ନୂଆଦିଲ୍ଲୀ: ପାକିସ୍ତାନରେ ପୋଲିଓ ମାମଲା ହ୍ରାସ ପାଇବା ସତ୍ତ୍ୱେ, ଏହି ରୋଗ ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ମଙ୍ଗଳବାର ଖାଇବର ପଖତୁନଖ୍ୱା ପ୍ରଦେଶରେ ଆଉ ଏକ ପୋଲିଓଭାଇରସ୍ ମାମଲା ରିପୋର୍ଟ ହୋଇଛି। ଯାହା ଫଳରେ ଚଳିତ ବର୍ଷ ସାରା ଦେଶରେ ମୋଟ ମାମଲା ସଂଖ୍ୟା 30ରେ ପହଞ୍ଚିଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ (NIH) ଅନୁଯାୟୀ, ତୋରଘର ଜିଲ୍ଲାର ଘାରି ୟୁନିଅନ୍ ପରିଷଦର ଏକ ବର୍ଷୀୟ ଶିଶୁରେ ଏହି ମାମଲା ଚିହ୍ନଟ ହୋଇଛି।

NIH ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ୩୦ଟି ମାମଲା ମଧ୍ୟରୁ ୧୯ଟି ଖାଇବର ପଖତୁନଖ୍ୱାରୁ, ଟି ସିନ୍ଧରୁ ଓ ପଞ୍ଜାବ ଏବଂ ଗିଲଗିଟ-ବାଲ୍ଟିସ୍ତାନରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି। ଯେଉଁଥିରପାଇଁ ଗତ ସେପ୍ଟେମ୍ବର ମାସରେ ଦେଶର ୮୭ଟି ଜିଲ୍ଲାରୁ ୧୨୭ଟି ନମୁନା ସଂଗ୍ରହ କରାଯାଇଥିଲା। ଏଥିମଧ୍ୟରୁ ୮୧ଟି ନମୁନା ନେଗେଟିଭ୍ ମିଳିଥିବା ବେଳେ ୪୪ଟି ପଜିଟିଭ୍ ଆସିଥିବା ଜଣାପଡିଛି।

ବେଲୁଚିସ୍ତାନରେ ୨୧ଟି ନମୁନା ନେଗେଟିଭ୍ ଏବଂ ଦୁଇଟି ପଜିଟିଭ୍ ରିପୋର୍ଟ ହୋଇଛି। ପଞ୍ଜାବରେ ୨୨ଟି ନମୁନା ନେଗେଟିଭ୍, ଆଠଟି ପଜିଟିଭ୍ ଏବଂ ଗୋଟିଏ ନମୁନାର ଯାଞ୍ଚ ଜାରି ରହିଛି। ଖାଇବର ପଖତୁନଖ୍ୱାରେ ୨୪ଟି ନମୁନା ନେଗେଟିଭ୍ ଏବଂ ୧୦ଟି ପଜିଟିଭ୍ ରିପୋର୍ଟ ହୋଇଛି। ସିନ୍ଧରେ ସାତଟି ନମୁନା ନେଗେଟିଭ୍, ୨୧ଟି ପଜିଟିଭ୍ ଏବଂ ଗୋଟିଏ ନମୁନାର ଯାଞ୍ଚ ଚାଲୁ ରହିଥିବା ରିପୋର୍ଟ ହୋଇଛି।  ଅନ୍ୟପଟେ ଇସଲାମାବାଦ ଏବଂ ପାକ୍ ଅଧିକୃତ କାଶ୍ମୀରରୁ କିଛି ନମୁନା ମଧ୍ୟ ପଜିଟିଭ୍ ପରୀକ୍ଷା କରାଯାଇଛି।

ପ୍ରତିଷ୍ଠାନ କହିଛି ଯେ ସାମଗ୍ରିକ ଭାବରେ, ପୋଲିଓ ଭାଇରସ ମାମଲା ହ୍ରାସ ପାଇଛି। ଯାହା ସମ୍ପ୍ରତି ସଫଳ ଟୀକାକରଣ ଅଭିଯାନର ପରିଣାମ। ତେବେ, କିଛି ଉଚ୍ଚ ବିପଦପୂର୍ଣ୍ଣ ଅଞ୍ଚଳରେ ଏହି ଭାଇରସ ବ୍ୟାପିବାରେ ଲାଗିଛି। ଗତ ବର୍ଷ, ଅର୍ଥାତ ୨୦୨୪ ମସିହାରେ, ଏହି ଭାଇରସ ୯୦ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରିଥିଲା। ଯେଉଁଥିପାଇଁ ପାକିସ୍ତାନରେ ମୋଟ ୭୧ଟି ପୋଲିଓ ମାମଲା ରିପୋର୍ଟ ହୋଇଥିଲା।

ବିଶ୍ୱର କେବଳ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ହିଁ ପୋଲିଓ ରୋଗ ଏବେ ବି ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ସୁରକ୍ଷା ଚ୍ୟାଲେଞ୍ଜ, ଟୀକା ପ୍ରତି ଦ୍ୱିଧା ଏବଂ ଗୁଜବ ପାକିସ୍ତାନରେ ପୋଲିଓ ନିରାକରଣ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ସାମ୍ନାକୁ ଆସିଛି।