ବ୍ରହ୍ମପୁର, ୭/୧୦: କିଏ ଏବଂ କାହିଁକି ହତ୍ୟା କଲେ ? ବରିଷ୍ଠ ଆଇନଜୀବୀ ଓ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛର କାରଣ ଅସ୍ପଷ୍ଟ । ବ୍ୟକ୍ତିଗତ ନା ବୃତ୍ତିଗତ ନା ରାଜନୈତିକ ନା ହତ୍ୟା ପଛରେ ରହିଛି ଅନ୍ୟ କିଛି କାରଣ । ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ଉଠିଛି । ଅନ୍ୟପଟେ ଏହା ଏକ ସୁନିୟୋଜିତ ଟାର୍ଗେଟ୍ କିଲିଂ ବୋଲି କୁହାଯାଉଛି । ଘଟଣା ନେଇ ରାଜ୍ୟର ଆଇନଜୀବୀ ମହଲ ସମେତ ରାଜନୈତିକ ସ୍ତରରେ ଓ ବ୍ରହ୍ମପୁରର ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଅପରପକ୍ଷରେ ଘଟଣା ପରେ ରାତାରାତି ବ୍ରହ୍ମପୁର ପହଞ୍ଚିଥିଲେ ବିଜେପି ସଭାପତି ମନମୋହନ ସାମଲ । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ସେ ଲୋକଙ୍କ ପାଇଁ ସ୍ବର ଉଠାଉଥିଲେ। ଏଭଳି ଜଣେ ବ୍ୟକ୍ତିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଯିଏ ବି ଅପରାଧୀ ହୁଅନ୍ତୁ ନା କାହିଁକି, କାହାକୁ ଛଡ଼ା ଯିବନି। ଏହା ଆମ ଦଳ ପାଇଁ ଏକ ଅପୂରଣୀୟ କ୍ଷତି।
ପୀତବାସ ପଣ୍ଡା ଗରିବ ଏବଂ ଅସହାୟଙ୍କ ପ୍ରତି ଦୟାଳୁ ଥିଲେ। କୋଭିଡ୍ ସମୟରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ବସ୍ତା ବସ୍ତା ଚାଉଳ ଯୋଗାଡ କରି ବାଣ୍ଟୁଥିଲେ। ବିଭିନ୍ନ ଶ୍ରମିକ ସଙ୍ଗଠନ, ପଟ୍ଟା ରିକ୍ସା ସଂଘ ସହ ଜଡ଼ିତ ରହି ସେମାନଙ୍କ ପାଇଁ ସ୍ବର ଉତ୍ତୋଳନ କରି ଆସୁଥିଲେ। ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ଦୁର୍ନୀତିର ପର୍ଦ୍ଦାଫାଶ ପାଇଁ ତତ୍ପର ରହୁଥିଲେ। ଅସାମାଜିକ ଓ ମାଫିଆ ଗୋଷ୍ଠୀ ବିରୋଧରେ ତାଙ୍କ ବୟାନବାଜୀ ଅନେକ ସମୟରେ ସେମାନଙ୍କ ପ୍ରତି ଅଡୁଆ ସୃଷ୍ଟି କରୁଥିଲା। ସେ ଅନେକ ଜଟିଳ ମାମଲା ଲଢୁଥିଲେ। ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପୀତବାସ ଏବେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଥିଲେ। ଏଣୁ ତାଙ୍କର କିଛି ଶତ୍ରୁ ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କର ହତ୍ୟା ପ୍ରତିବାଦରେ ଆଜି ରାଜ୍ୟରେ ଆଇନଜୀବୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି।
