ଭୁବନେଶ୍ୱର,୨୩/୧୦:  ବହୁଚର୍ଚ୍ଚିତ ‘ଫୁଲବାଣୀ କୁକୁଡ଼ା’କୁ  ଜାତୀୟ ମାନ୍ୟତା ମିଳିବାର ବାଟ  ଫିଟିଛି । ଏହି ଦେଶୀ କୁକୁଡ଼ା  ସମ୍ପର୍କରେ ସବିଶେଷ ତଥ୍ୟ "ନ୍ୟାସନାଲ୍‌  ବ୍ୟୁରୋ ଅଫ୍‌ ଆନିମଲ୍‌ ଜେନେଟିକ୍‌  ରିସୋର୍ସେସ'(ଏନ୍‌ବିଏଜିଆର୍‌)କୁ  ପ୍ରଦାନ କରାଯାଇଛି । କେବଳ କୁକୁଡା  ନୁହେଁ, ମୟୂରଭଞ୍ଜରେ ଥିବା କୁଡୁ ବତକକୁ ମଧ୍ୟ ଜାତୀୟ ମାନ୍ୟତା ଦେବା  ପାଇଁ ସବିଶେଷ ତଥ୍ୟ କେନ୍ଦ୍ରୀୟ ଟିମ୍‌କୁ  ଦିଆଯାଇଛି । ଗତ ୧୫ଦିନ ତଳେ ଏନବିଏଜିଆରର ଅଧିକାରୀମାନେ  ଓଡ଼ିଶା ଗସ୍ତରେ କ୍ଷେତ୍ର ପରିଦର୍ଶନ  କରିବା ସହ କୁକୁଡ଼ା ଓ ବତକ ସମ୍ପର୍କିତ  ଗବେଷଣାତ୍ମକ ରିପୋର୍ଟ ନେଇଥିଲେ ।  ଗବେଷକଙ୍କ ସହ ଏନେଇ ଆଲୋଚନା  କରିଥିଲେ । ଏହି ବିରଳ ପ୍ରଜାତିର  କୁକୁଡା ଓ ବତକକୁ ଜାତୀୟ ମାନ୍ୟତା  ମିଳିବା ନେଇ ଗବେଷକମାନେ  ହୃଦବୋଧ କରିବା ପରେ ଏହି ନିଷ୍ପତ୍ତି  ନିଆଯାଇଥିଲା । ତେଣୁ ଖୁବଶୀଘ୍ର  ଜାତୀୟମାନ୍ୟତା ପ୍ରଦାନ ନେଇ  ସବୁଜ ସଙ୍କେତ ମିଳିପାରେ ବୋଲି  ଗବେଷକମାନେ ଆଶାବାଦୀ ଅଛନ୍ତି ।  ଯଦି ମାନ୍ୟତା ମିଳେ ତେବେ ହାଁସଲି  କୁକୁଡା ପରେ ଫୁଲବାଣୀ ଦ୍ୱିତୀୟ  କୁକୁଡା ଭାବେ ମାନ୍ୟତା ପାଇବ ବୋଲି ଓୟୁଏଟିର ପ୍ରାକ୍ତନ ଗବେଷକ ସୁଶାନ୍ତ  ଦାସ କହିଛନ୍ତି ।  

ସୂଚନା ଅନୁସାରେ, କନ୍ଧମାଳ  ଜିଲ୍ଲାର ସ୍ୱତନ୍ତ୍ର ପ୍ରଜାତିର ଦେଶୀ  କୁକୁଡ଼ାକୁ "ଫୁଲବାଣୀ କୁକୁଡ଼ା' ବୋଲି  ନାମକରଣ କରାଯାଇଛି । ଫୁଲବାଣୀ  ସମେତ ରାଇକିଆ, ଘୁ.ଉଦୟଗିରି,  ଫିରିଙ୍ଗିଆ, କୋଟଗଡ଼ ଓ ବାଲିଗୁଡ଼ାର  ଆଭ୍ୟନ୍ତରୀଣ ଜଙ୍ଗଲରେ ଏହି ପ୍ରଜାତିର  ଦେଶୀ କୁକୁଡ଼ା ଦେଖିବାକୁ ମିଳିଥାନ୍ତି ।  ଗୋଟିଏ ବୟସ୍କ "ଫୁଲବାଣୀ କୁକୁଡ଼ା'ର  ଓଜନ ୧ କିଲୋରୁ ଦେଢ଼କିଲୋ ପର୍ଯ୍ୟନ୍ତ  ହୋଇଥାଏ । ଏମାନେ ବର୍ଷକୁ ୬୦ରୁ  ୭୦ଟି ଅଣ୍ଡା ଦେଇଥା'ନ୍ତି । କୁକୁଡା  ମାଂସରେ ଔଷଧୀୟ ଗୁଣ ଭରିରହିଥିବା  ବେଳେ ଯେକୌଣସି ବିପଦ ଆସିଲେ  ଏହି କୁକୁଡ଼ା ଭୂମି ଉପରୁ ୩୦ରୁ ୫୦  ଫୁଟ ଉଚ୍ଚ ଓ ଲମ୍ୱା ଉଡ଼ିବାର ଦକ୍ଷତା  ରଖିଛନ୍ତି । ସେଥିପାଇଁ ବଣବିଲେଇ  ସହଜରେ କୁକୁଡାକୁ ଧରିପାରନ୍ତି  ନାହିଁ । ଏମାନଙ୍କ ଶରୀରରେ ରୋଗ  ପ୍ରତିରୋଧକ ଶକ୍ତି ବି ଅଧିକ ।  