କଟକ,୧୮/୧୦: ଅନୁକମ୍ପାମୂଳକ ଚାକିରି ପାଇଁ  ଆବେଦନ କରିବାର ନିର୍ଦ୍ଦିଷ୍ଟ ସମୟ କେବେ ତାହା କୌଣସି  ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ । ସରକାରୀ ଚାକିରିରେ  ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ଆବେଦନ କରିବାର ସମୟ ଆରମ୍ଭ ହୋଇଥାଏ । କିନ୍ତୁ ଜଣେ ଆଇନଗତ ଉତ୍ତରାଧିକାରୀ  ଭାବେ ଆବେଦନ କରିବାକୁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏ ସଂକ୍ରାନ୍ତ ବିଭିନ୍ନ ସାଟିର୍ଫିକେଟ୍‌ ଯୋଗାଡ଼ କରିବାକୁ ପଡ଼ିଥାଏ । ଏହି ସାର୍ଟିଫିକେଟ୍‌ ଯୋଗାଡ଼ କରିବା କାର୍ଯ୍ୟ ମଧ୍ୟ ଏତେ ସହଜ ନୁହେଁ । ଆବଶ୍ୟକ ପଡ଼ୁଥିବା ସମସ୍ତ ସାର୍ଟିଫିକେଟ ଯୋଗାଡ଼ ପରେ ଯାଇ ଜଣେ ବ୍ୟକ୍ତି ଅନୁକମ୍ପାମୂଳକ ଚାକିରି  ପାଇଁ ଆବେଦନ କରିପାରିବେ । କିନ୍ତୁ ଆଇନରେ ଏହି  ସାର୍ଟିଫିକେଟ୍‌ ଯୋଗାଡ଼ ସମୟକୁ ବାଦ୍‌ ଦିଆଯାଇ ନାହିଁ । ତେଣୁ ଅନୁକମ୍ପାମୂଳକ ଚାକିରି ପାଇଁ ବିଳମ୍ବରେ ଆବେଦନ ଆଳରେ  ଜଣଙ୍କ ଆବେଦନକୁ ଖାରଜ କରିବା ଗ୍ରହଣୀୟ ନୁହେଁ ବୋଲି  ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ବ୍ୟକ୍ତ କରିଛନ୍ତି ।  

ଭଞ୍ଜନଗରର କେଏସ୍‌ୟୁବି ମହାବିଦ୍ୟାଳୟର ପିଅନ ପଦରେ ରଶ୍ମିତା ନାୟକଙ୍କ ବାପା କାର୍ଯ୍ୟ କରୁଥିଲା ବେଳେ ହଠାତ୍‌ ତାଙ୍କର ଦେହାନ୍ତ ହୋଇଯାଇଥିଲା । ବାପାଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ଚାକିରି ପାଇଁ ସେ ଆବେଦନ କରିଥିଲେ ।  କିନ୍ତୁ ସେ ବିଳମ୍ବରେ ଆବେଦନ କରିଥିବା ଦର୍ଶାଯାଇ ପ୍ରଶାସନ ପକ୍ଷରୁ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଥିଲା ।  ଏହି ଆଦେଶ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଡି.କେ.  ଶ୍ରୀପଦ ପ୍ରଶାସନର ଏହି ନିଷ୍ପତ୍ତିକୁ ଖାରଜ କରିବା ସହ  ଆବେଦନକାରୀଙ୍କ ଆବେଦନକୁ ସାନି ବିଚାର ପାଇଁ ପଠାଇ  ଦେଇଛନ୍ତି । ଏହି ଆବେଦନ ଉପରେ ୩ ମାସ ମଧ୍ୟରେ  ପ୍ରଶାସନ ନିଷ୍ପତ୍ତି ନେବ । ଯଦି ଧାର୍ଯ୍ୟ ସମୟ ମଧ୍ୟରେ ନିଷ୍ପତ୍ତି  ନିଆ ନଯାଏ ତାହେଲେ ଦାୟୀ ଅଧିକାରୀଙ୍କୁ ପ୍ରତିଦିନ ୫ ଶହ  ଟଙ୍କା ଲେଖାଏଁ ହିସାବରେ ଆବେଦନକାରିଣୀଙ୍କୁ କ୍ଷତିପୂରଣ  ଦେବାକୁ ପଡ଼ିବ । ଏହି ଟଙ୍କା ତାଙ୍କ ନିଜ ପକେଟରୁ ଭରଣା  କରିବାକୁ ପଡ଼ିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।  

ହାଇକୋର୍ଟ ଏହି ଅବସରରେ କହିଛନ୍ତି ଯେ, ଭାରତ ଏକ  ଜନମଙ୍ଗଳ ରାଷ୍ଟ୍ର । ଆବେଦନକାରିଣୀଙ୍କ ଭଳି ଲୋକଙ୍କୁ ନିଯୁକ୍ତି  ଦିଆଯିବା ଦ୍ୱାରା ଜନମଙ୍ଗଳ ରାଷ୍ଟ୍ରର ପ୍ରକୃତ ଉଦ୍ଦେଶ୍ୟ ସାଧିତ  ହୋଇପାରିବ । କିନ୍ତୁ ଏଠି ବିଳମ୍ବରେ ଆବେଦନ କରିଥିବା  ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି । କେବଳ  ତାଙ୍କର ନୁହେଁ ଅନେକ ଆବେଦନ କେବଳ ଏହି ବିଳମ୍ବ  ଆବେଦନ ଆଳରେ କାଟି ଦିଆଯାଉଛି । ହାଇକୋର୍ଟ ଏଭଳି  ଏକ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ଜଣେ ବ୍ୟକ୍ତିଙ୍କ  ଦେହାନ୍ତ ପରେ ବିଭିନ୍ନ ସାର୍ଟିଫିକେଟ୍‌ ଯୋଗାଡ଼ କରିବା କଷ୍ଟକର  କାର୍ଯ୍ୟ । ତେଣୁ ଯେତିକି ସମୟ ଏହି ପ୍ରମାଣପତ୍ର ଯୋଗାଡ଼ରେ  ଯାଉଛି ସେତିକି ସମୟକୁ ଆବେଦନ ସମୟସୀମାରୁ  ବାଦ୍‌ ଦେବା ଆବଶ୍ୟକ ବୋଲି କୋର୍ଟ ମତ ଦେଇଛନ୍ତି ।