ବାମପନ୍ଥୀ ବିଚାରଧାରାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପୀତବାସ ପରବର୍ତ୍ତୀ ସମୟରେ କଂଗ୍ରେସ ସହ ସମ୍ପୃକ୍ତ ଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଭିନ୍ନ ଭିନ୍ନ ଦଳର ବିଭିନ୍ନ ରାଜନେତାଙ୍କ ସହ ତାଙ୍କର ଘନିଷ୍ଠତା ଥିବା ବେଳେ ଆଉ କିଛି ଜଣଙ୍କ ସହ ତାଙ୍କର ବିଚାରଗତ ଓ କାର୍ଯ୍ୟଗତ ପାର୍ଥକ୍ୟ ମଧ୍ୟ ରହିଥିଲା। ବିଶେଷ କରି ଗତ ଏକ ବର୍ଷ ମଧ୍ୟରେ ତାଙ୍କ ରାଜନୈତିକ ସକ୍ରିୟତା ଅନେକଙ୍କ ଚକ୍ଷୁଶୂଳ ହୋଇଥିବା ଅନୁମାନ କରାଯାଉଛି। ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ହେଉ କି ବାଲି ଓ ଖଣି ମାଫିଆଙ୍କ କାରନାମା ସବୁ କ୍ଷେତ୍ରରେ ତାଙ୍କ ବୟାନ ଚର୍ଚ୍ଚିତ ରହୁଥିଲା।
ଅପରାଧୀମାନେ ହତ୍ୟା ପାଇଁ କୁମାର ପୂର୍ଣ୍ଣିମା ଭଳି ରାତି ବାଛିଥିଲେ। କୁମାର ପୂର୍ଣ୍ଣିମା ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ଭିନ୍ନ ମହତ୍ତ୍ୱ ରଖେ। ସନ୍ଧ୍ୟାରୁ ଲୋକଙ୍କ ଗହଳିଚହଳି କମିଯାଏ। ରାସ୍ତା, ବଜାର ପ୍ରାୟ ଫାଙ୍କା ହୋଇଯାଏ। ଲୋକେ ରାତି ପ୍ରାୟ ଅନିଦ୍ରା ରହି ଘର ଭିତରେ ପରିବାର ଓ ସମ୍ପର୍କୀୟଙ୍କ ସହ ମିଶି ତାସ୍ ଖେଳିବା, ମଜା ମସ୍ତି କରିବା ଓ ପିଠାପଣା ଖିଆପିଆରେ ମସଗୁଲ ରହିଥାନ୍ତି। ଏହା ଅପରାଧୀଙ୍କୁ ପିଛା କରି ହତ୍ୟାକାଣ୍ଡ ଘଟାଇ ଚମ୍ପଟ ମାରିବାରେ ସୁହାଇଥିବା କୁହାଯାଉଛି। ଆହୁରି ମଧ୍ୟ ଏହି ସମୟରେ ଜିଲ୍ଲା, ରାଜ୍ୟ ଏପରିକି ବିଦେଶରେ ରହୁଥିବା ଓଡ଼ିଆ ଲୋକ ବ୍ରହ୍ମପୁର ସହର ବା ଗଞ୍ଜାମ ଜିଲ୍ଲା ନିଜ ଘରକୁ ଫେରିଥାନ୍ତି। ଯାନିଯାତ୍ରା ସରିଲେ ସେମାନେ ଫେରିଥାନ୍ତି। ଏଭଳି କିଛି ଅପରାଧୀ ତତ୍ତ୍ବକୁ ଧରି ପୂର୍ବ ଶତ୍ରୁତାରୁ କେହି ପୀତବାସଙ୍କୁ ଟାର୍ଗେଟ୍ କରିବା ସମ୍ଭାବନା ଏଡ଼ାଇ ଦିଆଯାଇ ନପାରେ। ସେହିପରି ଏହି ହତ୍ୟାକାଣ୍ଡ ପଛରେ ସୁପାରୀ କିଲିଂ ସନ୍ଦେହ ମଧ୍ୟ ଉପୁଜିଛି। ପୁଲିସ ଏ ସମସ୍ତ ଦିଗକୁ ନଜରରେ ରଖି ତନାଘନା ଚଳାଇଛି।