ରମୁଖ  ଯୋଗ ଦେଇଥିଲେ । ରାଜ୍ୟ ପ୍ରଦାଧିକାରୀ,  ମୋର୍ଚ୍ଚା ଓ ପ୍ରକୋଷ୍ଠ ସଂଯୋଜକ, ସମସ୍ତ ଜିଲ୍ଲା  ସଭାପତି, ଜିଲ୍ଲା କମିଟି ସଦସ୍ୟମାନେ ଏଥିରେ  ଉପସ୍ଥିତ ଥିଲେ । ସେବା ପକ୍ଷକୁ ସୂଚାରୁ ରୂପେ  ପରିଚାଳନା କରିବାକୁ ଆଗାମୀ ଦିନରେ ଜିଲ୍ଲା  ଓ ମଣ୍ଡଳସ୍ତରରେ ଏଭଳି କର୍ମଶାଳା କରାଯିବ ।  

ସମାଜର ଗରିବ, ଶୋଷିତ ବର୍ଗର  ଉତ୍‌ଥାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅନେକ ଉଲ୍ଲେଖନୀୟ କାମ କରିଛନ୍ତି ।  ନିରନ୍ତର ସେବା ଓ ଅକ୍ଲାନ୍ତ ପରିଶ୍ରମ  ବଳରେ ସେ ସାରା ବିଶ୍ୱରେ ଭାରତକୁ  ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ  କରିଛନ୍ତି । ଦେଶ ପାଇଁ ତାଙ୍କର ଉଲ୍ଲେଖନୀୟ  ସେବା ପାଇଁ ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ  ସେବା ଦିବସ ଭାବେ ପାଳନ କରାଯାଉଛି  ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।