ଭୁବନେଶ୍ୱର, ୨୭/୦୯: ସ୍କୁଲ  ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ  ରଖାଯିବ । ମାଧ୍ୟମିକ ଶିକ୍ଷା ପରିଷଦ  (ବିଏସ୍‌ଇ) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)କୁ ମିଶାଇ  ଗୋଟିଏ ବୋର୍ଡ ଗଠନ କରାଯିବ । କେବଳ ଏତିକି ନୁହେଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରାଯିବ । ଆସନ୍ତା  ୩ ବର୍ଷରେ ୪୪ ହଜାର ୪୩୩ଟି  ପ୍ରାଥମିକ ଶିକ୍ଷକ ପଦବିରେ ନିଯୁକ୍ତି  ଦିଆଯିବ । ଏଥିରୁ ୪୦ ହଜାର ନୂଆ  ଶିକ୍ଷକ ପଦବି ସୃଷ୍ଟି କରାଯିବ । ଗତ  ଅଗଷ୍ଟ ୨୧ରେ ରାଜ୍ୟରେ ଗୁଣାତ୍ମକ  ଶିକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଶୁକ୍ରବାର ଏହାକୁ ଅନୁମୋଦନ ଦେଇଛନ୍ତି ।    

ରାଜ୍ୟରେ ବର୍ତ୍ତମାନ ୪୫ ହଜାର  ୨୯୨ଟି ପ୍ରାଥମିକ ସ୍କୁଲରେ ୧ ଲକ୍ଷ  ୬୦ ହଜାର ୩୧୯ଟି ଶିକ୍ଷକ ପଦବି  ରହିଛି । ନୂତନ ଶିକ୍ଷାନୀତି ଅନୁଯାୟୀ  ଆଉ ୩୯ ହଜାର ୩୬୬ଟି ପଦବି ସୃଷ୍ଟି  କରାଯିବ । ଆସନ୍ତା ଡିସେମ୍ବର ମାସ  ସୁଦ୍ଧା ଖାଲି ହେବାକୁ ଥିବା ୫ ହଜାର  ୬୭ଟି ପଦବିକୁ ମିଶାଇ ଆସନ୍ତା ୩  ବର୍ଷରେ ୪୪ ହଜାର ୪୩୩ଟି ଶିକ୍ଷକ ପଦବି ପୂରଣ କରାଯିବ । ପ୍ରଥମରୁ  ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ମାଗଣା  ପାଠ୍ୟପୁସ୍ତକ ଦିଆଯାଉଥିବା ବେଳେ  ଅନୁସୂଚିତ ଜାତି ଓ ଜନଜାତି ବର୍ଗର  ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା  ବହି ଦିଆଯାଉଥିଲା । କିନ୍ତୁ ଏବେ ସମସ୍ତ  ବର୍ଗର ପିଲାଙ୍କୁ ଦଶମ ଶ୍ରେଣୀ ଯାଏ  ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ  ଦିଆଯିବ । ଏନ୍‌ସିଇଆର୍‌ଟି ଢାଞ୍ଚାରେ  ଏସ୍‌ସିଇଆର୍‌ଟିକୁ ବିକଶିକ କରାଯିବ ।  ପାଠ୍ୟପୁସ୍ତକ ପ୍ରକାଶନ ନିର୍ଦ୍ଦେଶାଳୟ  ସଂସ୍ଥାର ସୃଦୃଢ଼ୀକରଣ ହେବ ।