ଫୁଲବାଣୀ କୁକୁଡ଼ାଙ୍କୁ କୃମି, ଝାଡ଼ାରୋଗ,  ବାୟୁବାହିତ କିମ୍ୱା ଭାଇରସ୍‌ଜନିତ  ସଂକ୍ରମଣ ସହଜରେ ଆକ୍ରାନ୍ତ  କରିପାରିନଥାଏ । ଦେଶର ୨୦ତମ  ସ୍ୱତନ୍ତ୍ର ଦେଶୀ ପ୍ରଜାତିର କୁକୁଡ଼ାବର୍ଗରେ  ଫୁଲବାଣୀ କୁକୁଡ଼ାକୁ ସାମିଲ କରାଯିବା  ନେଇ ଓୟୁଏଟିର ଗବେଷକମାନେ  ଉଦ୍ୟମ କରିଆସୁଥିଲେ । ଡ. ଦାସଙ୍କ  କହିବା ଅନୁସାରେ, କନ୍ଧମାଳ ଜିଲ୍ଲାରେ  ପାଖାପାଖି ଦେଢ଼ଲକ୍ଷରୁ ଅଧିକ  ସଂଖ୍ୟାରେ ଏହି କୁକୁଡ଼ା ରହିଛନ୍ତି ।  ଏମାନଙ୍କର ସଂରକ୍ଷଣ ଏବଂ ସୁରକ୍ଷିତ  ପ୍ରଜନନ ପ୍ରତି ଧ୍ୟାନ ଦେବା ଉଚିତ ।  

ସେହିପରି ମୟୁରଭଞ୍ଜରେ  କୁଡୁ ବତକ ଦେଖାଯାଏ । ଏମାନେ  ଆକାରରେ ଛୋଟ ହୋଇଥିବାରୁ  ଏମାନଙ୍କ ନାଁ ଏଭଳି ରହିଛି ।  ୫ମାସରେ ଏମାନେ ଦେଢକେଜିରୁ ୧୮୦୦ ଗ୍ରାମ ଓଜନର ହୋଇଥାନ୍ତି ।  ବର୍ଷକରେ ୨୮୦ରୁ ୩୦୦ଟି ଅଣ୍ଡା  ଦେଇଥାନ୍ତି । ଲାଭଜନକ ଦୃଷ୍ଟିରୁ ଏହି  ବତକ ପାଳନର ଆବଶ୍ୟକତା ରହିଛି ।  କିଛିବର୍ଷ ହେବ ଆଇସିଏଆରସର୍ବଭାରତୀୟ କୁକ୍କୁଟ ଗବେଷଣା  କେନ୍ଦ୍ର, ଭୁବନେଶ୍ୱର ଷ୍ଟେସନ ପକ୍ଷରୁ  ଏହି ବତକ ଉପରେ ଗବେଷଣା  ହେଉଥିଲା । କେବଳ ସେତିକିନୁହେଁ,  ଓଡିଶାର ଆଉ ଏକ ଦେଶୀ କୁକୁଡା  ‘ଭେଜାଗୁଡା’କୁ ଜାତୀୟ ମାନ୍ୟତା  ନେଇ ଏନବିଏଜିଆର ଟିମ୍‌ ସହ  ଆଲୋଚନା ହୋଇଛି । ଏଭଳି  କୁକୁଡା ଏବେ କୋରାପୁଟ, ଜୟପୁର,  କୁନ୍ଦ୍ରା, ବୈପାରୀଗୁଡା, କୋଟପାଡ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ  ଦେଖାଯାଉଛନ୍ତି । ପ୍ରାପ୍ତ ବୟସକୁ  ଆସିବା ପରେ ଅର୍ଥାତ ୫ମାସରେ  ମାଈ କୁକୁଡା ୧.୩ କିଗ୍ରା ଓ ଗଂଜା  ୨ କିଗ୍ରା ଓଜନର ହୋଇଥାନ୍ତି ।  ଏହାର ମାଂସ ସ୍ୱାଦିଷ୍ଟ ହୋଇଥିବା  ବେଳେ ଥରକେ ୧୨ରୁ ୧୫ଟି  ଅଣ୍ଡା ଦେଇଥାନ୍ତି । ଓୟୁଏଟି ଏହା  ଉପରେ ମଧ୍ୟ ଗବେଷଣା କରୁଥିଲା ।