ପୁରୀ,୨୩/୧୦: ଯାହା କଲେ  ବି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି  ବନ୍ଦ ହେଉନାହିଁ । ଏବେ ଆମାଜନ ଓ  ଶ୍ରୀପ୍ରସାଦ ନାମକ ୱେବସାଇଟ୍‌ରେ  ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି  ନେଇ ବିଜ୍ଞାପନ ବାହାରିଛି । ଆମାଜନ ତାର  ୱେବସାଇଟ୍‌ରେ ତାଳପତ୍ରରେ ଶୁଖିଲା  ଭୋଗ ମିଳିବା ସହ ରହିଛି ୫୦ ପ୍ରତିଶତ  ରିହାତିର ବିଜ୍ଞାପନ । ୩୫୦୦ ଟଙ୍କାରେ  ୩ ପ୍ରକାର ଭୋଗ । ୨୫୦୦ ଟଙ୍କାରେ  ୨ ପ୍ରକାର ଭୋଗ । ୧୫୦୦ ଟଙ୍କାରେ  ଗୋଟିଏ ପ୍ରକାର ଭୋଗ ଦେବା ନେଇ  ଅନଲାଇନ୍‌ ସାଇଟ୍‌ରେ ଅପ୍‌ସନ୍‌ ରହିଛି ।  ଆମାଜନ୍‌ରେ କ୍ରିଷ୍ଟାଲ ଭିଜନ ନାମକ  ସେଲର ତରଫରୁ ଏହି ଭୋଗ ଯୋଗାଇ  ଦିଆଯାଉଛି । ସେପଟେ ଶ୍ରୀପ୍ରସାଦ ନାମକ  ୱେବ୍‌ସାଇଟରେ ରହିଛି ମହାପ୍ରଭୁଙ୍କ  ଅବଢ଼ା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ।  ଶ୍ରୀମନ୍ଦିର ରୋଷ ଘରୁ ସିଧାସଳଖ ଆଣି  ମହାପ୍ରସାଦ ଯୋଗାଇଦେବା ନେଇ  ବିଜ୍ଞାପନ ଦିଆଯାଇଛି । ଗୋଟିଏ ପଟେ  ମହାପ୍ରଭୁଙ୍କ ଅବଢ଼ା କଣିକାଏ ପାଇବାକୁ  ଶ୍ରଦ୍ଧାଳୁ ବ୍ୟାକୁଳ ହେଉଥିବା ବେଳେ  ୱେବସାଇଟ୍‌ରେ ଏ ପ୍ରକାର ବିଜ୍ଞାପନ  ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ  ଆଲୋଡ଼ନ ସୃଷ୍ଟି କରିଛି ।