ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ, କେବଳ ଆମ ଓଡ଼ିଶାରେ ଦେଢ଼କୋଟି ବୃକ୍ଷଚାରା ରୋପଣ କରାଗଲା । ବହୁତ ଭଲ କଥା । ଫଟୋ ଉଠିଲା, ବହୁତ ପ୍ରଚାର ହେଲା ଗଣମାଧ୍ୟମରେ । କିନ୍ତୁ ବର୍ଷେ ପରେ କେହି କହିପାରିବେ ଏହି ଦୁଇବର୍ଷରେ ସେଥିମଧ୍ୟରୁ କେତୋଟି ଗଛ ବଞ୍ଚିଛି । ମା'ଙ୍କ ସମ୍ମାନାର୍ଥେ ନିଜ ଘରେ ଗଛଟିଏ ଲଗାଇବା ପାଇଁ ଇଞ୍ଚେ ମାଟି ନାହିଁ! ଜନସାଧାରଣ ଓ ପ୍ରାଣୀମାନଙ୍କର ଚଳପ୍ରଚଳ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଚାରାଟିଏ ଲଗାଇ, ବିନା ଯତ୍ନରେ ଚାରାଟିକୁ ନଷ୍ଟ କରିଦେବା ତାଙ୍କ ପ୍ରତି ଅସମ୍ମାନ ନୁହେଁ କି! ନିଶା ନିବାରଣ ପାଇଁ ବହୁତ ସଚେତନ କାର୍ଯ୍ୟକ୍ରମ କରୁଛନ୍ତି ଆମ ସରକାର, ସମାନ୍ତର ଭାବେ ଅଧିକ ନିଶା ଦୋକାନ ଖୋଲିବାରେ ମଧ୍ୟ ଲାଗିଛନ୍ତି । ଏସବୁ କେବଳ ଫଟୋଉଠା ରାଜନୀତି ବ୍ୟତୀତ କ'ଣ ହୋଇପାରେ!

‘ରାଜନୀତି' କାହିଁ କେଉଁ ଯୁଗରୁ ଚାଲିଆସିଛି । ନୀତି ଆଦର୍ଶକୁ ପାଥେୟ କରି ରାଜ୍ୟର ସାମୂହିକ ଉନ୍ନତି କରିବାର ଆଇନଗତ କ୍ଷମତା ରଖି ରାଜ୍ୟ ଶାସନ କରିବାକୁ ସମ୍ଭବତଃ ରାଜନୀତି କୁହାଯାଏ । ରାଜଧର୍ମ କର୍ତ୍ତବ୍ୟ ଓ ବିବେକ ଉପରେ ଆଧାରିତ । ତେଣୁ ଜଣେ ସୁଶାସକ ରାଜନୀତି ସହିତ ରାଜଧର୍ମକୁ ମଧ୍ୟ ଆପଣେଇବା ଉଚିତ । ଏହି ଆଦର୍ଶ ଉପରେ ଶ୍ରୀରାମଚନ୍ଦ୍ର, ବିଦୁର, ବିକ୍ରମାଦିତ୍ୟ ଇତ୍ୟାଦିଙ୍କୁ ସୁଦକ୍ଷ ରାଜନୀତିଜ୍ଞ ବିଚାର କରାଯାଏ । ଆଜିର ଦିନରେ କିଏ ଭଲ ରାଜନୀତିଜ୍ଞ, ତାହା କହିବା ପୂର୍ବରୁ ରାଜନୀତି ଶବ୍ଦର ପ୍ରୟୋଗ ଖୁବ୍‌ ନୀଚସ୍ତରକୁ ଚାଲିଯାଇଛି, ଯାହା ସାଧାରଣରେ ଚର୍ଚ୍ଚାରୁ ସ୍ପଷ୍ଟ । ଛୋଟରୁ ବଡ଼ ପ୍ରତ୍ୟେକ ବ୍ୟକ୍ତି ସମାଜର ଯେକୌଣସି କ୍ଷେତ୍ରରେ କିଛି ଅପ୍ରୀତିକର ଘଟଣା ବା ପରିସ୍ଥିତି ଉପୁଜିଲେ ସେ ବିରକ୍ତ ହୋଇ କହେ "ଏଠି ଗୋଟେ ରାଜନୀତି ଚାଲିଛି!’ ଏହିଭଳି ସ୍ଥିତିରେ ରାଜନୀତିକୁ ବୃତ୍ତିଭାବେ ଗ୍ରହଣ କରିଥିବା ବ୍ୟକ୍ତିକୁ ସମାଜ ସଚ୍ଚୋଟ ଚରିତ୍ରର ଦର୍ଜା ଦେଇପାରିବନି । ଏହିପରି ମନୋଭାବକୁ ଇନ୍ଧନ ଯୋଗାଇଥାଏ ରାଜନେତାଙ୍କର ଅଭାଷା ପ୍ରୟୋଗ ଓ ନିମ୍ନସ୍ତରର କର୍ମ, ଯାହା ଗଣମାଧ୍ୟମରେ ପରସ୍ପର ପ୍ରତି ଦୋଷାରୋପ କରିବା ସମୟରେ ଜନତାଙ୍କ ଜ୍ଞାତସାରକୁ ଆସିଥାଏ । ନା ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର କଟକଣା ନା କର୍ମରେ ସ୍ୱଚ୍ଛତା!

