କାମାକ୍ଷାନଗର, ୨୬/୯ : ଉଛୁଳା ପାଣିରେ ବାଜିରେ ଲାଗିଛି ଜୀବନ। ଖଟିଆରେ ନଦୀ ପାର ହେଲେ ଗର୍ଭବତୀ। ଏଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାନାଳି କଳାମାଟି ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଖଟିଆ ଯୋଗେ ନଦୀ ପାର୍ କରାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଗୁରୁବାର ବିଳମ୍ଵିତ ରାତିରେ କଳାମାଟି ସାହିର ଯଦୁ ମୁର୍ମୁଙ୍କ ସ୍ତ୍ରୀ କର୍ମୀ ମୁର୍ମୁଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ଵୁଲାନ୍ସ ଡାକିଥିଲେ। ହେଲେ ଘର ପାଖରେ ଆମ୍ଵୁଲାନ୍ସ ପହଞ୍ଚିବାକୁ ରାମିଆଳ ନଦୀ ପ୍ରତିବନ୍ଧକ ସାଜିଥିଲା। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ କର୍ମୀ ମୁର୍ମୁଙ୍କୁ ଏକ ଖଟିଆ ଯୋଗେ ପ୍ରାୟ ୨ କିମି ବୋହି ନଦୀ ପାର୍ କରାଇଥିଲେ। ନଦୀ ଆରପଟେ ଥିବା ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କର୍ମୀ ମୁର୍ମୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।