ଜବଲପୁର,୨୦/୧୦: ୟୁପିଆଇ ଟ୍ରାଞ୍ଜାକସନକୁ ନେଇ ଜବଲପୁର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପିଆଇ ଟ୍ରାଞ୍ଜାକସନ ଫେଲ୍ ହେବାରୁ ଷ୍ଟେସନରେ ଜଣେ ସିଙ୍ଗଡା ବ୍ୟବସାୟୀ ଯାତ୍ରୀଙ୍କ କଲାରକୁ ଭିଡି ଧରିବା ସହ ଛାଡି ନଥିଲେ ।
ସୂଚନା ଅନୁସାରେ ଷ୍ଟେସନରେ ଜଣେ ଟ୍ରେନ ଯାତ୍ରୀ ସେଠାରେ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ସିଙ୍ଗଡା କିଣିଥିଲେ । ପାଖରେ ନଗଦ ଅର୍ଥ ନଥିବାରୁ ସେ ଫୋନ୍ ପେ ମାଧ୍ୟମରେ ପେମେଣ୍ଟ କରିବାକୁ ଚାହିଁଥିଲେ । କିନ୍ତୁ ତାହା ଫେଲ୍ ହୋଇଯାଇଥିଲା । କିନ୍ତୁ ସେହି ସମୟରେ ଟ୍ରେନ ଛାଡିବା ଆରମ୍ଭ କରିଥିଲା । ଯାତ୍ରୀ ଜଣକ ସିଙ୍ଗଡା ଫେରାଇଦେଇ ଟ୍ରେନ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ବ୍ୟବସାୟୀ ଜଣକ ତାଙ୍କ କଲାରକୁ ଭିଡି ଧରିଥିଲେ । କହିଥିଲେ ସିଙ୍ଗଡା ସେ ଫେରାଇ ନେବେ ନାହିଁ । ସିଙ୍ଗଡା ବାବଦକୁ ଟଙ୍କା ଦେବାକୁ ପଡିବ । ନହେଲେ ଛାଡିବେ ନାହିଁ । ଟ୍ରେନ ଚାଲିବା ଆରମ୍ଭ କରିଥିବାରୁ ବାଧ୍ୟହୋଇ ଯାତ୍ରୀ ଜଣକ ନିକ ହାତରେ ପିନ୍ଧିଥିବା ଘଣ୍ଟାକୁ ଖୋଲି ବ୍ୟବସାୟୀଙ୍କୁ ଦେଇଥିଲେ ଏବଂ ସେଠାରୁ ପଳାଇଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ରେଲୱେ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡିଆରଏମ୍ କହିଛନ୍ତି ଯେ ଅଭିଯୁକ୍ତ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କୁ ଚିହ୍ନଟ କରାଯିବା ପରେ ଆରପିଏଫ ଗିରଫ କରିଛି । ଷ୍ଟେସନରେ ବିକ୍ରି କରିବା ଲାଗି ତାଙ୍କୁ ମିଳିଥିବା ଲାଇସେନ୍ସ ରଦ୍ଦ କରାଯିବ । ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ଘଟିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।