ଏଭଳି ବିଶୃଙ୍ଖଳିତ ଆଚରଣ କ'ଣ ଅପସଂସ୍କୃତିର ପରିଣାମ ନା ଅଭ୍ୟାସଗତ! ନେତାମାନେ ଭୋଟ୍‌ ପ୍ରଚାରବେଳେ ଓ ବିଧାୟକ, ମନ୍ତ୍ରୀ ସାଧାରଣ ସଭାରେ କୁହନ୍ତି "ଆମେ ଜନସେବାର ଅଧିକ ସୁଯୋଗ ପାଇବା ପାଇଁ ରାଜନୀତିକୁ ପ୍ରକୃଷ୍ଟ ବୃତ୍ତି ବୋଲି ବିଚାର କରି ରାଜନୀତିକୁ ଆସିଛୁ’ । ଏପଟେ ବର୍ଷରେ ଥରେ କୌଣସି ବ୍ୟକ୍ତିକୁ ତୃଷାର୍ତ୍ତ ଦର୍ଶାଇ ପାଣି ବୋତଲଟିଏ ଧରେଇ ଦିଅନ୍ତି ଓ କିଛି କର୍ମୀଙ୍କ ସହ ଫଟୋ ଉଠାଇ "ନେତାଙ୍କର ବଦାନ୍ୟତା’ ଶୀର୍ଷକ ସହ ଗଣମାଧ୍ୟମରେ ଆତ୍ମପ୍ରଚାର କରନ୍ତି । ଜନସେବାର ଲକ୍ଷ୍ୟ ନେଇ ତୃଷାର୍ତ୍ତଙ୍କ ପାଇଁ ନଳକୂପର ବ୍ୟବସ୍ଥା ନକରି ଯଦି ନେତାଟିଏ ଏହିଭଳି ଆତ୍ମପ୍ରଚାର କରେ ତାହା ଖୁବ୍‌ ନିନ୍ଦନୀୟ । ଏହିଭଳି ଜଳଦାନ ହଜାର ହଜାର ଲୋକ ପ୍ରତିଦିନ କରୁଛନ୍ତି! ଚାରାଟିଏ ଲଗାଇଥିବେ କି ନାହିଁ, କିଛି ସହକର୍ମୀଙ୍କ ସହ ଫଟୋ ଉଠାଇ ‘ନେତାଙ୍କ ବୃକ୍ଷରୋପଣ' ଶୀର୍ଷକରେ ଗଣମାଧ୍ୟମର କଳେବର ମଣ୍ଡନ କରୁଛନ୍ତି । ଅନ୍ୟପକ୍ଷରେ ହଜାର ହଜାର ଏକର ସରକାରୀ ଜମି, ଗୋଚରକୁ ଉନ୍ନତିମୂଳକ ପ୍ରକଳ୍ପ ନାଁରେ ଜମିମାଫିଆ ଓ ରିୟଲ ଇଷ୍ଟେଟ୍‌କୁ ହସ୍ତାନ୍ତର କରିଦେଉଛନ୍ତି । ଯେଉଁ ଦୃଷ୍ଟିକୋଣରୁ ବିଚାର କଲେ ମଧ୍ୟ ଏମାନଙ୍କ କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ ସମାଜର ମଙ୍ଗଳ କମ୍‌, ନିଜର ଓ ଦଳର ମଙ୍ଗଳର ଅଧିକ ସୂଚନା ମିଳେ । କିନ୍ତୁ ନିରୀହ ଜନତା ଥରେ ହାତକାଟି ତାଙ୍କୁ ନେତା ବୋଲି ସ୍ୱୀକାର କରିଦେଇଛନ୍ତି । କରିବେ କ'ଣ! ସମସ୍ତେ ଗୋଟିଏ ଲାଉର ମଞ୍ଜି । ଲୋକଙ୍କର ଅଧିକ ଦୃଷ୍ଟିଆକର୍ଷଣ କରିବା ପାଇଁ ସେମାନେ ଗଣମାଧ୍ୟମରେ ଭାଷା, ଅଭାଷାରେ ପରସ୍ପରକୁ କଟୁ ମନ୍ତବ୍ୟମାନ ଦେଇଥାନ୍ତି । ବହୁସମୟରେ ଯଦିବା ଏହା ସମୁଚିତ ନଥାଏ ।

ସେତେବେଳେ ଏକ ଢଗ ମନକୁ ଆସେ "ଗ୍ରାମ ଶୂକର କି ହୋଇବ ଗାଈ’ । ରାଜନେତା, ବିଧାୟକ, ସାଂସଦମାନେ ଯେକୌଣସି ଶବ୍ଦ ଉଚ୍ଚାରଣ କରିବା ପୂର୍ବରୁ ଜାଣିବା ଉଚିତ୍‌ ଯେ ଶବ୍ଦଟି ତାଙ୍କର ନୁହେଁ । ତାଙ୍କପ୍ରତି ଆସ୍ଥା ଓ ବିଶ୍ୱାସ ରଖିଥିବା ହଜାର, ଲକ୍ଷ ଭଦ୍ର, ଶିକ୍ଷିତ ଜନତାଙ୍କର ଯେଉଁମାନେ ସେଦିନ ତାଙ୍କ ଚିହ୍ନରେ ମୋହର ମାରିଲାବେଳେ ଭାବିନଥିବେ ତାଙ୍କ ସମର୍ଥିତ ଲୋକଟିର କଥା ଓ ଚରିତ୍ର ଏହିଭଳି! ଅପରପକ୍ଷରେ ଯେଉଁ ବିଧାୟକ, ସାଂସଦଙ୍କ ପ୍ରତି ଏହି ଅପଶବ୍ଦ ବ୍ୟବହାର କରୁଛନ୍ତି ଏହି ଅପମାନ ତାଙ୍କୁ ଦେଉନାହାନ୍ତି, ଦେଉଛନ୍ତି ରାଜ୍ୟବାସୀଙ୍କୁ, କାରଣ ସେମାନେ ରାଜ୍ୟବାସୀଙ୍କ ସମର୍ôଥତ । ତେଣୁ ଯେକେହି ବା ହେଉ, ଏଭଳି ସାମ୍ବିଧାନିକ ପଦ ପ୍ରତି ବା ପଦରେ ଥାଇ ଅପଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ଆଇନତଃ ଦଣ୍ଡନୀୟ ହେବା ଉଚିତ୍‌ । ଯଦି ସରକାରଙ୍କର କାର୍ଯ୍ୟ କୌଣସି ରାଜନୈତିକ ଦଳକୁ ଗ୍ରହଣୀୟ ହେଉନାହିଁ, ସେମାନେ ତାଙ୍କ ସହକର୍ମୀମାନଙ୍କ ସହିତ ଅଧିକାରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜର ଦାବି ଉପସ୍ଥାପନ କରିପାରିବେ । ତାଙ୍କ ସହିତ ଆଲୋଚନା କରି, ଆଇନତଃ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିପାରିବେ । ବିଶ୍ୱାସ, ସମୟ ଲାଗିଲେ ମଧ୍ୟ ଯଦି ତାହା ବାସ୍ତବିକ ସମସ୍ୟା ହୋଇଥିବ ସମାଧାନ ନିଶ୍ଚୟ ବାହାରିବ । କିନ୍ତୁ ଦିନେ ଦୁଇଦିନ ବିଶୃଙ୍ଖଳିତ ଭାବେ ଜନସାଧାରଣଙ୍କ ସ୍ଥାନରେ ବିଦ୍ରୋହାତ୍ମକ ପଦକ୍ଷେପ ଦ୍ୱାରା କିଛି ଅଧିକ ସୁଫଳ ଆଜିଯାଏ ମିଳିଛି କି? ବୋଧେ ନୁହେଁ । ବେଳେବେଳେ ଲାଗେ ଆତଙ୍କବାଦୀଙ୍କ ଠାରୁ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାରେ ଏମାନେ ଅଧିକ ଭୟଙ୍କର । କେବଳ ନିଜର ସ୍ଥିତି ଜାହିର୍‌ କରିବା ପାଇଁ ଏମାନେ ସରକାରଙ୍କର ପ୍ରତ୍ୟେକ ଭଲ ମନ୍ଦ ଯୋଜନାକୁ ବିରୋଧ କରିବା ଆଜିକାଲିର ରାଜନୀତି ହେଇଗଲାଣି । ଭଦ୍ରଶୈଳୀ ଓ ‘ଉଦ୍ଦାମନୃତ୍ୟ' ମାଧ୍ୟମରେ ଦାବି ଉପସ୍ଥାପନ କରିବାରେ ଏତିକି ପ୍ରଭେଦ ଯେ, ଦ୍ୱିତୀୟଟିରେ ଗଣମାଧ୍ୟମରେ ବହୁତ ଫଟୋ ଓ ଆତ୍ମପ୍ରଚାର ହୋଇଥାଏ । ପୂର୍ବେ ଇ-ଗଣମାଧ୍ୟମ ନଥିଲା । ତେଣୁ ରାଜନେତା ଜନସେବା ସମ୍ବନ୍ଧରେ ଅବଗତ କରାଇବା ପାଇଁ ଲୋକଙ୍କ ନିକଟରେ କେବେ କେବେ ପହଞ୍ଚି ଯାଉଥିଲେ । ବର୍ତ୍ତମାନ ତା'ର ମଧ୍ୟ ଆବଶ୍ୟକତା ନାହିଁ । ସାଧାରଣ ଲୋକଟିଏ ଭୋକିଲା ଥାଉ ବା ସ୍ଥାନୀୟ ଗୁଣ୍ଡାର ଉପଦ୍ରବ ସହୁଥାଉ, ଶୁଣିବାକୁ କେହି ନାହାଁନ୍ତି । ସମସ୍ତେ ଟିଭିରେ ବସି ମୁହଁ ଦେଖେଇଦେଲେ କାମ ସରିଲା । ବିଭିନ୍ନ ଆଶ୍ୱାସନା ଦେବାରେ କ'ଣ ପଇସା ପଡ଼ୁଛି । ଫଟୋ ମଧ୍ୟମରେ ମିଛ ଲୋକସମ୍ପର୍କ ସ୍ଥାପନ କରି ପ୍ରଶଂସା ସାଉଣ୍ଟିବାରେ ସମସ୍ତେ ବ୍ୟସ୍ତ । ଅନ୍ୟପକ୍ଷରେ ତାଙ୍କ ପାଖରେ ଠିଆହୋଇ ଲୋକଟିଏ ଯଦି ଫଟୋ ଉଠାଇ ଦେଉଛି ତା'ର ଆନନ୍ଦ କହିଲେ ନସରେ । ଧୃତଟିଏ ସେହି ଫଟୋକୁ ଦେଖାଇ ମନ୍ତ୍ରୀଙ୍କ ପାଖ ଲୋକ କହି ବେନିୟମ କାମ କରିବାକୁ ପଛାଉନାହିଁ । ଏ ବିଷୟରେ ମନ୍ତ୍ରୀଙ୍କ ଉତ୍ତର ମଧ୍ୟ ଖୁବ୍‌ ଦାୟିତ୍ୱହୀନ ।

ଏଭଳି ‘ଫଟୋ ରାଜନୀତି' ରାଜନୀତିଜ୍ଞ ସୃଷ୍ଟି ନକରି ଅନେକ ଅସାଧୁ ସୃଷ୍ଟି କରିଥାଏ । ରାଜନେତାଙ୍କ ପାଇଁ ନିର୍ବାଚନ ସମୟରେ ଏହି ଫଟୋଗୁଡ଼ିକର ବହୁ ଆବଶ୍ୟକତା ପଡ଼ିଥାଏ । ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଗଲାବେଳେ ଫଟୋ, ଜେଲରେ ଥିବାବେଳେ ଫଟୋ, ଜାମିନିରେ ବାହାରିବାର ଫଟୋ, ତା’ ସହିତ ଗୋଟିଏ ଧାଡ଼ି "ମୁଁ ନିର୍ଦ୍ଦୋଷ, ମୋତେ ବିରୋଧୀ ଫସେଇ ଦେଇଛନ୍ତି’ । ଏଭଳି ଅନୁକମ୍ପାମୂଳକ ଭୋଟ୍‌ ପାଇଁ ପ୍ରସ୍ତୁତି । ସତରେ ଏହି ଫଟୋ ଓ ଗଣମାଧ୍ୟମ ନଥିଲେ ନା ତାଙ୍କର ପ୍ରଚାର ହୋଇପାରନ୍ତା ନା ସେମାନେ ନିର୍ବାଚନ ଲଢ଼ିପାରନ୍ତେ । ଆଜିର ଦିନରେ ଏତିକି ସତ୍ୟ ଯେ, ଲୋକଙ୍କ ନିକଟକୁ ଯାଅ ବା ନ ଯାଅ, ଅଧିକ ମହତ୍ତ୍ୱ ରଖେ ଆମେ ଫଟୋ ରାଜନୀତିରେ କେତେ ଦକ୍ଷ । ରାଜନୈତିକ ଦଳର ମୁଖ୍ୟଙ୍କ ସେହି ଫଟୋକୁ ଧରି ‘ମୋର ନିଶ ନାହିଁ, ମୋ ଭାଇର ନିଶ ଅଛି' ନ୍ୟାୟରେ କିଛି କର୍ମୀ ରାଜନେତା ହୋଇଥାନ୍ତି । ତେବେ ରାଜନୀତିର ମୂଲ୍ୟବୋଧକୁ ବଢ଼ାଇବାରେ ଏହା କେତେଦୂର ସହାୟକ ତାହା ବିଚାରଯୋଗ୍ୟ ।

d​​​​​​​